ଗୋ ଚାଲାଣ ଓ ହତ୍ୟା ଉପରେ ରୋକ ପାଇଁ ଦାବି

ସମ୍ବଲପୁର : ବିଗତ କିଛି ଦିନ ହେବ ସମ୍ବଲପୁର ତଥା ଏହାର ଆଖପାଖ ଅଞ୍ଚଳରେ ଗୋ ହତ୍ୟା ସହିତ ଅବୈଧ୍ୟ ଭାବରେ ଗୋ ଚାଲାଣ କରାଯାଉଥିବାର ଅଭିଯୋଗ ହେଉଛି। ଏନେଇ ବୁଧବାର ସ୍ଥାନୀୟ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇ ଗୋ ହତ୍ୟା ଓ ଗୋ ଚାଲାଣ ଉପରେ ପ୍ରଭାବୀ ଢ଼ଙ୍ଗରେ ଅଙ୍କୁଶ ଲଗାଇବା ପାଇଁ ଦାବି କରାଯାଇଛି। ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ ଗୋ ହତ୍ୟା ବିରୋଧରେ ଓଡିଶାରେ କଠୋର ଆଇନ ରହିଛି। ଏହା ସହତି ୨୦୦୩ ମସିହାରେ ସମ୍ବଲପୁର ପୌର ପରିଷଦରେ ସର୍ବ ସମ୍ମତିରେ ଗୋ ହତ୍ୟା ସମ୍ପୂର୍ଣ୍ଣ ବନ୍ଦ ଏବଂ କଂସେଇଖାନାକୁ କୌଣସି ମତେ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଏହା ଏବେ ମଧ୍ୟ ବଳବତ୍ତର ରହିଛି। କିନ୍ତୁ ନିଗମ ଅଞ୍ଚଳରେ କର୍ମ ସଂସ୍ଥାନ ପାଇଁ ହଜାର ହଜାର ବଂଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ଗୋ ହତ୍ୟା ବହୁ ଗୁଣରେ ବୃଦ୍ଧି ପାଇଛି, ଯାହା କି ହିନ୍ଦୁ ସମାଜର ଧାର୍ମିକ ଭାବନାକୁ ଆଘାତ ଦେଉଛି। ଯେଭଳି ଭାବରେ ଗୋ ହତ୍ୟା କରାଯାଉଛି ଏବଂ ଅତ୍ୟାଧୁନିକ କଣ୍ଟେନର ଦ୍ୱାରା ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ପଶ୍ଚିମବଙ୍ଗ ଏବଂ ପଶ୍ଚିମବଙ୍ଗ ରୁ ବଙ୍ଗଳାଦେଶକୁ ଚାଲାଣ ହେଉଛି ତାହା ଚିନ୍ତାଜନକ ଅଟେ। ବିଗତ ଦିନରେ ଅଇଁଠାପାଲି ଥାନାଞ୍ଚଳରେ ଗୋଟିଏ ଏବଂ ଗୋଡଭଗା ଅଞ୍ଚଳରେ ୨ଟି କଣ୍ଟେନର ଧରା ପଡିବା ଏହାର ଜ୍ୱଳନ୍ତ ଉଦାହରଣ। ଏଥିରେ କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହାୟତାରେ ଏହି ବେଆଇନ କାର୍ଯ୍ୟ ଚାଲିଛି ବୋଲି ଅଭିଯୋଗ ହୋଇଥିଲା। ଏଣୁ ବିଗତ ଦିନରେ ଧରା ପଡିଥିବା କଣ୍ଟେନର ମାଲିକ, ଏସ୍କର୍ଟ କରୁଥିବା ଗାଡି ମାଲିକ ଓ ଦୁଇ ଗାଡିର ଚାଳକ ସମେତ ଏସ୍କର୍ଟ କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଇ ସେମାନଙ୍କ ଗାଡିରେ ରହିଥିବା ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ଧନୁପାଲି ଥାନାଞ୍ଚଳରେ ଚାଲିଥିବା କଂସେଇଖାନା ସବୁ ବନ୍ଦ କରିବା ପାଇଁ ନିଗମ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଗୋ ହତ୍ୟାକାରୀ ମାନେ ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରୁଥିବାରୁ ସେମାନଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ ବଳରେ ଗିରଫ କରିବା, ନିୟମିତ ଗୋ ଚାଲାଣକୁ ରୋକିବା ପାଇଁ ପୁଲିସର ନିୟମିତ ଯାଞ୍ଚ ଏବଂ ଗୋ ରକ୍ଷା ପାଇଁ କାର୍ଯ୍ୟରତ କିଛି ସାମାଜିକ କର୍ମୀଙ୍କୁ ଯାଞ୍ଚ ପାଇଁ ସ୍ୱତନ୍ତ୍ର ପ୍ରମାଣପତ୍ର ଓ ପରିଚୟ ପତ୍ର ପ୍ରଦାନ, ନିଗମ ଅଞ୍ଚଳରେ ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ ନିର୍ମାଣ, ଦୁଇଟି ପଶୁ ଆମ୍ବୁଲାନ୍ସ, ଗୋଶାଳା ନିର୍ମାଣ, ଅଭିଜ୍ଞ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି କରାଯିବା ପାଇଁ ଦାବି କରାଯାଇଛି। ସମିତି ଗୋ ଖାଦ୍ୟ ଦେବା ଓ ଗୋ ସେବାର ଦାୟିତ୍ୱ ନେବା ପାଇଁ ଆଗ୍ରହୀ ଥିବାରୁ ଏ ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେଉ ଏବଂ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଧ୍ୟାନରେ ରଖାଯାଇ କାର୍ଯ୍ୟ କରାଯାଉ ବୋଲି ସମିତି ଦାବି କରିଛି। ପ୍ରଦତ୍ତ ଦାବିପତ୍ରରେ ସଭାପତି ଗିରିଶ ପଟେଲ, ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ବହିଦାର, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ କୁମାର ବହିଦାର, ପଣ୍ଡିତ ଅମରନାଥ ମିଶ୍ର, କର୍ଣ୍ଣେଲ ପ୍ରଭାତ ପଣ୍ଡା, ଶିବ କୁମାର ଅଗ୍ରୱାଲ, ଜୟବ୍ରତ ଦେ, ଦେବାଶିଷ ପୁରୋହିତ, ଅନ୍ନପୂର୍ଣ୍ଣା ବାରିକ, କାର୍ତ୍ତିକ ପ୍ରସାର ବହିଦାର, ରତନଲାଲ ଅଗ୍ରୱାଲ, ଅବିନାଶ ତିୱାରୀ, ସ୍ନେହଲତା ଦେବୀ, ସୁଷମା ସାହୁ, ଡା. ରାଜକୁମାର ବଡପଣ୍ଡା, ରାମଚନ୍ଦ୍ର ମେହେର, ସରୋଜ ଘଡାଇ, ନରେଶ କୁମାର ଗୁରୁ, ରୁନୁ ପ୍ରଧାନ, ସଞ୍ଜୟ ଚାନ୍ଦ, ନନ୍ଦକିଶୋର ମିଶ୍ର, ଶେଖର ସ୍ୱାମୀ, ଆଦିତ୍ୟ ପୁରୋହିତ, ଭଗବତୀ ବିଶି, ଜୟନ୍ତ ମହାପାତ୍ର, କ୍ଷୀରେଶ୍ୱର ପ୍ରଧାନ, ବିଶ୍ୱରଞ୍ଜନ ଜେନା, ଆଶୁତୋଷ ବେହେରା ଙ୍କ ସମେତ ଅନେକ ସଦସ୍ୟଙ୍କ ଦସ୍ତଖତ ରହିଛି। ସମିତି ପକ୍ଷରୁ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜଙ୍କ ପ୍ରଦାନ ପରେ ନିଗମ କମିଶନର ଅନିରୁଦ୍ଧ ପ୍ରଧାନଙ୍କ ମଧ୍ୟ ଏହାର ନକଲ ପ୍ରଦାନ କରି ଗୋ ହତ୍ୟା ଓ ଚାଲାଣ ଉପରେ କଠୋର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।

Comments are closed.