ବଲାଙ୍ଗିର : ପାନୀୟ ଜଳ ଓ ବିଦ୍ୟୁତ ଅବ୍ୟବସ୍ଥା ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର:  ଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ଭଳି ମୈାଳିକ ଅବହେଳାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗିର ଜିଲା କଂଗ୍ରେସ। ଏନେଇ ବଲାଙ୍ଗିର ଜିଲାପାଳ ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏଥିରେ ଯୋଗଦେଇଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏବେ ଆକ୍ସନ ମୁଡରେ ବିଧାୟକ ନରସିଂହ ମିଶ୍ର । ଗୋଟିଏ ପଟେ ଜିଲାପାଳ ଅଫିସ ସମ୍ମୁଖରେ ସମସ୍ୟା ନେଇ ବିକ୍ଷୋଭ ଓ ଏହାର କିଛି ସମୟ ପରେ ସର୍କିଟ ହାଉସରେ ଉକ୍ତ ବିଭାଗୀୟ ଅଧିକାରୀଙ୍କ ସହ ବସି ଆଲୋଚନା । ବଲାଙ୍ଗିରରେ କିଛି ମାସ ହେଲା ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୨୦୧୪ ପରେ ତାଙ୍କ ପ୍ରଚେଷ୍ଟାରେ ଏହି ସମସ୍ୟାର କିଛିଟା ସମଧାନ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା ଯୋଗୁଁ ବର୍ତ୍ତମାନ ପୁଣି ଏହା ଅବ୍ୟବସ୍ଥିତ ହୋଇଯାଇଥିବା ଅଭିଯୋଗ ହୋଇଛି। ପାନୀୟ ଜଳ ସମସ୍ୟା ଭଳି ବିଜୁଳି ବିଭାଗର ଦୂରଦୃଷ୍ଟିର ଅଭାବ, ସମ୍ବେଦନଶୀଳତାର ଅଭାବ ତଥା ଅଧିକାରୀଙ୍କ ଅପାରଗତା ଯୋଗୁଁ ବଲାଙ୍ଗିରରେ ବାରମ୍ବାର ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ ଆଣିଛି କଂଗ୍ରେସ। ବଲାଙ୍ଗିର ଜିଲାରେ ବିଦ୍ୟୁତ ବିଭାଗର ଉତ୍ତମ ଭିତ୍ତିଭୂମି ରହିଥିବା ସତ୍ୱେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁ ବାରମ୍ବାର ବିଦ୍ୟୂତ କାଟ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏପରିକି କାଳବୈଶାଖୀର ନାଁ ରେ ବିଦ୍ୟୁତ ବିଭାଗ ସହରବାସୀଙ୍କୁ ଭଣ୍ଡାଉଥିବା ବେଳେ ସମସ୍ୟାର ସମାଧାନ ନହେଲେ ଆସନ୍ତା ଦିନ ମାନଙ୍କରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଧାୟକ ପୂର୍ବରୁ ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରଶାସନକୁ ଜଣାଇଥିଲେ।

ସେହିପରି ପିଇବା ପାଣି ସମସ୍ୟା ମନୁଷ୍ୟକୃତ ବୋଲି ମଧ୍ୟ କଂଗ୍ରେସ ଅଭିଯୋଗ ଆଣିଛି। ୨୦୧୪ ନିର୍ବାଚନ ପରେ ବଲାଙ୍ଗିର ତଥା ଆଖପାଖ ବ୍ଲକର ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ମାତ୍ର କିିଛି ମାସ ଭିତରେ ତାହା ଅବହେଳିତ ହୋଇଯାଇଥିବା ଅଭିଯୋଗ ହୋଇଛି । ଯାହାର ପରିଣାମ ସ୍ୱରୂପ ପାନୀୟ ଜଳ ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ। ଏ ସବୁ ସମସ୍ୟା ଆସନ୍ତା ୧୫ ଦିନ ଭିତରେ ଯଦି ସମାଧାନ କରାନଯାଏ ତେବେ କଂଗ୍ରେସ ଦଳ ବଲାଙ୍ଗିର ଜନସାଧାରଣଙ୍କୁ ଏକତ୍ରିତ କରି ଆଉ ଏକ ବିରାଟ ଜନ ଆନ୍ଦୋଳନ ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛି । ନଗର କଂଗ୍ରେସ କମିଟିର ସଭାପତି ବୁଲୁ ଦାନୀଙ୍କ ଆବାହକତ୍ୱରେ ହୋଇଥିବା ଜିଲ୍ଲାପାଳ ଅଫିସ ଘେରାଓ ଏହି ସବୁ ସମସ୍ୟାର ସମାଧାନ ଦାବି ନେଇ ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ଏକ ଦାବିପତ୍ର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଦାନ କରାଯାଇଥିଲା।
ବିକ୍ଷୋଭର ମାତ୍ର କିଛି ସମୟ ପରେ ସ୍ଥାନୀୟ ସର୍କିଟ ହାଉସରେ ବିଧାୟକ ଏହି ସବୁ ସମସ୍ୟା ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଆଲୋଚନା କରିଥିଲେ ।  ଜିଲାପାଳ ଉପସ୍ଥିତିରେ ଏହି ଜରୁରୀ ବୈଠକରେ ଉକ୍ତ ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଅଧିକାରୀ ମାନଙ୍କ ଉପରେ ବର୍ଷିଥିଲେ ଶ୍ରୀ ମିଶ୍ର । ସେହିପରି ବିଦ୍ୟୁତ ବ୍ୟବସ୍ଥାର ଉତ୍ତମ ଭିତ୍ତିଭୂମି ସତ୍ୱେ କାହିିଁକି ବିଦ୍ୟୁତ କାଟ ସମସ୍ୟା ରହିଥିବା ସେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହି ସବୁ ସମସ୍ୟା ପ୍ରତି ବିଭାଗ ମାନେ ଯତ୍ନବାନ ରହିବା ସହିତ ନିଷ୍ଠାର ସହିତ ନିଜ ଦାୟିତ୍ୱ ବହନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲାପାଳ ଅରିନ୍ଦମ ଡାକୁଆ, ଉପଜିଲାପାଳ ଭୈରବ ସିଂହ ପଟେଲ, ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗର ଉପରିସ୍ଥ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ବିକ୍ଷୋଭ ସଭାରେ ଜିଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପ-ସଭାପତି ସନ୍ତକ ବହିଦାର, ଚାଷୀନେତା ଡ. ସୁଧିର ପରିଚ୍ଛା, ବରିଷ୍ଠ କଂଗ୍ରେସ ନେତା ଅଶୋକ ନନ୍ଦ, ରାଜ୍ୟ ସଂପାଦକ ସୁଦାମ ସାହୁ, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅସୀମ ପଟ୍ଟନାୟକ, ସଂଜୟ ମିଶ୍ର, ସୌମ୍ୟଦିପ ସରାଫ, ପବିତ୍ର ବେହେରା, ଉମାଶଙ୍କର ପଣ୍ଡା, ଅଜୟ ବାଲି, ବ୍ରଜ ସେଠୀ, ନିସିକାନ୍ତ କୁମ୍ଭାର, ସାନନ୍ଦ ମିଶ୍ର, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଅରୁଣ ବାଗ, ସୁରେନ୍ଦ୍ର ହଂସପାଲ, ଅମୁଲ୍ୟ ସେଠ, ମଳୟ ବାବୁ, କୁନା ମିଶ୍ର, କିଶୋର ଦଣ୍ଡସେନା, ସୁନିଲ ବେହେରା, ସୁବାଷ ନନ୍ଦ, ଝୁପୁଲୁ ମହାନ୍ତି, ସଂଜିବ ଗୁରୁ, ସୁଦର୍ଶନ ମିଶ୍ର, ସୁମିତ ପ୍ରଭାକର, ମଧୁ ସାହୁ, ଟୁକୁ ଖୁଆସ, ସୁମିତ, ନାରେନ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ।

Comments are closed.