ପୁରୀ ପ୍ରଶାସନ ପକ୍ଷରୁ ପୁଣି ଥରେ ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ: କିଛି ଦିନର ବ୍ୟବଧାନ ପରେ ରବିବାର ସକାଳୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାଣ୍ଡ ରୋଡ଼ ନିକଟସ୍ତ ସହରର କେନ୍ଦ୍ର ସ୍ଥଳରେ ଥିବା ମୁନିସିପାଲ ମାର୍କେଟର ୧୫୯ଟି ଦୋକାନ ଗୃହ ସମେତ ଦଇତାପଡା ମାଛ ମାର୍କେଟ ଭଙ୍ଗା ଯାଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଉଛେଦ କାର୍ଯ୍ୟରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୪ଟି ଜେସିବିକୁ ଘର ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ପୂର୍ବରୁ ଏହି ଦୋକାନ ଗୃହଗୁଡିକୁ ‘ବିପଦ ସଂକୁଳ’ ଘୋଷଣା କରାଯାଇଥିଲା।

ଏହି ଉଛେଦ କାର୍ଯ୍ୟକୁ କ୍ଷତିଗ୍ରସ୍ତ ଦୋକାନୀମାନେ ବିରୋଧ କରିବା ସହ ତୁରନ୍ତ ଥଇଥାନ ପାଇଁ ଦାବି କରିଛନ୍ତି। ଇତି ମଧ୍ୟରେ ନବୀକରଣ କାର୍ଯ୍ୟ ପାଇଁ ଅବଢ଼ା ଯୋଜନାରେ ରାଜ୍ୟ ସରକାର ୩୫ କୋଟି ଟଙ୍କା ମଂଜୁର କରିଛନ୍ତି। ତାହା ଏବେ ଟେଣ୍ଡର ପ୍ରକ୍ରିୟାରେ ରହିଛି। ୧୮ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିରେ ୪୫୦ଟି ଦୋକାନ ଗୃହ ଓ ୧୦୦ଟି ଚାରି ଚକିଆ ଯାନ ପାଇଁ ପାର୍କିଙ୍ଗ ରହିବ।

Comments are closed.