ସ୍ବର୍ଗଦ୍ବାର ନିକଟରେ ମଦ ଦୋକାନକୁ ବିରୋଧ ; ଗାନ୍ଧୀମୂର୍ତ୍ତି ସମ୍ମୁଖରେ ସତ୍ୟାଗ୍ରହ

ପୁରୀ : ସ୍ବର୍ଗଦ୍ବାର ଶ୍ମଶାନ ନିକଟରେ ବିଦେଶୀ ମଦ ଦୋକାନ ଖୋଲାଯିବା ପ୍ରସ୍ତାବକୁ ବିଭିନ୍ନ ସଂଗଠନ ବି​ରୋ‌ଧ କରିଛନ୍ତି। ଗାନ୍ଧୀ ସ୍ମୃତିପୀଠରେ ପୂଜ୍ୟପୂଜା ସଂସଦ ପକ୍ଷରୁ ବୁଧବାର ସତ୍ୟାଗ୍ରହ କରାଯାଇଛି। ରାଜ୍ୟ ସଭାପତି କୃଷ୍ଣ ଜଗଦ୍ଦେବ ଏହାର ନେତୃତ୍ବ ନେଇଥିଲେ। ପୁରୀ ବେଳାଭୂମି ଏବଂ ସ୍ବର୍ଗଦ୍ବାର ନିକଟରେ ମଦ ଦୋକାନ ଖୋଲାଗଲେ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ସୃଷ୍ଟି ହେବବୋଲି ସେ ଅଭିଯୋଗ କରିଛନ୍ତି। ମହୋଦଧି ତୀର୍ଥ ଏବଂ ସ୍ବର୍ଗଦ୍ବାରର ପବିତ୍ରତା ନଷ୍ଟପାଇଁ ପ୍ରଶାସନ ଉଦ୍ୟମ ଚଳାଇଥିବା ଶ୍ରୀ ଜଗଦ୍ଦେବ ପ୍ରକାଶ କରିଛନ୍ତି। ମଦ ରାଜସ୍ବ ବୃଦ୍ଧି ପାଇଁ ପ୍ରଶାସନର ଏଭଳି ଉଦ୍ୟମକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପି ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଭଳି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଜିଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି। ସେଥିରେ ଉଲ୍ଲଖ କରାଯାଇଛି ଯେ ସ୍ବର୍ଗଦ୍ବାର ସମ୍ମୁଖରେ ପୂର୍ବରୁ ରହିଥିବା ବିଦେଶୀ ମଦ ଦୋକାନ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ୨୦୧୫ରେ ବନ୍ଦ କରାଯାଇଥିଲା। ଏବେ ସେଠାରେ ବିଦେଶୀ ମଦ ଦୋକାନ ପୁଣି ଥରେ ଖୋଲିବାକୁ ଜିଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଲଟେରୀ ମାଧ୍ୟମରେ ଜଣେ ମଦ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି।
କାମାକ୍ଷା ପ୍ରଧାନ, ବିଶ୍ବଜିତ ବଡ଼ଜେନା, ଆଦିକନ୍ଦ ଶ୍ରୀଚନ୍ଦନ, ବିଷ୍ଣୁଜୟ ମତଗଜସିଂହ, ଭାସ୍କର ମିଶ୍ର, ହରିହର ମହାପାତ୍ର, ଲକ୍ଷ୍ମୀଧର ଜଗଦ୍ଦେବ, ଦେବପ୍ରସାଦ ସ୍ବାଇଁ ସତ୍ୟାଗ୍ରହରେ‌ ଅଂଶଗ୍ରହଣ କରିଥିଲେ।
ପୁରୀ ବେଳାଭୂମି ନିକଟରେ ୫ଟି ବିଦେଶୀ ମଦ ଦୋକାନ ଖୋଲାଗଲେ ସ୍ବର୍ଗଦ୍ବାର ଶ୍ମଶାନ ସମେତ ମହୋଦଧି ତୀର୍ଥର ଆଧ୍ୟାତ୍ମିକ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ତେଣୁ ମଦ ଦୋକାନ ଖୋଲିବା ନିଷ୍ପତ୍ତି ଯଥାଶୀଘ୍ର ପ୍ରତ୍ୟାହାର କରାଯିବାକୁ ଦାବି କରିଛି ପୁରୀ ବିକାଶ ପରିଷଦ। ରାଜ୍ୟ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Comments are closed.