MEllora 950×100

ଜିଲା ମାନ୍ୟତା ନେଇ ୧୫ ଉପଖଣ୍ଡରେ ଦାବି

ପଦ୍ମପୁର ପ୍ରତିଶ୍ରୁତି ପରେ ତେଜିଲା ଦାବି, ଦାନା ବାନ୍ଧୁଛି ପ୍ରତିବାଦ ଓ ଆନ୍ଦୋଳନ

ଭୁବନେଶ୍ୱର : ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ସାର୍ବଜନୀନ ହେବା ପରେ ଅନ୍ୟୂନ ୧୫ ଉପଖଣ୍ଡକୁ ନୂଆ ଜିଲା ମାନ୍ୟତା ନେଇ ସମ୍ପୃକ୍ତ ଅଞ୍ଚଳରେ ଦାବି ଉଠିଲାଣି। ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲା ମାନ୍ୟତା ପ୍ରତିଶ୍ରୁତି ଦେଇଥିବାରୁ ବାକି ୧୪ ଉପଖଣ୍ଡବାସୀ ଜିଲା ମାନ୍ୟତା ଦାବି ନିଆଁରେ ଘିଅ ଢାଳିଛନ୍ତି । ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଭଳି ପଦକ୍ଷେପ ନେଲେଣି। ମୁଖ୍ୟମନ୍ତ୍ରୀ ପଦ୍ମପୁର ଦାବି ଗ୍ରହଣ କରିଥିବାରୁ ରାଜ୍ୟରେ ଜିଲା ପୁନଃଗଠନ ଆଶା ସଞ୍ଚାର ହୋଇଛି ଏବଂ ଆନ୍ଦୋଳନକାରୀ ଜିଲା ମାନ୍ୟତା ମିଳିବା ଆଶାବାନ୍ଧି ବସିଛନ୍ତି। ଅନ୍ୟପଟେ ସୂଚନା ଅଧିକାର ଆଇନ (ଆରଟିଆଇ)ବଳରେ ମିଳିଥିବା ତଥ୍ୟାନୁଯାୟୀ, ୯ଜିଲାରୁ ନୂତନ ଜିଲା ଗଠନ ନେଇ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଛି। ତେବେ ଓଡ଼ିଶାରେ ନୂଆ ଜିଲା ଗଠନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ କି ଏ ସମ୍ବନ୍ଧରେ ପ୍ରସ୍ତୁତି ବୈଠକ ବସିନାହିଁ।
୧୯୯୩ରେ ୧୩ ଜିଲାକୁ ବିଭାଜନ କରି ୩୦ ଜିଲା ଗଠନ କରାଯିବା ପରବର୍ତ୍ତୀ ସମୟରୁ ରାଜ୍ୟରେ ନୂଆ ଜିଲା ଗଠନ ପାଇଁ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ଜାଣିବା ପାଇଁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି.ଶଙ୍କରପାତ୍ର ଆରଟିଆଇରେ ତଥ୍ୟ ମାଗିଥିଲେ। ଆରଟିଆଇରୁ ମିଳିଥିବା ତଥ୍ୟାନୁଯାୟୀ, ଅନୁଗୋଳ, ବାଲେଶ୍ବର, କଟକ, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲାରୁ ନୂଆ ଜିଲା ଗଠନ ପାଇଁ ଦାବିପତ୍ର ଆସିଛି। ପ୍ରାୟ ୩୦ ବର୍ଷ ତଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ୧୩ ଜିଲାକୁ ଭାଙ୍ଗି ୩୦ ଜିଲା ଗଠନ ହୋଇଥିଲା।
ସେତେବେଳେ ପୁରୀ ଜିଲାକୁ ଭାଙ୍ଗି ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲା ଗଠନ କରାଯାଇ ଥିବାବେଳେ ସେ ସମୟରୁ ରାଜଧାନୀ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲା ଭାବେ ଘୋଷଣା କରିବାକୁ ଦାବି ହୋଇ ଆସୁଛି। ବାଲିଅନ୍ତା, ବାଲିପାଟଣା, ବିଏମସି ଏବଂ ଚନ୍ଦକା ଅଞ୍ଚଳକୁ ନେଇ ଜିଲା ଗଠନ କରିବାକୁ ଦାବି ହେଉଛି। ଗଞ୍ଜାମ ଜିଲାର ଘୁମୁସରକୁ ନୂଆ ଜିଲା ମାନ୍ୟତା ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି। ୮ ବ୍ଲକ ଏବଂ ୪ ନିର୍ବାଚନ ମଣ୍ଡଳକୁ ସାମିଲ କରିବା ଏବଂ ଆବଶ୍ୟକ ଭିତ୍ତିଭୂମି ରହିଥିବା ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଦାବି କରୁଛି। ମୟୂରଭଞ୍ଜ ଜିଲାକୁ ବିଭାଜିତ କରି ରାଇରଙ୍ଗପୁରକୁ ନୂଆ ଜିଲା ମାନ୍ୟତା ପାଇଁ ସେତେବେଳେ ଯେଉଁ ପ୍ରସ୍ତାବ ରହିଥିଲା ଏବେ ସେହି ପ୍ରସ୍ତାବ ଉପରେ ଆନ୍ଦୋଳନ ତେଜିଛି। ସୁନ୍ଦରଗଡ ଜିଲାକୁ ଭାଙ୍ଗି ବଣେଇଁ ଓ ରାଉରକେଲାରେ ନୂଆ ଜିଲା ପ୍ରତିଷ୍ଠା କରିବାକୁ ଦାବି ଉଠିଛି। ୧୯୯୩ରୁ ରାଉରକେଲାକୁ ନୂତନ ଜିଲା ମାନ୍ୟତା ଦାବି ଉଠି ଆସୁଛି। ୯ବ୍ଲକ ବିଶିଷ୍ଟ ବଣେଇଁ ଜିଲା ଘୋଷିତ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପର୍ଯ୍ୟଟନ ଏବଂ ନିଯୁକ୍ତି ସମସ୍ୟାର ସମାଧାନ ହୋଇ ପାରିବ। ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଏବଂ ଟିଟିଲାଗଡକୁ ସ୍ବତନ୍ତ୍ର ଭାବେ ଜିଲା ଘୋଷଣା କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ୫ବ୍ଲକ, ୧୧୩ ପଞ୍ଚାୟତ, ୧ ମ୍ୟୁନିସିପାଲିଟି, ୧ ଏନଏସି ଅଞ୍ଚଳକୁ ନେଇ ଟିଟିଲାଗଡକୁ ନୂତନ ଜିଲା ମାନ୍ୟତା ଦିଆଯାଉ ବୋଲି ମା’ ଘଣ୍ଟାଶୁଣି ଅଟୋ ମହାସଂଘ ଦାବି କରିଛି। ଅନୁଗୋଳ ଏହି ଉପଖଣ୍ଡର ବିକାଶ ପାଇଁ ସ୍ବତନ୍ତ୍ର ଜିଲା ଗଠନ କରାଯାଉ ବୋଲି ତାଳଚେର ସୁରକ୍ଷା ପରିଷଦ ସରକାରଙ୍କ ପାଖରେ ଦାବି ରଖିଛି। ଯାଜପୁର ଜିଲାର ଚଣ୍ଡିଖୋଲକୁ ଜିଲା ମାନ୍ୟତା ଦେବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦର ସ୍ବର ଆରମ୍ଭ ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀ ପୂର୍ବ ପ୍ରସ୍ତାବିତ ଚଣ୍ଡିଖୋଲ ନୂତନ ଜିଲା ଗଠନ ନେଇ ୨୦୧୮ରେ ରାଜସ୍ବ ବିପର୍ଯ୍ୟୟ ବିଭାଗକୁ ଚିଠି ଲେଖିଥିଲେ। ସେହିଭଳି ବାଲେଶ୍ବର ଜିଲାର ଜଳେଶ୍ବର, କେନ୍ଦୁଝର ଜିଲାର ଆନନ୍ଦପୁର, ରାୟଗଡା ଜିଲାର ଗୁଣପୁର, କଳାହାଣ୍ଡି ଜିଲାର ଧର୍ମଗଡ ଏବଂ ଏବେ ବ୍ରହ୍ମପୁର ଜିଲା ମାନ୍ୟତା ପାଇଁ ସଙ୍ଗଠନ ଗୁଡିକ ସଜବାଜ ହେଉଛନ୍ତି।
ଲୋକଙ୍କ ପାଖରେ ପ୍ରଶାସନ କମ ସମୟରେ ପହଞ୍ଚିବା ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁ ଜିଲା ପୁନଃଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ କେତେକ ଉପଖଣ୍ଡ ଜିଲା ମୁଖ୍ୟାଳୟରୁ ୨୫୦ କିମିରୁ ୩୦୦ କିମି ଦୂରରେ ରହିଥିବାରୁ ନୂତନ ଜିଲା ଗଠନ କରିବାକୁ ଦାବି ହେଉଥିଲା। ଜିଲା ଗଠନକୁ ୩୦ବର୍ଷ ବିତିଥିଲେ ମଧ୍ୟ ପରବର୍ତ୍ତୀ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଜିଲା ପୁନଃଗଠନ ପୂର୍ବରୁ ରାଜ୍ୟ ସରକାର ବିଧାନସଭାରେ ଆଲୋଚନା କରି କମିଟି ଗଠନ କରିବା, ପ୍ରସ୍ତାବିତ ଜିଲା ଗଠନ ଉପରେ ଆନୁଷଙ୍ଗିକ ଭିତ୍ତିଭୂମିର ସର୍ବେକ୍ଷଣ, ଭୌଗୋଳିକ ସ୍ଥିତି, ଜନସଂଖ୍ୟା, ଆୟତନ ସର୍ବେକ୍ଷଣ କରିବା ଉପରେ କେବେ ହେଲେ ଆଲୋଚନା କରିନାହାନ୍ତି। କିନ୍ତୁ ପଦ୍ମପୁରକୁ ଜିଲା ମାନ୍ୟତା ପ୍ରତିଶ୍ରୁତି ପରେ ବର୍ତ୍ତମାନ ବିଧାନସଭା ଅଧିବେଶନ ବସିଥିବାରୁ ସରକାର ରାଜ୍ୟରେ ନୂତନ ଜିଲା ଗଠନ ଆଲୋଚନା କରିବେ କି ନାହିଁ ତାହା ଉପ‌େ‌ର ରାଜ୍ୟବାସୀଙ୍କ ନଜର ରହିଛି।

Comments are closed.