ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଗତ ରବିବାରଠାରୁ ମଙ୍ଗଳବାର ଯାଏ ଦିଲ୍ଲୀର ମୌଜପୁର, ଜାଫରାବାଦ ଏବଂ ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ହିଂସାଜନିତ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି। ଗତ ବୁଧବାର ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ଆଉ ୩ ଜଣ ଆହତ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏବେ ବି ଆହୁରି ୨୦୦ରୁ ଅଧିକ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।

ଅନ୍ୟପଟେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହେବା ଏବଂ ଆନ୍ଦୋଳନକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବା ଲାଗି ନିର୍ଦେଶ ମିଳିବା ପରେ ଗତ ବୁଧବାରଠାରୁ ହିଂସା ହ୍ରାସ ପାଇଛି। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ମଙ୍ଗଳବାର ରାତି ଏବଂ ବୁଧବାର ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ସହିତ ସ୍ଥାନୀୟ ଲୋକଙ୍କୁ ଆଶ୍ଵାସନା ଦେଇଛନ୍ତି। ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସେ କହିଛନ୍ତି।

Comments are closed.