ଏନ୍ଏଲସି କୋଇଲା ଖଣିରେ କେନ୍ଦ୍ର କୋଇଲା ଏବଂ ଶ୍ରମ ନିୟୋଜନ ମନ୍ତଣାଳୟର ନିର୍ଦ୍ଦେଶକୁ ଉପେକ୍ଷା

ଶ୍ରମିକ ସଂଘ ପକ୍ଷରୁ ନିର୍ଣାୟକ ଆନ୍ଦୋଳନର ଚେତାବନୀ

ରେଙ୍ଗାଲି : କୋଇଲା ଖଣିରେ କାମ କରୁଥିବା ଠିକା ଶ୍ରମିକ ମାନଙ୍କୁ କେନ୍ଦ୍ର ସରକାରଙ୍କ କୋଇଲା ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ପକ୍ଷରୁ ସୁପାରିଶ କରାଯାଇ ଥିବା ମଜୁରୀ, ବୋନସ୍ ଏବଂ ଅନ୍ୟାନ୍ୟ ସୁବିଧା ଲାଗୁ କରି ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ୨୦୨୦ ଡିସେମ୍ବର ୩୧ ତାରିଖ ଦିନ ଗେଜେଟ୍ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । କିନ୍ତୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ମାସ ବିତିଗଲା ପରେ ମଧ୍ୟ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍.ଏଲ୍.ସି କମ୍ପାନୀର ତଲାବିରା (୨) ଏବଂ (୩) କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କୋଇଲା ଏବଂ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ କୌଣସି ସୁବିଧା ଦିଆଯାଉନାହିଁ ବୋଲି ଖିଣ୍ଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର ସଭାପତି କିରଣ ବେହେରା ଅଭିଯୋଗ କରିଛନ୍ତି।

ଏନ୍,ଏଲ୍,ସି ଏବଂ ଏହାର ଏମ୍.ଡି. ଓ ଅଦାନୀ କମ୍ପାନୀ କେନ୍ଦ୍ର କୋଇଲା ଏବଂ ଶ୍ରମ ମନ୍ତ୍ରଣାଳୟର ଗେଜେଟ୍ ବିଜ୍ଞପ୍ତିକୁ ଅଣଦେଖା କରି ମନମୁଖୀ ମେରିରାୟ ଶାସନ ଚାଳାଇଛନ୍ତି ବୋଲି ସଂଘର ସଭାପତି କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ର କୋଇଲା ଏବଂ ଶ୍ରମ ନିୟୋଜନ ମନ୍ତଣାଳୟ ଦ୍ୱାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ ମଜୁରୀ, ବୋନସ୍ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଦାବୀ କରି ସଂଘ ପକ୍ଷରୁ ବିଗତ ଦିନରେ ଅନେକ ଥର ଆନ୍ଦୋଳନ କରାଯାଇଥିବା ବେଳେ ଏନ୍.ଏଲ୍.ସି କମ୍ପାନୀ ଏବଂ ଏହାର ଏମ୍.ଡି. ଓ ଅଦାନୀ କମ୍ପାନୀର ଅଧିକାରୀ ମାନେ କେବଳ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇ ଚାଲିଛନ୍ତି । ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁନାହାନ୍ତି । ଏଣୁ କେନ୍ଦ୍ର କୋଇଲା ଏବଂ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏନ୍.ଏଲ୍.ସି କୋଇଲା ଖଣିରେ କାମ କରୁଥିବା ଠିକା ଶ୍ରମିକ କର୍ମଚାରୀ ମାନଙ୍କୁ ଏରିଅର୍ ସହିତ ମଜୁରି, ବୋନସ୍ ଆଦି ଅନ୍ୟାନ୍ୟ ସୁବିଧା ପ୍ରଦାନ କରାନଗଲେ ନଭେମ୍ବର ୬ତାରିଖ ରୁ ଖଣି କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଚେତାବନୀ ଦେଇଛନ୍ତି । ଦାବୀ ପୁରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ବେହେରା କହିଛନ୍ତି । ଆଜି ସଂଘର ସମ୍ପାଦକ ହିମାଂଶୁଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ରୋହିତ ରାଉତ, ପ୍ରମୋଦ ପ୍ରଧାନ, ଦୋଳଗୋବିନ୍ଦ ରାଉର, ଅରୁଣ ବିଶିଙ୍କୁ ନେଇ ଏକ ପ୍ରତିନିଧି ଦଳ ଏନ୍.ଏଲ୍.ସି ଇଣ୍ଡିଆର ପ୍ରକଳ୍ପ ମୁଖ୍ୟଙ୍କୁ ସାକ୍ଷାତ କରି ଏସଂକ୍ରାନ୍ତରେ ଦାବୀ ପତ୍ର ପ୍ରଦାନ କରିବା ସହିତ ଦାବୀପତ୍ରର ଏକକିତା ଲେଖାଏଁ ନକଲ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରମ କମିଶନର ଏବଂ ରାଜ୍ୟ ଶ୍ରମମନ୍ତ୍ରୀ ଙ୍କୁ ମଧ୍ୟ ପ୍ରଦାନ କରିଥିବାର ଜଣାପଡିଛି ।

Comments are closed.