ବିମୁଦ୍ରିକରଣକୁ ପୁରିଲା ୪ ବର୍ଷ, ଏବେ କେଉଁଠି ଦେଶର ଅର୍ଥନୀତି

ଚାରି ବର୍ଷ ପୂର୍ବେ ଏହି ଦିନ ଅର୍ଥାତ ୨୦୧୬ ମସିହା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମରେ ୫୦୦ ଓ ୧୦୦୦ ଟଙ୍କା ମୂଲ୍ୟର ନୋଟ୍ ମଧ୍ୟରାତ୍ରି ସୁଦ୍ଧା ଅବୈଧ ହୋଇଯିବା ନେଇ ଘୋଷଣା କରିଥିଲେ। ଦେଶରେ କଳା ଟଙ୍କା କାରବାର ବନ୍ଦ କରିବା ଲକ୍ଷ୍ୟରେ ଏହି ଘୋଷଣା ହେବା ପରେ ମଧ୍ୟରାତ୍ର ସୁଦ୍ଧା ପ୍ରାୟ ୮୬ ପ୍ରତିଶତ ଟଙ୍କା ଅବୈଧ ହୋଇଯାଇଥିଲା। ବିମୁଦ୍ରୀକରଣ ନାମରେ ଜଣାଶୁଣା ଏହି ପଦକ୍ଷେପ ଯୋଗୁ ବହୁ ସଂଖ୍ୟାରେ ଲୋକଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିଥିଲା କାରଣ ନୋଟ୍ ବିନିମୟ ପାଇଁ ଲୋକମାନଙ୍କୁ ବ୍ୟାଙ୍କ ଓ ଏଟିଏମଗୁଡିକରେ ଦିନ ଦିନ ଧରି ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା।

ବିମୁଦ୍ରୀକରଣର ତିନୋଟି ମୁଖ୍ୟ ଅର୍ଥନୈତିକ ଉଦ୍ଦେଶ୍ୟ ଥିଲା – କଳା ଟଙ୍କା କାରବାର ବନ୍ଦ କରିବା, ନକଲି ନୋଟର ପ୍ରଚଳନ ଉପରେ ରୋକ ଲଗାଇବା ଏବଂ ନଗଦବିହୀନ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେବା। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ୯୯ ପ୍ରତିଶତରୁ ଅଧିକ ଅବୈଧ ଅର୍ଥ ବ୍ୟାଙ୍କିଂ ବ୍ୟବସ୍ଥାକୁ ଆସିଛି। ୧୫.୪୧ ଲକ୍ଷ କୋଟି ଟଙ୍କାର ଅବୈଧ ନୋଟ୍ ମଧ୍ୟରୁ ୧୫.୩୧ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରି ଆସିଛି। ଏ ନେଇ ୨୦୧୯ ଫେବୃଆରୀରେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସଂସଦକୁ କହିଥିଲେ ଯେ ବିମୁଦ୍ରୀକରଣ ପଦକ୍ଷେପ ମାଧ୍ୟମରେ ୧.୩ ଲକ୍ଷ କୋଟି କଳା ଟଙ୍କା ଫେରି ପାରିଛି।

୨୦୧୬ରେ ଯେତେବେଳେ ବିମୁଦ୍ରୀକରଣ ଆରମ୍ଭ ହୋଇଥିଲା ସେତେବେଳେ ସାରା ଦେଶରେ ୬.୩୨ ଲକ୍ଷ ନକଲି ନୋଟ ଜବତ କରାଯାଇଥିଲା। ଆରବିଆଇ ତଥ୍ୟ ଅନୁଯାୟୀ ଆସନ୍ତା ଚାରି ବର୍ଷ ମଧ୍ୟରେ (2020 ବର୍ଷକୁ ଅନ୍ତର୍ଭୁକ୍ତ କରି) ସମୁଦାୟ ୧୮.୮୭ ଲକ୍ଷ ଖଣ୍ଡ ନକଲି ନୋଟ୍ ସାରା ଦେଶରେ ଜବତ କରାଯାଇଛି। ୨୦୧୯-୨୦ ମଧ୍ୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚିହ୍ନଟ ହୋଇଥିବା ମୋଟ ନକଲି ଭାରତୀୟ ନୋଟ ମଧ୍ୟରୁ ୪.୬ ପ୍ରତିଶତ ରିଜର୍ଭ ବ୍ୟାଙ୍କରେ ଏବଂ ୯୫.୪ ପ୍ରତିଶତ ଅନ୍ୟ ବ୍ୟାଙ୍କ ଦ୍ୱାରା ଚିହ୍ନଟ ହୋଇଛି।

ବିମୁଦ୍ରୀକରଣ ପରବର୍ତ୍ତୀ ବର୍ଷରେ ଜବତ ହୋଇଥିବା ଅଧିକାଂଶ ନକଲି ମୁଦ୍ରା ନୋଟଗୁଡିକ ମଧ୍ୟରେ ୧୦୦ ଟଙ୍କିଆ ନୋଟ ସଂଖ୍ୟା ୨୦୧୯-୨୦ରେ ୧.୭ ଲକ୍ଷ, ୨୦୧୮-୧୯ରେ ୨.୨ ଲକ୍ଷ ଏବଂ ୨୦୧୭-୧୮ରେ ୨.4 ଲକ୍ଷ। ପୂର୍ବ ବର୍ଷ ତୁଳନାରେ ୧୦, ୫୦, ୨୦୦, ୫୦୦ ଏବଂ ୫୦୦ ଟଙ୍କା (ମହାତ୍ମା ଗାନ୍ଧୀ ନୂତନ ସିରିଜ୍) ନାମରେ ଚିହ୍ନଟ ହୋଇଥିବା ନକଲି ନୋଟରେ ୧୪୪.୬ ପ୍ରତିଶତ, ୨୮.୭ ପ୍ରତିଶତ, ୧୫୧.୨ ପ୍ରତିଶତ ଏବଂ ୩୭.୫ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଆରବିଆଇ ତଥ୍ୟ ଦର୍ଶାଇଛି।

ପରବର୍ତ୍ତୀ ଅବସ୍ଥାରେ ବିମୁଦ୍ରୀକରଣର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ ଭାବରେ ନଗଦବିହୀନ ଅର୍ଥନୀତି ସୃଷ୍ଟି କରାଯାଇଛି। ଆରବିଆଇ ତଥ୍ୟ ଅନୁଯାୟୀ, ୨୦୧୬ରୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୧୬.୪ ଲକ୍ଷ କୋଟିରୁ ୨୪.୨ ଲକ୍ଷ କୋଟି ନୋଟ ବ୍ୟବହାରରେ ଥିଲା। ସେହିପରି ୨୦୨୦ ଆର୍ଥିକ ବର୍ଷ ସୁଦ୍ଧା ୟୁପିଏଇ ମାଧ୍ୟମରେ ନଗଦ ବିହୀନ କାରବାର ୯୧.୫୨ କୋଟିରୁ ୧୨୫୧.୮୬ କୋଟିରେ ପହଞ୍ଚିଛି। ୟୁପିଆଇ କାରବାର ମୂଲ୍ୟ ମଧ୍ୟ ୧.୦୯ ଲକ୍ଷ କୋଟିରୁ ୨୧.୩୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Comments are closed.