ବିଜେପିର ପୂର୍ବତନ ସାଂସଦ ଶୀଳା ଗୌତମଙ୍କ ନିଧନ

ଆଲିଗଡ : ଆଲିଗଡର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ଲଗାତର ୪ ଥର ସାଂସଦ ହୋଇଥିବା ଶୀଳା ଗୌତମଙ୍କ ନିଧନ ହୋଇଛି । ଶନିବାର ସନ୍ଧ୍ୟା ସାଢେ ୮ଟାରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଫୁସଫୁସ୍ ସଂକ୍ରମଣ ରୋଗରେ ପୀଡିତ ଥିଲେ । ପୁଅ ରାହୁଲ ଗୌତମଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧୫ ଦିନ ଧରି ଦିଲ୍ଲୀର ପୁଷ୍ପାବତୀ ସିଙ୍ଘାନିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଶୀଳା ଗୌତମ ଚିକିତ୍ସାଧୀନ ଥିଲେ ।

pic courtesy www.jagran.com

ସୂଚନାଯୋଗ୍ୟ, ପୂର୍ବତନ ସାଂସଦ ଶୀଳା ଗୌତମ ୧୯୩୧ ମସିହା ନଭେମ୍ବର ୧୫ରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୦ରେ ସେ ରାଜନୀତି​‌ରେ ଯୋଗ ଦେଇଥିଲେ । ପ୍ରଥମେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ପରେ ୧୯୯୧ ମସିହାରେ ବିଜେପିରେ ସାମିଲ ହୋଇ ଆଲିଗଡ ଲୋକସଭା ଆସନରୁ ଲଢି ସାଂସଦ ହୋଇଥିଲେ । ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ପି.ଭି ନରସିହ୍ମା ରାଓ ଥିଲେ । ୧୯୯୬,୯୮ ଏବଂ ୯୯ ମସିହାରେ ସେ ଲଗାତାର ଭାବେ ୪ ଥର ସାଂସଦ ହୋଇଥିଲେ । ୨୦୧୮ରେ ଫୋର୍ବ୍ସ ମ୍ୟାଗାଜିନରେ ପ୍ରକାଶ ପାଇଥିବା ୧୧୯ ଜଣ ଅରବପତି ଭାରତୀୟଙ୍କ ତାଲିକାରେ ଶୀଳା ଗୌତମ ୮ତମ ସ୍ଥାନରେ ଥିଲେ । ତାଙ୍କର ମୋଟ୍ ସମ୍ପତ୍ତି ୧.୦୧ ଅରବ ଡଲାର ଥିଲା। ୮୮ ବର୍ଷୀୟ ଶୀଳା ଗୌତମ ସ୍ଲିପୱେଲ ଫୋମ କମ୍ପାନୀର ମାଲିକାଣୀ ଥିଲେ ।

Comments are closed.