ମତଗୁଞ୍ଜର ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି  

ଗଡ଼ମଧୁପୁର : ଦୁଇ ପଂଚାୟତକୁ ଅଲଗା କରିଛି ମତଗୁଞ୍ଜର ନାଳ। ଧର୍ମଶାଳା ବ୍ଲକର ଜେନାପୁର ଓ ଅଭିଭକ୍ତ କମାଗଡ ପଂଚାୟତର ଦୁଇ ସୀମାନ୍ତ ଗାଁ ଘାସିବର ଓ ଖରିଲୋ ଗ୍ରାମକୁ ଏହି ନାଳ ପରସ୍ପର ଠାରୁ ଅଲଗା କରିଛି। ହେଲେ ଏହି ନାଳ ଉପରେ ବ୍ରିଟିସ ଅମଳରୁ ଏକ ଅଣଓସାରିଆ(ପାଦଚଲା) ପୋଲ ରହିଛି ଯାହା ଲୋକମାନଙ୍କର କୌଣସି କାମରେ ଏବେ ଆସୁ ନାହିଁ। ଏହି ନାଳ ଦେଇ ଢେଙ୍କାନାଳ ଜିଲା ଓ ଯାଜପୁର ଜିଲାର ପାଣି ବ୍ରାହ୍ମଣୀକୁ ନିସ୍କାସିତ ହୁଏ। ଅପରପକ୍ଷେ ବ୍ରାହ୍ମଣୀରେ ବନ୍ୟା ଆସିଲେ ଏହି ପୋଲରେ ଥିବା ସ୍ୱୟଂଚାଳିତ ବ୍ୟାରେଜ ଦ୍ୱାରା ବନ୍ୟାଜଳ ପାଟ ମଧ୍ୟକୁ ପ୍ରବେଶ କରେ। ଆଧୁନିକ ସମୟରେ ଏହି ପୋଲ ଉପରେ ଗୋଟିଏ ମଟର ସାଇକେଲ ଗଲେ ଦ୍ବିତୀୟ ଲୋକପାଇଁ ଚାଲିବା ଅସମ୍ଭବ, ଚାରି ଚକିଆ କିମ୍ବା ବଡଗାଡି କଥା ପଚାରେ କିଏ। ଏଠାରେ ଏକ ସ୍ଥାୟୀ  କଂକ୍ରିଟ ପୋଲ ନିର୍ମାଣ କରାଗଲେ ୧୨ନଂ ଜୋନର ସମସ୍ତ ପଂଚାୟତ ଯଥା ଜେନାପୁର, ଅଣ୍ଟିଆ, କମାଗଡ, ବୃନ୍ଦାଦେଇପୁର, ମସିଶରା, ପୁରୁଣାବଉଳମାଳ, ସଂପାରୁ, ମଝିତାପୁର, ମଧୁସୁଦନପୁର, କବାଟବନ୍ଧ ଆଦି ପଂଚାୟତ ସହିତ ଅନ୍ୟ ପଂଚାୟତର ଜନସାଧାରଣ ଜାତୀୟ ରାଜପଥ ୧୬, ୫୩, ୨୦୦ ନମ୍ବରକୁ ସୁବିଧାରେ ଯାତାୟତ କରିବା ସହିତ ଦ୍ରବ୍ୟ ପରିବହନ କରିବାରେ ସକ୍ଷମ ହୋଇପାରନ୍ତେ। ଏଥି ନିମନ୍ତେ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଅକର୍ଷଣ କରାଯିବା ପାଇଁ ୯ଟି ପଂଚାୟତର ସରପଞ୍ଚ ମାନେ ନିଜସ୍ୱ ଦସ୍ତଖତରେ ଏକ ଆବେଦନପତ୍ର ବିଧାୟକଙ୍କୁ ଦେଇଛନ୍ତି। ପରେ ବିଧାୟକ ଶୀ ଯୁକ୍ତ ପ୍ରଣବ ବଳବନ୍ତରାୟ ଲୋକମାନଙ୍କର ଏହି ସମସ୍ୟାକୁ ଅନୁଧ୍ୟାନ କରିବାକୁ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏଥିସହିତ ଏଠାରେ କଂକ୍ରିଟ ପୋଲର ଆବଶ୍ୟକତାକୁ ହୃଦୟଙ୍ଗମ କରି ଯଥା ଶୀଘ୍ର ଏଠାରେ କଂକ୍ରିଟ ପୋଲ ନିର୍ମାଣର ପ୍ରତିଶୃତି ଦେଇଛନ୍ତି। ୧୨ନଂ ଜୋନର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଦୁଃସାଶନ ସାହୁ ଏହି ପୋଲ ନିମନ୍ତେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସରପଂଚ ମନୋରଂଜନ ପ୍ରଧାନ ବ୍ୟକ୍ତିଗତ ଭାବରେ ନିବେଦନ କରିଥିବା ଜଣାଯାଇଛି। ତେବେ ଏହି ପୋଲ ନିର୍ମାଣର ପ୍ରତିଶୃତି ପରେ ବିଧାୟକଙ୍କୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।

Comments are closed.