ଅନ୍ତର୍ଜାତୀୟ କିଡନୀ ର‍୍ୟାକେଟରେ ସମ୍ପୃକ୍ତ ପିଏସ୍‍ଆରଆଇ ହସ୍ପିଟାଲର ସିଇଓ ଗିରଫ

ନୂଆଦିଲ୍ଲୀ/କାନପୁର : ଉତ୍ତରପ୍ରଦେଶ ପୁଲିସ୍‍ ଅନ୍ତର୍ଜାତୀୟ କିଡନୀ ର‍୍ୟାକେଟରେ ସମ୍ପୃକ୍ତି ଅଭିଯୋଗରେ ଦିଲ୍ଲୀର ପୁଷ୍ପାବତୀ ସିଂହାନିୟା ରିସର୍ଚ୍ଚ ଇନଷ୍ଟଚ୍ୟୁଟ୍‍ (ପିଏସଆରଆଇ)ର ସିଇଓ ଡ. ଦୀପକ ଶୁକ୍ଲାଙ୍କୁ ଗିରଫ କରିଛି।
ଶୁକ୍ରବାର ତାଙ୍କୁ ହେପାଜତକୁ ନିଆଯିବା ପରେ ଜେରା ପାଇଁ କାନପୁର ଅଣାଯାଇଥିଲା। ପଚରାଉଚୁରା ବେଳେ ଦୀପକ ଶୁକ୍ଲା ମାନବ ଅଙ୍ଗ ବିକ୍ରି ର‍୍ୟାକେଟରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି। ଏହି ଅନ୍ତର୍ଜାତୀୟ କିଡନୀ ର‍୍ୟାକେଟର ପର୍ଦାଫାସ ଫେବୃଆରୀ ମାସରେ ହୋଇଥିଲା। ଏଥିରେ ଏପର୍ଯ୍ୟନ୍ତ ର‍୍ୟାକେଟର ମୁଖ୍ୟ ଗୌବ ମିଶ୍ରାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇସାରିଛି।
କାନପୁର ଏସ୍‍ପି ରାଜେଶ ଯାଦବ କହିଛନ୍ତି ଯେ ପିଏସ୍‍ଆରଆଇରେ ବେଆଇନ ଭାବେ କିଡ଼ନୀ ପ୍ରତ୍ୟାରୋପଣ କରାଯାଉଥିବାର ପ୍ରମାଣ ମିଳିଥିଲା। ଦଲାଲଙ୍କ ଜରିଆରେ ଏହି ହସ୍ପିଟାଲକୁ ଗରିବ ଲୋକଙ୍କୁ ଅଣାଯାଉଥିଲା ଓ ନକଲି ପାଥୋଲୋଜି ରିପୋର୍ଟରେ କାଗଜପତ୍ର ପ୍ରସ୍ତୁତ କରାଯାଉଥିଲା। ଏହ କିଡ଼ନୀ ର‍୍ୟାକେଟର ନେଟୱାର୍କ ଶ୍ରୀଲଙ୍କା ଓ ତୁର୍କୀ ପର୍ଯ୍ୟନ୍ତ ଲମ୍ବିଛି। ପଚରାଉଚୁରା ସମୟରେ ସିଇଓ ସ୍ୱୀକାର କରିଥିଲେ ଯେ ଦିଲ୍ଲୀର ବଡ଼ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡ. ଟି ରାଜକୁମାର ଏବଂ ଗୌରବ ଏହି ର‍୍ୟାକେଟରେ ସାମିଲ ଅଛନ୍ତି।

Comments are closed.