“ଆମର ମଧ୍ୟ ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି” : ଭୁବନେଶ୍ୱରରେ କିନ୍ନରଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ସମ୍ମାନଜନକ ଭାବେ ବଞ୍ଚିବା ମଣିଷର ଅନ୍ୟତମ ଅଧିକାର। ରାଜ୍ୟରେ କିିନ୍ନରମାନେ ମଧ୍ୟ ସମ୍ମାନଜନକ ଭାବେ ବଞ୍ଚିବାକୁ ଚାହୁଁଛନ୍ତି। କିଛି ଆୟକାରୀ ଧନ୍ଦା ହେଉ ଅବା ଛୋଟ ମୋଟ ବ୍ୟବସାୟ କରିବାକୁ ଚାହୁଛନ୍ତି। କିନ୍ତୁ ସେମାନଙ୍କୁ କୌଣସି ସରକାରୀ ସାହାଯ୍ୟ, ସହଯୋଗ ମିଳୁନାହିଁ। ଏହାର ପ୍ରତିବାଦରେ ଗୁରୁବାର ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବି ପତ୍ର ପ୍ରଦାନ କରାଯାଇଛି । ମେନକା ପରିଡ଼ାଙ୍କ ନେତୃତ୍ୱରେ କିନ୍ନରମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମେନକା କହିଛନ୍ତି ସରକାରୀ ସହାୟତା ଓ ସହଯୋଗ ବିନା କିନ୍ନରମାନେ ଆତ୍ମନିର୍ଭରଶୀଳ ହେବା ଏକ କଠିନ କାର୍ଯ୍ୟ। ରାଜ୍ୟରେ ପ୍ରାୟ ଏଭଳି ୨୫ ହଜାର କିନ୍ନର ଅଛନ୍ତି ଯେଉଁମାନେ ସମ୍ମାନର ସହିତ ବଞ୍ଚିବାକୁ ପ୍ରୟାସ କରୁଛନ୍ତି।

ସୂଚନା ଯୋଗ୍ୟ ୨୦୧୪ରେ ସୁପ୍ରିମ କୋର୍ଟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଛନ୍ତି। କିନ୍ତୁ ସମାଜରେ ସେମାନଙ୍କର ଭାଗିଦାରୀକୁ ନେଇ ସଙ୍କଟ ଲାଗି ରହିଛି । ଚାକିର କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କିଏ ଗାଡି(କାର/ଟ୍ୟାକ୍ସି), ଅଟୋ ରିକ୍ସା ଚଳାଉଛି ତ ଯାତ୍ରୀ ଗାଡିରେ ବସିବା ପାଇଁ ସଂକୋଚ କରୁଛନ୍ତି । ଅଟୋ ଚଳାଉଥିବା କିନ୍ନର କୁହନ୍ତି ଯେ, ସେମାନେ ଯେତେବେଳେ ଗାଡିରେ ବସିବା ପାଇଁ ଯାତ୍ରୀଙ୍କୁ ଡାକନ୍ତି ତ, ଯାତ୍ରୀ ହସି ଦେଇ ଅବା କଟୁ ମନ୍ତବ୍ୟ ଦେଇ ଆଗକୁ ଚାଲିଯାଇଥାନ୍ତି। ଏବେ ଟ୍ରେନରେ ସେମାନେ ଲୋକଙ୍କୁ ଟଙ୍କା ମାଗିବା ଉପରେ କଟକଣା ଜାରି କରାଯାଇଛି।
ପ୍ରାୟତଃ କିନ୍ନର ସମାଜ ଟ୍ରେନ ଅବା ବଜାରର ନଚେତ ଛକଜାଗାମାନଙ୍କରେ ଲୋକଙ୍କୁ ଅର୍ଥ ମାଗି ଯେନତେନ ପ୍ରକାରରେ ବଞ୍ଚୁଛନ୍ତି। ସେମାନଙ୍କର କହିବା କଥା ହେଲା ଯଦି ଚାକିରରେ ସଂରକ୍ଷଣ ମିଳିଯିବ ତ, ଏହି ସମାଜ ଉନ୍ନତି କରି ପାରିବ। କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ କିନ୍ନର ଏଠି ସେଠି ଘୁରି ବୁଲୁଛନ୍ତି । ବିଭିନ୍ନ ବସ୍ତିରେ ଅବା ନୁଆଁଣିଆ ଚାଳଘର କରି ବିଭିନ୍ନ ସହରତଳି ଅଞ୍ଚଳରେ ରହୁଛନ୍ତି। ଭୁବନେଶ୍ୱରରେ ରହୁଥିବା ଏଭଳି କିଛି କିନ୍ନର ଅଛନ୍ତି ଯେଉଁମାନେ ନିଜଗୋଡରେ ନିଜେ ସ୍ୱବଲମ୍ବୀ ହୋଇ ଠିଆହେବାକୁ ଚେଷ୍ଟା କରୁଛନ୍ତି। ସେମାନେ ମଧ୍ୟ ସମ୍ମାନର ସହିତ ବଞ୍ଚିବାକୁ ଚାହୁଁଛନ୍ତି। ଦକ୍ଷତା ବିକାଶ ଯୋଜନା ଅଧୀନରେ କିନ୍ନରମାନଙ୍କୁ ବ୍ୟବସାୟିକ ପ୍ରଶିକ୍ଷଣ ଦିଆଯିବା ଉପରେ ମେନକା କିନ୍ନର ଗୁରୁତ୍ୱାରୋପ କରିଛନ୍ତି। ଏହା ବ୍ୟତୀତ ସେମାନଙ୍କୁ ବିନା ସୁଧରେ ଋଣ ଯୋଗାଇଦେବା ଦରକାର।। ଯାହା ଦ୍ୱାରା ନିଶ୍ଚିତ ପରିବର୍ତ୍ତନ ଆସିବ ବୋଲି ତାଙ୍କର ବିଶ୍ୱାସ ରହିଛି। ଫଳରେ କିନ୍ନର ସମାଜ ସମ୍ମାନର ସହିତ ବଞ୍ଚି ପାରିବେ।

 

 

 

 

ପ୍ରତ୍ୟେକ କିନ୍ନରଙ୍କର ଭିନ୍ନଭିନ୍ନ କାହାଣୀ ରହିଛି। ତେବେ ମେନକାଙ୍କର କହିବା କଥା ହେଲା ଓଡ଼ିଶାରେ ଟ୍ରେନରେ କିନ୍ନରଙ୍କ ଅର୍ଥ ମାଗିବା ଉପରେ କଟକଣା ଲଗାଇ ଦିଆଯାଇଛି। ଛକ ଓ ବଜାରମାନଙ୍କରେ ଅର୍ଥ ମାଗିବା ବେଳେ ସେମାନଙ୍କୁ ସେଠାରୁ ବିଦା କରି ଦିଆଯାଉଛି। ଏବେ କିନ୍ନରମାନଙ୍କୁ ଅଧିକ ଅବହେଳା କରାଯାଉଛି । ତେଣୁ ଏମାନେ କୁଆଡେ ଯିବେ ? ଏହା କହିବା ସମୟରେ ମେନକାଙ୍କ ସମେତ ଅନେକ କିନ୍ନରଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। ତେଣୁ ସରକାର ସହୃଦୟତାର ସହିତ କିନ୍ନରଙ୍କ ଦାବିକୁ ବିଚାର କରିବା ପାଇଁ ନିବେଦନ କରାଯାଇଛି।

Comments are closed.