ନ୍ୟାୟ ଦାବିରେ ଆତ୍ମହତ୍ୟା

ଭାବୀ ପତିଙ୍କୁ ହତ୍ୟା, ବିଷ ପିଇଲେ ଭାବୀପତ୍ନୀ,ତାତିଲେ ଲୋକେ, ପୁଲିସ ସହ ମୁହାଁମୁହିଁ, ଢେଲା ମାଡ଼ରେ ୨ ପୁଲିସ ଆହତ ଗାଡ଼ି ଭଙ୍ଗାରୁଜା, ୨ ଗିରଫ, ୨ ଅଟକ

ଛତ୍ରପୁର : ସରିଥିଲା ଲଗ୍ନ ସ୍ଥିର। ଖୁବ୍‌ଶୀଘ୍ର ହୋଇଥାନ୍ତା ବାହାଘର। ମାତ୍ର ପୂର୍ବ ଶତ୍ରୁତା କାରଣରୁ ଭାବୀ ସ୍ବାମୀଙ୍କୁ ପ୍ରଥମେ ଆକ୍ରମଣ ଓ ପରେ ପିଟିପିଟି ହତ୍ୟା କରିବା ଘଟଣାରେ ନ୍ୟାୟ ପାଇଁ ମ୍ରିୟମାଣ ଭାବୀପତ୍ନୀ ଜଣକ ଆଜି ହତ୍ୟାକାଣ୍ଡ ସ୍ଥଳରେ ବିଷପାନ କରି ଜୀବନ ହାରିବା ଘଟଣା ଏଠାରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସର ଅହେତୁକ ଅବହେଳାକୁ ନେଇ ଅସନ୍ତୋଷର ନିଅଁା କୁହୁଳିଛି। ଆଜି ଯୁବକଙ୍କ ଭାବିପତ୍ନୀ ବିଷପାନ କରି ଆତ୍ମହତ୍ୟା କରିବାକୁ ଲୋକେ ସହଜରେ ଗ୍ରହଣକରି ପାରିନାହାନ୍ତି। ଯୁବତୀଙ୍କ ମୃତଦେହ ରଖି ଲୋକେ ରାସ୍ତାରୋକ କରିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ଆକ୍ରୋଶର ଶିକାର ହୋଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଛତ୍ରପୁର ବ୍ଲକର ହଂସପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଖବର ଲେଖା ହେବା ସୁଦ୍ଧା ପ୍ରତିବାଦ ଜାରି ରହିଛି। ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ଆଉ ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳକୁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।
ସୂଚନା ମୁତାବକ, ଛତ୍ରପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ୍ୟ ମନ୍ଦିର ନିକଟରେ ଚଳିତ ମାସ ୨୨ ତାରିଖ ରାତି ୧୧ଟାରେ ହଂସପୁର ଗ୍ରାମର ସିମେଣ୍ଟ ବେପାରୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ପିଟି ପିଟି ନିର୍ମମ ହତ୍ୟା କରାଯାଇଥିଲା। ଘଟଣାର ତିନିଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କାହାରିକୁ ଗିରଫ କରି ନଥିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇଥିଲେ। ଆଜି ମୃତ ବେପାରୀଙ୍କ ଭାବି ପତ୍ନୀ ହଂସପୁର ଗ୍ରାମର ଯୁବତୀ ଆରତି ପାହାନ ବିଷପାନ କରି ଜୀବନ ହାରିଥିଲେ। ଆସନ୍ତା ୧୩ ତାରିଖରେ ନିହତ କୃଷ୍ଣଙ୍କ ସହ ଆରତୀଙ୍କ ବିବାହ ସ୍ଥିର ହୋଇଥିଲା। ମ୍ରିୟମାଣ ହୋଇ ଆଜି ଆରତି ହତ୍ୟାସ୍ଥଳକୁ ଯାଇ ବିଷପାନ କରିଦେଇଥିଲେ। ନିହତ ଭାବୀସ୍ବାମୀଙ୍କୁ ନ୍ୟାୟ ନ ମିଳିବାରୁ ସେ ମଲା ପରେ କୁଆଡେ ନ୍ୟାୟ ମିଳିବ ବୋଲି ମୃତ ଯୁବତୀ ଜଣକ ତାଙ୍କ ଭାବୀ ସ୍ୱାମୀଙ୍କ ଭଣଜା ରାକେଶ ସାହୁଙ୍କ ମୋବାଇଲକୁ ମେସେଜ ପଠାଇଥିଲେ। ଆରତି ସୋମବାର ରାକେଶଙ୍କ ମୋବାଇଲକୁ ହ୍ୱାଟସପ୍‌ରେ ଚାଟିଂ କରି ମାମୁଁଙ୍କୁ ନ୍ୟାୟ ମିଳିବ କି ନାହିଁ, ମୋର ମୃତ୍ୟୁ ପରେ ହିଁ ମାମୁଙ୍କୁ ନ୍ୟାୟ ମିଳିବ, ଏହାଠିକ୍ ହେବ ବୋଲି ମେସେଜ୍ ଦେଇଥିଲେ। ରାକେଶ ଏହାର ପାଲଟା ଜବାବରେ ନ୍ୟାୟ ନିଶ୍ଚୟ ମିଳିବ, କିଛି ଓଲଟା ସିଧା କରନାହିଁ, ମୁଁ ଅଛି, ଦୋଷୀକୁ ଫାଶୀ ମିଳିବ ବୋଲି ଉତ୍ତର ଦେଇଥିଲେ। ତଥାପି ଯୁବତୀ ଜଣକ କୌଣସି କଥା ଶୁଣି ନଥିଲେ। ମନ୍ଦିରକୁ ଯିବାକୁ ଘର ଲୋକଙ୍କୁ କହି ଭାବୀସ୍ବାମୀଙ୍କୁ ହତ୍ୟା କରାଯାଇଥିବା ମନ୍ଦିର ନିକଟକୁ ଯାଇ ସେଠାରେ ବିଷପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଆରତିଙ୍କ ମୃତ୍ୟୁ ଘଟିଥିଲା। ଅକାଳରେ ଦୁଇ ଦୁଇଟି ଜୀବନ ଗଲା ବୋଲି କହି ଗଁାବାସୀ ତାତି ଉଠିଥିଲେ। ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ ତୁରନ୍ତ ଗିରଫ ସହ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବାକୁ ଦାବି କରି ଲୋକେ ଛତ୍ରପୁର-ବଡମାଧପୁର ମୁଖ୍ୟ ରାସ୍ତା ହଂସପୁର ଗ୍ରାମଠାରେ ସକାଳୁ ରାସ୍ତାରୋକ କରିଥିଲେ। ରାସ୍ତାରୋକରେ ଗ୍ରାମର ଆବାଳ ବୃଦ୍ଧବନିତା ସାମିଲ ହୋଇଥିଲେ। ପୁଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସହ ହତ୍ୟାକାରୀଙ୍କୁ ଚିହ୍ନଟ କରି ସାରିଥିଲେ ସୁଦ୍ଧା ସାର୍ବଜନୀନ କରୁ ନ ଥିବାରୁ ଗ୍ରାମବାସୀ ପ୍ରତିକ୍ରୟାଶୀଳ ହୋଇପଡିଥିଲେ। ଆନ୍ଦୋଳନ ଏତେ ଉଗ୍ର ହୋଇଥିଲା ଯେ, ଉତ୍ତ୍ୟକ୍ତ ଲୋକେ ହଂସପୁର ଠାରୁ ଛତ୍ରପୁର ଓ ବ୍ରହ୍ମପୁର ସହରକୁ ହେଉଥିବା ଜଳ ଯୋଗାଣ ପ୍ରକଳ୍ପକୁ ଅଚଳ କରିଦେଇଥିଲେ। ପୁଲିସ ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଛାଡି ଦେଇଥିବା ଗ୍ରାମବାସୀ ଅଭିଯୋଗ କରି ଆନ୍ଦୋଳନକୁ ତୀବ୍ର କରିଥିଲେ।
ପୁଲିସ ଗ୍ରାମରେ ପହଞ୍ଚିବା ପରେ ସ୍ଥିତି ବିଗିଡି ଯାଇଥିଲା। ପୁଲିସ-ଗାଁ ବାସୀ ମୁ ହାଁମୁହିଁ ହୋଇଥିଲେ। ଗ୍ରାମବାସୀଙ୍କ ଟେକା ଓ ପଥର ମାଡରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପିସିଆର୍ ଭ୍ୟାନ ଏବଂ ଚମାଖଣ୍ଡି ଥାନାର ଗୋଟିଏ ଗାଡିର କାଚକୁ ଲୋକେ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧତା ଏବଂ ଗଞ୍ଜାମ ଥାନା ଅଧିକାରୀ ପି.ସ୍ୱରୂପ କିଷାନ ଗ୍ରାମବାସୀଙ୍କ ଟେକାପଥର ମାଡରେ ଆହତ ହୋଇଥିଲେ। ସାମ୍ବାଦିକଙ୍କ ମୋବାଇଲକୁ ଗ୍ରାମବାସୀ ଛଡାଇ ନେଇ ଉତ୍ତୋଳିତ ଭିଡିଓକୁ ଡିଲିଟ୍ କରିଥିଲେ।
ସ୍ଥିତି ଅଧିକ ଉଗ୍ର ହେଉଥିବା ସୂଚନା ପାଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ୍ କୁମାର ରାଏ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଅତିରିକ୍ତ ପୁଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ। କୃଷ୍ଣଚନ୍ଦ୍ର ଗ୍ରାମ ଠାରୁ କିଛି ଦୂର ଟୋଲକେଶ୍ୱର ମନ୍ଦିର ନିକଟରେ ଗତ ୨୧ ତାରିଖ ରାତି ୧୧ଟା ସମୟରେ ଫୋନରେ କଥା ହେଉଥିବାବେଳେ ତାଙ୍କୁ କେହି ପଛପଟୁ ପ୍ରଥମେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଛତ୍ରପୁର ଡାକ୍ତରଖାନା ନିଆଯାଇଥିଲା ଓ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବ୍ୟାବସାୟିକ ଶତ୍ରୁତା ହତ୍ୟାକାଣ୍ଡର କାରଣ ବୋଲି ଭଣଜା ରାକେଶ ଏତଲା ଦେଇଥିଲେ। ପୁଲିସ ହତ୍ୟା ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରିଛି ଓ ଆଉ ୨ଜଣଙ୍କୁ ପଚରାଉଚରା କରୁଛି। ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରୁ ଜଣେ ହଂସପୁର ଗ୍ରାମର ସିମେଣ୍ଟ ବେପାରୀ ଏବଂ ସେମାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ମୃତ ଯୁବତୀ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ତାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି।
ମିଳିଥିବା ସବିଶେଷ ସୂଚନା ମୁତାବକ ସକାଳ ୯ଟାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ରାତି ୧୦ଟାରେ ପ୍ରତ୍ୟାହୃତ ହୋଇଛି। ଯେଉଁ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗ୍ରାମବାସୀ ଆନ୍ଦୋଳନ କରୁଥିଲେ ତାହାକୁ ପୁଲିସ ଥାନାରେ ରଖି ପଚରା ଉଚରା କରୁଛି ବୋଲି ଭିଡ଼ିଓ କଲରେ ଦେଖାଇବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ପଙ୍କଜ ବିଶ୍ବାଳ ଓ ସୀମା ବିଶ୍ବାଳ ଥିବା ସୂଚନା ମିଳିଛି।

Comments are closed.