୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି; ଦିଲ୍ଲୀ ପୁଲିସ ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ, ୨୦ରେ ପରବର୍ତ୍ତୀ ଶୁଣାଣି

ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ବାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ରାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିଶନର ଶୁଣାଣି ସୋମବାର ହୋଇଛି। ଟ୍ରାକ୍ଟର ରାଲି ସମ୍ପର୍କରେ ଦିଲ୍ଲୀ ପୁଲିସ ନିଷ୍ପତ୍ତି ନେଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ସମୟରେ ସଙ୍କେତ ଦେଇଛନ୍ତି। ଏହା ସହିତ ଆସନ୍ତା ୨୦ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଦିଲ୍ଲୀ ପୁଲିସ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ପିଟିଶନ ଦାୟର କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ କହିଥିଲେ, କୃଷକମାନଙ୍କ ଟ୍ରାକ୍ଟର ରାଲି ଉପରେ ପ୍ରଶାସନ ରୋକ୍‌ ଲଗାଇପାରିବ। କିନ୍ତୁ କୋର୍ଟଙ୍କ ତରଫରୁ ଯଦି ରୋକ୍‌ ଲଗାଯାଏ, ତେବେ ଏହାର ଏକ ଭୁଲ ବାର୍ତ୍ତା ଯିବ।

କୋର୍ଟ ଆହୁରି କହିଥିଲେ, ରାମଲୀଳା ମଇଦାନରେ ବିକ୍ଷୋଭ ଅନୁମତିକୁ ନେଇ ଦିଲ୍ଲୀ ପୁଲିସ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ। ସହରରେ କେତେ ଲୋକ କେମିତି ଆସିବେ ତାହା ପୁଲିସ ସ୍ଥିର କରିବ। ପୁଲିସ ଆକ୍ଟ ଅଧୀନରେ ସରକାରଙ୍କ ପାଖରେ କି କ୍ଷମତା ରହିଛି ତାହା କ’ଣ କୋର୍ଟଙ୍କୁ କହିବାକୁ ପଡ଼ିବ କି ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ପ୍ରଶ୍ନ କରିଥିଲେ।

Comments are closed.