ନୂଆ ରୂପ ନେବ ଦିଲ୍ଲୀ ରେଳଷ୍ଟେସନ

ନୂଆଦିଲ୍ଲୀ: ପ୍ରତ୍ୟହ ସାଢ଼େ ୪ଲକ୍ଷ ଯାତ୍ରୀଙ୍କ ସମାଗମ ହେଉଥିବା ଦେଶର ସର୍ବବୃହତ୍‌ ତଥା ଦ୍ବିତୀୟ ସର୍ବାଧିକ ଭିଡ଼ ଷ୍ଟେସନ ଭାବେ ପରିଚିତ ନୂଆଦିଲ୍ଲୀ ରେଳ ଷ୍ଟେସନ ନୂଆ ରୂପ ନେବ। ଖୁବ୍‌ ଶୀଘ୍ର ଏହି ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ରେଲ୍‌ ଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟି (ଆରଏଲଡିଏ) ଓ ଇଣ୍ଡିଆନ ରେଲୱେ ଷ୍ଟେସନ ଡେଭେଳପମେଣ୍ଟ କର୍ପୋରେସନ୍‌ (ଆଇଆରଏସ୍‌ଡିସି) ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଠାରେ ପ୍ରତ୍ୟହ ୪୦୦ ଟ୍ରେନ୍‌ ଯାତାୟାତ କରୁଥିବାବେଳେ ଏହି ସଂଖ୍ୟା କ୍ରମଶଃ ବଢ଼ୁ ଥିବାରୁ ଷ୍ଟେସନର ନବୀକରଣ ଅପରିହାର୍ଯ୍ୟ ହୋଇପଡ଼ିଥିବା ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଏଥିପାଇଁ ୬୮୦ ନିୟୁତ ଡଲାର ବ୍ୟୟ ଅଟକଳ କରାଯାଇଛି। ଏହାର ନିର୍ମାଣ ୪ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରସ୍ତୁତ ଯୋଜନାନୁସାରେ, ନୂଆଦିଲ୍ଲୀ ଷ୍ଟେସନ ଓ ମେଟ୍ରୋ ଷ୍ଟେସନକୁ ‘ସ୍କାଇ ୱାକ୍‌’ ମାଧ୍ୟମରେ ସଂଯୋଗ କରାଯିବ। ଷ୍ଟେସନକୁ ଏକ ବହୁମୁଖୀ ହବ୍‌ରେ ପରିଣତ କରାଯିବ। ଷ୍ଟେସନକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏକାଧିକ ରାସ୍ତା ସଂଯୋଗ କରାଯିବ। ଏତଦ୍‌ବ୍ୟତୀତ ପରିବେଶ ଅନୁକୂଳ ବିଭିନ୍ନ ଅତ୍ୟାଧୁନିକ ବିଧିବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏକାଧିକ କାର୍‌ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ। ପ୍ରାୟ ୩୦ଏକର ଜମିରେ ହୋଟେଲ, ବାଣିଜ୍ୟ କେନ୍ଦ୍ର, ଆମୋଦ ସ୍ଥଳ ଇତ୍ୟାଦି ସ୍ଥାନ ପାଇବ।

Comments are closed.