ତିହିଡ଼ି ନନ୍ଦପୁର ଗୁଡ୍‍ ନିଉଜ ଇଣ୍ଡିଆ ଡ୍ରିମ ସେଣ୍ଟର ଉପରେ ଚଢ଼ଉ

0

ତିହିଡି : ଢେଙ୍କାନାଳ ସଦର ବ୍ଲକ ଅଧୀନ ବେଲଟିକିରିରେ ବେଆଇନ ଭାବେ ଚାଲିଥିବା ଆଶ୍ରୟ ଗୃହରେ ଯୌନ ନିର୍ଯାତନା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାରୁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ତିହିଡ଼ି ବ୍ଲକ ଅଧୀନ ନନ୍ଦପୁରଠାରେ ଚାଲିଥିବା ଗୁଡ୍‍ ନିଉଜ ଇଣ୍ଡିଆ ଡ୍ରିମ ସେଣ୍ଟର ଉପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି।
ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ସୁଚାରୁ ବଳଙ୍କ ନେତୃତ୍ୱରେ ଜିଲା ଶିଶୁ ସୁରକ୍ଷା ସଂଗଠନ, ଜିଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ଓ ତିହିଡ଼ି ପୁଲିସ ସୋମବାର ପୂର୍ବାହ୍ନରେ ଏହି ସେଲଟର ହୋମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସଂପୃକ୍ତ ସେଲଟର ହୋମର ପରିଚାଳକ ଅନୁପସ୍ଥିତ ଥିବାରୁ ତଦନ୍ତ ଅଧାରୁ ଅଟକିଥିବା ଜଣାଯାଇଛି। ଜିଲା ଶିଶୁ ସୁରକ୍ଷା ସଂଗଠନ ପକ୍ଷରୁ ବିଶ୍ୱ ନାରାୟଣ ପଣ୍ଡା, ଶିଶୁ ମଙ୍ଗଳ ସମିତି ତରଫରୁ ଡ. ସୁଦର୍ଶନ ବାରିକ, ସତ୍ୟସୁନ୍ଦର ପୁହାଣ, ସଙ୍ଗୀତା ଗିରି, ସ୍ମୃତିରେଖା ମହାନ୍ତି, ଏଡିଓ ମନୋଜ ସାହୁ ପ୍ରମୁଖ ସେଲଟର ହୋମରେ ରହୁଥିବା ପିଲାଙ୍କ ସହ ଆଲୋଚନା କରିଥିଲେ। ସେଲଟର ହୋମ ମଧ୍ୟ ବୁଲି ଦେଖିଥିଲେ। ତେବେ ସେଣ୍ଟର ପରିଚାଳକ ଚଢ଼ଉ ସମୟରେ ଅନୁପସ୍ଥିତ ଥିବାରୁ ଅଧିକାରୀମାନେ ଆବଶ୍ୟକୀୟ ରେକର୍ଡ଼ପତ୍ର ଯାଞ୍ଚ କରିପାରିନାହାନ୍ତି। ତଦନ୍ତ ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ଏଠାରେ ୧୮ ବର୍ଷରୁ କମ ବୟସ୍କ ମୋଟ ୧୬୪ ଜଣ ନାବାଳକ ନାବାଳିକା ରହୁଥିବା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ବ ୧୪ ଜଣ ଅନ୍ତେବାସୀ ମଧ୍ୟ ରହୁଛନ୍ତି। ଏହି ୧୬୪ ଜଣଙ୍କ ମଧ୍ୟରୁ ୭୯ ଜଣ ନାବାଳିକା ହୋଇଥିବା ବେଳେ ୮୫ ଜଣ ନାବାଳକ ଅଛନ୍ତି। ସଂପୃକ୍ତ ସେଣ୍ଟରଟିରେ ବିଭିନ୍ନ ବାହାର ଜିଲାରୁ ଛାତ୍ରଛାତ୍ରୀମାନେ ଏଠାରେ ଅନ୍ତେବାସୀ ଭାବେ ରହି ପାଠ ପଢ଼ିଥାନ୍ତି। ସଂପୃକ୍ତ ସେଲଟର ହୋମଟିକୁ ଗତବର୍ଷ ଜାନୁଆରୀ ୨୪ ତାରିଖରେ ଜୁଭେନାଇଲ ଜଷ୍ଟିସ (ସି ଏଣ୍ଡ ପିସି) ଆକ୍ଟ ଅଧୀନରୁ ବାହାରେ ରଖାଯାଇଛି। ଅବଶ୍ୟ ଏଥିପାଇଁ ସଂପୃକ୍ତ ସେଲଟର ହୋମ ଜିଲା ପ୍ରଶାସନକୁ ଆବେଦନ କରିଥିଲା। ଏହାକୁ ରେସିଡେନ୍‍ସିଆଲ ହଷ୍ଟେଲ ଭାବେ ରେଜିଷ୍ଟ୍ରେସନ କରିବାକୁ ନିର୍ଦେଶ ଦିଆଯାଇଥିଲା ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିଜ ଚିଠି ସଂଖ୍ୟା ୩୦୩/୮.୮.୧୮ରେ ଉଲ୍ଲେଖ ରହିଛି। କୌଣସି ସରକାରୀ ବିଭାଗ ବିନା ନିୟନ୍ତ୍ରଣରେ ଏହା ଚାଲିପାରିବ ନାହିଁ ଓ ସଂପୃକ୍ତ ସଂସ୍ଥା ପକ୍ଷରୁ ପଞ୍ଜୀକରଣ ବାବଦରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜଣାଇବାକୁ ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଥିଲା। ସଂପୃକ୍ତ ସଂସ୍ଥା ଏହି ଚିଠି ପାଇବା ପରେ କୌଣସି ସରକାରୀ ସଂସ୍ଥା ନିକଟରେ ପଞ୍ଜୀକରଣ କରିଛନ୍ତି କି ନାହିଁ ସେ ସମ୍ପର୍କରେ ଅଧିକାରୀମାନେ କିଛି କହିପାରିନାହାନ୍ତି। ସଂପୃକ୍ତ ସଂସ୍ଥାର ପରିଚାଳକ ଅନୁପସ୍ଥିତ ରହିଥିବାରୁ ଏ ସମ୍ପର୍କୀତ କାଗଜପତ୍ର ତୁରନ୍ତ ତାଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲାପାଳ ଶ୍ରୀ ବଳ ଆମ ପ୍ରତିନିଧିଙ୍କୁ କହିଛନ୍ତି। ଆଜିର ତଦନ୍ତର ଫଳାଫଳ କ’ଣ ହେଲା ବୋଲି ପ୍ରଶ୍ନର ଉତ୍ତରରେ ଆମେ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବୁ ବୋଲି କହିଛନ୍ତି।
ସେହିପରି ତଦନ୍ତ ସମୟରେ ସେଲଟର ହୋମରେ କୌଣସି ସିସିଟିଭି ଓ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବାରୁ ଏହାକୁ ତୁରନ୍ତ ଲଗାଇବାକୁ ନିର୍ଦେଶ ଦିଆଯାଇଥିବା ଜଣାଯାଇଛି। ସଂପୃକ୍ତ ସଂସ୍ଥାରେ ରହୁଥିବା ପିଲାମାନଙ୍କୁ କୌଣସି ପ୍ରକାର ନିର୍ଯାତନା ଦିଆଯାଉଥିଲା କି ନାହିଁ ସେ ସମ୍ପର୍କରେ ଅଧିକାରୀମାନେ ତଦନ୍ତ କରି ଫେରିଛନ୍ତି।

Leave A Reply