ଜିଲା ଖଣିଜ ପାଣ୍ଠିରୁ ସାମ୍ବାଦିକ ଭବନ ନିର୍ମାଣ ଦାବି

ବ୍ରଜରାଜନଗର: ଶିଳ୍ପ ତଥା ଖଣି ଖାଦାନରେ ସମୃଦ୍ଧ ବ୍ରଜରାଜନଗର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିବା ସମ୍ବାଦିକମାନେ ଦଶନ୍ଧି ଦଶନ୍ଧି ଧରି ଅବେହେଳାର ଶିକାର ହୋଇ ଆସୁଛନ୍ତି। ସାମାଜିକ ସୁରକ୍ଷାରୁ ଆରମ୍ଭ କରି ସାମ୍ବାଦିକମାନେ ବୃତ୍ତିଗତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଜଟିଳ ପରସ୍ଥିତିରେ ଗତି କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କର ବୃତ୍ତିଗତ କାର୍ଯ୍ୟ ତୁଳାଇବା ପାଇଁ ଘର ଖଣ୍ଡିଏ ନାହିଁ। ଅନ୍ୟମାନଙ୍କ ସମସ୍ୟା ପାଇଁ ସଂଗ୍ରାମ କରି ଆସୁଥିବା ସାମ୍ବାଦିକମାନେ ଖୋଦ ନିଜସ୍ୱ ଗୋଷ୍ଠୀ ପାଇଁ ଏକାଠି ହେବାକୁ ଜାଗା ଖଣ୍ଡିଏ ନ ଥିବାରୁ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର କିମ୍ବା ଖୋଲା ପଡ଼ିଆରେ ବସି ବୈଠକ କରିବାକୁ ପଡ଼ିଥାଏ। ସେପଟେ ନିକଟରେ ଥିବା ଏମସିଏଲ ଓ ଓପିଏମ ପକ୍ଷରୁ ବିଭିନ୍ନ ଅନୁଷ୍ଠାନକୁ କ୍ୱାର୍ଟର ଯୋଗା ଯାଉଥିବା ବେଳେ ସାମ୍ବାଦିକଙ୍କ ଭାଗ୍ୟରେ ତାହା ବି ଜୁଟୁ ନାହିଁ। ଜିଲା ଖଣିଜ ପାଣ୍ଠିରୁ ସରକାର ଶତାଧିକ କୋଟି ସଂଗ୍ରହ କରି ଖଣି ପ୍ରଭାବିତ ଅଞ୍ଚଳ ବାହାରେ ଖର୍ଚ୍ଚ କରୁଥିଲେ ହେଁ ଏହି ପାଣ୍ଠିରୁ ଟଙ୍କା ଦେବାକୁ କୁଣ୍ଠାବୋଧ ପ୍ରକାଶ ପାଉଥିବାରୁ ସମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି। ତେଣୁ ସାମ୍ବାଦିକଙ୍କ ସ୍ୱାର୍ଥ ଦୃଷ୍ଠିରୁ ତୁରନ୍ତ ଜିଲା ଖଣିଜ ପାଣ୍ଠିରୁ ବ୍ରଜରାଜନଗରରେ ଏକ ସାମ୍ବାଦିକ ଭବନ ନିର୍ମାଣ କରିବାକୁ ପୂର୍ବତନ ପୌର-ଉପାଧ୍ୟକ୍ଷ ଜୟନ୍ତ କୁମାର ଦୀକ୍ଷିତ ଦାବି କରିଛନ୍ତି।

ସେହିପରି ଶିଳ୍ପାଞ୍ଚଳରେ ସାମ୍ବାଦିକଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଉଥିବା ବେଳେ ବ୍ରଜରାଜନଗର ସାମ୍ବାଦିକ ଏଥିରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହୁଛନ୍ତି। ରାଜ୍ୟ ସରକାର ନିକଟରେ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଇ ସାମ୍ବାଦିକ ଚିହ୍ନଟ ପ୍ରକ୍ରିଆ ଆରମ୍ଭ କରିଛନ୍ତି। ତେଣୁ ବୀମାଭୁକ୍ତ ସାମ୍ବାଦିକମାନଙ୍କୁ ଏମସିଏଲ କର୍ମଚାରୀଙ୍କ ପରି କେନ୍ଦ୍ରୀୟ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଶ୍ରୀ ଦୀକ୍ଷିତ ଦାବି କରିଛନ୍ତି। ଏହା ସହ ସାମ୍ବାଦିକଙ୍କ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଏମସିଏଲ ପରିଚାଳିତ ସ୍କୁଲ ଗୁଡ଼ିକରେ ମାଗଣା ଶିକ୍ଷା ଦାନ କରିବାକୁ ପୂର୍ବତନ ପୌର ଉପାଧ୍ୟକ୍ଷ ଦାବି କରିଛନ୍ତି।

Comments are closed.