କୃଷି ଆଇନକୁ ବିରୋଧ କରି ବନ୍ଦ ପାଳନ : ତଥ୍ୟ ସାର୍ବଜନୀନ କଲେ ସରକାର

୪୮ ଘଣ୍ଟାରେ ୧୦.୫୩ କୋଟି ଟଙ୍କାର ଧାନ ସଂଗ୍ରହ

ନୂଆଦିଲ୍ଲୀ : କୃଷି କ୍ଷେତ୍ର ସଂକ୍ରାନ୍ତ ୩ଟି ବିଧେୟକ ଏବେ ଆଇନରେ ପରିଣତ ହୋଇସାରିଛି। ମାତ୍ର ଏହାକୁ ବିରୋଧକରି ବିଶେଷକରି ପଞ୍ଜାବ, ହରିୟାଣା ଓ ଅନ୍ୟ କେତେକ ରାଜ୍ୟର କୃଷକ ସଂଗଠନ ବିରୋଧୀ ରାଜନୈତିକ ଦଳଙ୍କ ସହ ମିଶି ଆନ୍ଦୋଳନ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଗତ ୪୮ ଘଣ୍ଟା ଭିତରେ ଉଭୟ ପଞ୍ଜାବ ଓ ହରିୟାଣାରେ ହୋଇଥିବା ଧାନ ସଂଗ୍ରହ ସଂକ୍ରାନ୍ତ ସରକାରୀ ତଥ୍ୟ ସାର୍ବଜନୀନ କରିଛନ୍ତି କେନ୍ଦ୍ର ସରକାର। ଗତ ୪୮ ଘଣ୍ଟା ଭିତରେ ଉଭୟ ରାଜ୍ୟର ୩୯୦ ଜଣ ଚାଷୀ କିଭଳି କେନ୍ଦ୍ର ସରକାରଙ୍କ ଘୋଷିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇଛନ୍ତି ତାହା ଦର୍ଶାଯାଇଛି। ଚଳିତ ମାସ ସେପ୍ଟମ୍ବର ୨୬ ତାରିଖରୁ ୨୦୨୦-୨୧ ଖରିଫ ଧାନକିଣା ଆରମ୍ଭ ହୋଇଛି। ପ୍ରଥମ ୪୮ ଘଣ୍ଟାରେ ଉଭୟ ରାଜ୍ୟର ୩୯୦ ଜଣ ଚାଷୀ ମୋଟ ୫,୬୩୭ ଟନ୍‌ ଧାନ କ୍ବିଣ୍ଟାଲ ପ୍ରତି ସରକାରୀ ଏମଏସପି ୧୮୬୮ ଟଙ୍କା ଦରରେ ବିକ୍ରି କରି ୧୦ କୋଟି ୫୩ ଲକ୍ଷ ଟଙ୍କା ପାଇଥିବା କୃଷି ମନ୍ତ୍ରଣାଳୟର ତଥ୍ୟ ସାର୍ବଜନୀନ କରିଛି। ୨୦୨୦-୨୧ରେ ସରକାର ୪୯୫.୩୭ ଲକ୍ଷ ଟନ୍‌ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଧାନ ବ୍ୟତୀତ ନୋଡାଲ ଏଜେନ୍ସି ଜରିଆରେ ୨୫ ଲକ୍ଷ ଟଙ୍କା ମୂଲ୍ୟରେ ୩୪.୨୦ ଟନ୍‌ ମୁଗ ସେପ୍ଟେମ୍ବର ୨୪ ତାରିଖରୁ ଆଜି (୨୮ ତାରିଖ) ୪ ଦିନ ଭିତରେ ତାମିଲନାଡୁର ୪୦ ଜଣ ଚାଷୀ ଏମଏସପିରେ ବିକ୍ରି କରିଛନ୍ତି। ଅନୁରୂପ ଭାବେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳର ୩,୯୬୧ ଜଣ କୃଷକ ୫,୦୮୯ ଟନ୍‌ ଖୋପ୍ରା (ନଡିଆ ତେଲ ପ୍ରସ୍ତୁତ ଲାଗି ଶୁଖିଲା ନଡିଆ ଗୁଣ୍ଡ) ୫୨ କୋଟି ୪୦ ଲକ୍ଷ ଟଙ୍କାର ବିକ୍ରି କରିଛନ୍ତି। ସମସ୍ତେ ଏମଏସପି ଦରରେ ବିକ୍ରି କରିଛନ୍ତି। ବିଭିନ୍ନ ରାଜ୍ୟରୁ ମିଳିଥିବା ପ୍ରସ୍ତାବକୁ ସମୀକ୍ଷା କରି କେନ୍ଦ୍ର କୃଷି ମନ୍ତ୍ରଣାଳୟ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ହରିୟାଣା ଭଳି ରାଜ୍ୟର ଚାଷୀଙ୍କଠାରୁ ମୋଟ ୧୩ ଲକ୍ଷ ୭୭ ହଜାର ଟନ୍‌ ଡାଲି ଓ ତୈଳବୀଜ କିଣିବ ବୋଲି ନିଷ୍ପତ୍ତି ନେଇଛି। ଖରିଫ ଡାଲି ଓ ତୈଳବୀଜ କ୍ଷେତ୍ରରେ ଯଦି କୌଣସି ରାଜ୍ୟରେ ଏସବୁର ମୂଲ୍ୟ ଏମଏସପିଠାରୁ କମ୍‌ ଥାଏ, ତେବେ ପ୍ରାଇସ୍‌ ସପୋର୍ଟ ସ୍କିମ୍ (ପିଏସଏସ୍‌) ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କଠାରୁ କିଣିବା ଲାଗି ପ୍ରସ୍ତାବ ଦିଆଯାଇଛି। ଅକ୍ଟୋବର ପହିଲାରୁ କପା ଅମଳ ଆରମ୍ଭ ହେବାକୁ ଥିବାବେଳେ ଦୁଇଦିନ ତଳୁ ଆରମ୍ଭ ହୋଇଥିବା ଧାନ କିଣା ବ୍ୟବସ୍ଥାକୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆର) ତ୍ବରାନ୍ବିତ କରିଛି। ଚାଷୀଙ୍କୁ ଏମଏସପି ମୂଲ୍ୟ ପ୍ରଦାନ ସହିତ ବିକ୍ରିବଟା କ୍ଷେତ୍ରକୁ ସହଜ ଓ ସରଳ କରିବାକୁ ବିଭିନ୍ନ ରାଜ୍ୟର ଏଜେନ୍ସି ଗୁଡିକୁ ଏଫସିଆଇ ନିର୍ଦେଶ ଦେଇଛି। ଧାନ ସଂଗ୍ରହ ଲାଗି ସରକାର ଏକକ ବ୍ୟବସ୍ଥା ପ୍ରଥମ ଥର ଲାଗି ଲାଗୁ କରିଛନ୍ତି। ଏହି ୟୁନିଫର୍ମ ବ୍ୟବସ୍ଥା ସଂପର୍କରେ ଚାଷୀମାନଙ୍କୁ ସଚେତନ କରାଇବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି।
କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ବିରୋଧ କରି ସୋମବାର କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରେ ବନ୍ଦ ପାଳିତ ହୋଇଛି। କର୍ଣ୍ଣାଟକରେ ପାଳିତ ହୋଇଥିବା ୧୨ଘଣ୍ଟିଆ ବନ୍ଦ ପାଳନରେ କୃଷକ ସଂଗଠନ ସହିତ ଶ୍ରମିକ ସଂଗଠନ, ବାମଦଳ, କଂଗ୍ରେସ, ଜେଡିଏସ୍‍ ଓ ଦଳିତ ସଂଗଠନ ସାମିଲ ହୋଇଥିଲେ। ହଜାର ହଜାର ସଂଖ୍ୟାରେ କୃଷକ ରାଜଧାନୀ ବେଙ୍ଗାଲୁରୁରେ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ସମୟରେ ୩୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଥିଲା। ତାମିଲନାଡୁ, ପଞ୍ଜାବ, ଉତ୍ତରପ୍ରଦେଶ ଓ କେରଳରେ ମଧ୍ୟ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋମବାର ଇଣ୍ଡିଆ ଗେଟ ସମ୍ମୁଖରେ କେତେକ ଲୋକ କୃଷି ଆଇନକୁ ବିରୋଧ ପୂର୍ବକ ଏକ ଟ୍ରାକ୍ଟରରେ ନିଅାଁ ଲଗାଇ ଦେଇଥିଲେ। ପୁଲିସ କହିବା ଅନୁଯାୟୀ ୧୫ରୁ ୨୦ ଲୋକ ମାନସିଂ ରୋଡରେ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଟ୍ରାକ୍ଟରଟିକୁ ପୋଡି ଦେଇଥିଲେ। ଏଥିରେ ସାମିଲ ୫ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ପଞ୍ଜାବର କିଷାନ ମଜଦୁର ସଂଘର୍ଷ କମିଟି କହିଛି ଯେ ଅକ୍ଟୋର ୨ ତାରିଖ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଅବ୍ୟାହତ ରହିବ। ତିନି ନୂଆ କୃଷି ଆଇନ ମଧ୍ୟରୁ ଦୁଇଟି ବିରୋଧରେ କେରଳ କଂଗ୍ରେସ ସାଂସଦ ଟିଏନ୍‍ ପଥପନ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଏହା ପ୍ରଥମ ପିଟିସନ। ଆଗାମୀ ଦିନରେ ପଞ୍ଜାବ ମଧ୍ୟ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି। ସେ ହକିଛନ୍ତି ଯେ, କେନ୍ଦ୍ର ସରକାର କୃଷି ବାବଦରେ କିଛି ଜାଣନ୍ତି ନାହିଁ। ଲୋକମାନେ କାହିଁକି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି ତାହା ସରକାର ବୁଝିବାକୁ ଚାହୁଁନାହାନ୍ତି।

Comments are closed.