ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସୁନ୍ଦରଗଡ଼: ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଅନ୍ୟାନ୍ୟ ସମ୍ବେଦଶୀଳ ଘଟଣା ଘଟୁ ସେତେବେଳେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ସମଗ୍ର ଦେଶକୁ ଘଟଣା ସଂପର୍କରେ ଅବଗତ କରାଇବା ସହ ସରକାରଙ୍କୁ ମଧ୍ୟ ଅବଗତ କରାଇଥାନ୍ତି। ଏପରିକି ବହୁ ସ୍ଥାନରେ ଘଟଣା ଘଟିଯାଇଥିଲେ ବି ପ୍ରଶାସନ ଓ ପୁଲିସ ପାଖରେ ଖବର ନଥାଏ। ଗଣମାଧ୍ୟମ ହିଁ ଗୋଟିଏ ମାଧ୍ୟମ ଯାହା ଏହାକୁ ସାମ୍ନାକୁ ଆଣିଥାଏ। ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜନତା କର୍ଫ୍ୟୁ’ ସମୟରେ ଡାକ୍ତର, ପୁଲିସ, ସ୍ୱାସ୍ଥ୍ୟ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ସମେତ ଯେଉଁମାନେ କରୋନା ପାଇଁ ଲଢ଼ୁଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇ ମନୋବଳ ବୃଦ୍ଧି କରିବା ପାଇଁ ଥାଳି, ଘଣ୍ଟ ଓ ତାଳି ବଜାଇବା ପାଇଁ ପରାମର୍ଶ ଦେଇଥିଲେ।

ମୋଦୀ ଜୀଙ୍କ ଏହି ଆହ୍ୱାନକୁ ଦେଶବାସୀ ଗ୍ରହଣ କରି ବେଶ ଉତ୍ସାହର ସହ ପାଳନ କରିଥିଲେ ହେଲେ ବର୍ତ୍ତମାନ କରୋନା ସହ ଲଢ଼ୁଥିବା ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ ସରକାର ସୁରକ୍ଷା ପାଇଁ ଚିନ୍ତା କରି ତାଙ୍କ ବେତନ ଏକ ସାଙ୍ଗେ ପ୍ରଦାନ କରିବା ଓ ସେମାନଙ୍କ ପାଇଁ ଜୀବନବୀମା କରିବାର ଘୋଷଣା କରିଥିଲେ ହିଁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କିଛି ଘୋଷଣା କରିନାହାନ୍ତି। ଫଳରେ କରୋନା ସହ ଏହି ଲଢ଼େଇରେ ସାମିଲ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ଉଦ୍‍ବେଗ ପ୍ରକାଶ ପାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାନା ଓ ବିହାରରେ ସ୍ୱୀକୃତି ପ୍ରାପ୍ତ ଓ ଅଣସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା, ସେମାନଙ୍କ ଜୀବନ ବୀମା ଓ ପେନସନ ବ୍ୟବସ୍ଥା ଲାଗୁ କରିଛନ୍ତି ବୋଲି ସୂଚନା ଦେଇ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଜର୍ଣ୍ଣାଲିଷ୍ଟି ଆସୋସିଏସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର କୁଶୱାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିତ୍ତ ମନ୍ତ୍ରୀଙ୍କୁ ଚିଠି ଲେଖି ଅନ୍ୟ ରାଜ୍ୟମାନଙ୍କରେ ଏହି ବ୍ୟବସ୍ଥା ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଛନ୍ତି। ଅପରପକ୍ଷରେ ଆମ ସରକାର କରୋନା ଲଢ଼େଇରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ଦିନରାତି କାମ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ସୁନ୍ଦରଗଡ଼ ଜିଲା ପ୍ରେସ କ୍ଲବ ସଭାପତି ସୁନିଲ ସିହ୍ନା ଅଭିଯୋଗ କରିଛନ୍ତି। ସୁନିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କ ଜରିଆରେ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଅନ୍ୟ ରାଜ୍ୟ ଭଳି ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଓ ପେନସନ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି।

Comments are closed.