ବ୍ୟାପୁଛି ଡେଙ୍ଗୁ: ୩ ମୃତ, ୧୫୩୨ ରୋଗୀ ଚିହ୍ନଟ

0

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଚେତନତା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଡେଙ୍ଗୁ କାୟାବିସ୍ତାର କରିଛି। ୨୦୧୭ ମସିହା ଜାନୁଆରୀ ୧ ତାରିଖରୁ ଅଗ​‌ଷ୍ଟ ୧୭ ତାରିଖ ମଧ୍ୟରେ ୪୯୮୫ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୪୧୨ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିବା ବେଳେ ଏହି ରୋଗରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା।
ଏବର୍ଷ ଏହି ସମୟ ସୁଦ୍ଧା ୮୫୨୫ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟର ସମସ୍ତ ଜିଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୩୨ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଜନସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ସରକାରୀ ଭାବେ ଏହି ସୂଚନା ଦିଆଯାଇଥିବା ସମୟରେ ଡେଙ୍ଗୁରେ ମୃତ୍ୟୁ ସଂଖ୍ୟା ଏହା ଠାରୁ ଯଥେଷ୍ଟ ଅଧିକ ଥିବା ବେସରକାରୀ ଭାବେ କୁହାଯାଇଛି।
ଡେଙ୍ଗୁରେ କେନ୍ଦୁଝର, ଭୁବନେଶ୍ବର ଓ ପୁରୀରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୪୫୧ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୩୨୫ ଓ ରାୟଗଡ଼ାରେ ୧୩୩ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ରକ୍ତ ନମୁନା ପରୀକ୍ଷାରୁ ଜଗତସିଂହପୁରରେ ୮୪, ଯାଜପୁରରେ ୬୩, ପୁରୀରେ ୫୬, କଳାହାଣ୍ଡିରେ ୫୩, ବାଲେଶ୍ବରରେ ୪୪, ଭଦ୍ରକରେ ୩୫, କେନ୍ଦ୍ରାପଡ଼ାରେ ୩୩, ନୟାଗଡ଼ରେ ୩୨ ଓ ରାଜ୍ୟ ବାହାରୁ ଆସିଥିବା ୩୫ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବିଭାଗ ସୂଚନା ଦେଇଛି।
ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି ନେଇ ଯେଉଁ ଭଳି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା ଏପର୍ଯ୍ୟନ୍ତ ହୋଇନଥିବା ସୂଚନା ମିଳିଛି। ଡେଙ୍ଗୁ ବାହକ ଏଡିଶ ମଶାବଂଶ ନିପାତ କରିବା ପାଇଁ ଦୁଇବର୍ଷ ତଳେ ଶିଳ୍ପ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ପଦକ୍ଷେପ ନିଆଯାଇଥିଲା। ଯାଞ୍ଚ କରାଯାଇ ଶିଳ୍ପାଞ୍ଚଳ, ଦୋକାନ ବଜାର ସମେତ ବିଭିନ୍ନ ସ୍ଥାନରେ ଥିବା ଭଙ୍ଗାରୁଜା ପାତ୍ର, ଟାୟାର ଆଦିରେ ପାଣି ଜମି ମଶାବଂଶ ବୃଦ୍ଧି ପାଉଥିବାରୁ ସେଗୁଡ଼ିକ ପରିଷ୍କାର ରଖିବା ଓ ପାଣି ଜମାହେବାକୁ ନଦେବା ଉପରେ ଗୁରତ୍ବ ପ୍ରଦାନ କରାଯାଇଥିଲା। ଏବର୍ଷ ଏସବୁକୁ ପ୍ରାଧାନ୍ୟ ଦିଆଯାଇନାହିଁ।
ବିଭାଗର ଅତିରିକ୍ତ ନିର୍ଦେଶିକା ଡାକ୍ତର ପ୍ରମିଳା ବରାଳ କହିଛନ୍ତି, ଡେଙ୍ଗୁରେ ମୃତ ୩ଜଣଙ୍କ ମଧ୍ୟରୁ ଦୁଇଜଣ ଆନ୍ଧ୍ରପ୍ରଦେଶ ଓ ଚେନ୍ନାଇରେ ଆକ୍ରାନ୍ତ ହୋଇଥିଲେ। ଓଡ଼ିଶାରେ ଚିକିତ୍ସିତ ହେଉଥିବା ସମୟରେ ସେମାନଙ୍କ ମୃତ୍ୟୁ ଘଟିଛି।
ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରୁ ଡେଙ୍ଗୁ ଆକ୍ରାନ୍ତ ମାଗଣାରେ ଚିକିତ୍ସା ପାଇଁ ଓଡ଼ିଶାକୁ ଚାଲିଆସୁଥିବା ସେ ପ୍ରକାଶ କରିଛନ୍ତି।
ଛାତ ଉପରେ ଅଳିଆ ଆବର୍ଜନା କିମ୍ବା ଭଙ୍ଗା ପାତ୍ର, ବାଡ଼ିରେ ଭଙ୍ଗା ମାଠିଆ, ପ୍ଲାଷ୍ଟିକ ଡବା, ଥଣ୍ଡା ପାନୀୟ ବୋତଲ, ଟାୟାର ଦୋକାନ ଓ କବାଡ଼ି ଦୋକାନରେ ଅବ୍ୟବହୃତ ଟାୟାର ଓ ଭଙ୍ଗା ଟିଣ ଆଦିରେ ଯେପରି ବର୍ଷା ପାଣି ଜମି ନରହେ ସେଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାଦ୍ବାରା ଡେଙ୍ଗୁକୁ ବହୁ ପରିମାଣରେ ପ୍ରତିହତ କରାଯାଇ ପାରିବ ବୋଲି ସେ କହିଛନ୍ତି।

Leave A Reply