୭ ଜିଲାରେ ଘନକୁହୁଡ଼ି ; ବର୍ଷ ଶେଷ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଶୀତ ପ୍ରକୋପ କମି ଥିବାବେଳେ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗତକାଲି ସକାଳ ପର୍ଯ୍ୟନ୍ତ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ଗଞ୍ଜାମ, ମାଲକାନଗିରି ଓ କୋରାପୁଟ ଜିଲାରେ ଘନକୁହୁଡ଼ି ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଦୁର୍ଘଟଣା ଏଡ଼ାଇବାକୁ ପୁଲିସ ଓ ପରିବହନ ଅଧିକାରୀ ରାଜପଥରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ପକ୍ଷରୁ ଉପରୋକ୍ତ ଜିଲାଗୁଡ଼ିକର ଜିଲାପାଳ, ପୁଲିସ ନିର୍ଦେଶକ, ପରିବହନ ଆୟୁକ୍ତଙ୍କୁ ନିର୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ସୋମବାରରୁ ମଙ୍ଗଳବାର ସକାଳ ୮.୩୦ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଯାଜପୁର, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବରଗଡ଼ ଓ ନୂଆପଡ଼ା ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲା‌େ‌ର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ଓ ରାଜ୍ୟ ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ଦାରିଙ୍ଗବାଡ଼ିରେ ରେକର୍ଡ଼ କରାଯାଇଛି। ସେହିପରି କୋରାପୁଟ ୧୪ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୩, ପାରଲାଖେମୁଣ୍ଡି ଓ ଫୁଲବାଣୀରେ ୧୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଛି।

Comments are closed.