ତୀସ୍‌ ହଜାରୀ ହିଂସା: ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟ ବାହାରେ ଗତ ୨ ତାରିଖରେ ପୁଲିସ ଏବଂ ଓକିଲଙ୍କ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ଘଟଣା ମଙ୍ଗଳବାର ନୂଆ ମୋଡ଼ ନେଇଛି। ଗତ ୩ ଦିନ ଧରି ଦେଶବ୍ୟାପୀ ଓକିଲମାନେ ଏହି ଘଟଣାକୁ ବିରୋଧ କରିଆସୁଥିବାବେଳେ ମଙ୍ଗଳବାର ପୁଲିସ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛି। ନ୍ୟାୟ ପାଇଁ ଦିଲ୍ଲୀ ପୁଲିସର ଶତାଧିକ ପୁଲିସ କର୍ମଚାରୀ ମୁଖ୍ୟାଳୟ ବାହାରେ ଧାରଣା ଦେଇଛନ୍ତି।

ଅନ୍ୟପଟେ ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ପୁଲିସ କର୍ମଚାରୀଙ୍କୁ ଭେଟିଛନ୍ତି। ସେ ପୁଲିସ କର୍ମଚାରୀମାନଙ୍କୁ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। କମିଶନର କହିଛନ୍ତି, ଦିଲ୍ଲୀ ପୁଲିସ ପାଇଁ ଏହା ଏକ ପରୀକ୍ଷାର ଘଡ଼ି। ପୁଲିସ ପାଇଁ ସବୁବେଳେ ଚ୍ୟାଲେଞ୍ଜ ରହିଆସିଛି। ଆମେ ବିଭିନ୍ନ ପ୍ରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିଛୁ। ଏହି ସ୍ଥିତିକୁ ଆମେ ପରୀକ୍ଷା ଭଳି ମାନିବା ଏବଂ ଆମକୁ ଯେଉଁ ଦାୟିତ୍ଵ ଦିଆଯାଇଛି ତାହାକୁ ଆମେ ସମ୍ଭାଳିବା ଏବଂ ଆଇନର ରକ୍ଷା କରିବା ବୋଲି କମିଶନର କର୍ମଚାରୀମାନଙ୍କୁ କହିଥିଲେ। ଏହା ସହିତ ସେ ପୁଲିସ କର୍ମଚାରୀମାନଙ୍କୁ ଡ୍ୟୁଟିକୁ ଫେରିବାକୁ ନିବେଦନ କରିଥିଲେ। କିନ୍ତୁ ପୁଲିସ କର୍ମଚାରୀମାନେ କମିଶନରଙ୍କ ଭାଷଣ ସମୟରେ ନାରାବାଜି କରିଥିଲେ। ସେମାନେ ଚିତ୍କାର କରି ‘ପୁଲିସ କମିଶନର କିପରି ହେବ, କିରଣ ବେଦୀ ଯେପରି ହେବ’ କହି ନାରାବାଜି କରିଥିଲେ। ଫଳରେ କମିଶନର ସେଠାରୁ ଫରିଯାଇଥିଲେ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ତୀସ୍‌ ହଜାରୀ କୋର୍ଟ ପରିସରରେ ପାର୍କିଂ ବିବାଦକୁ ନେଇ ପୁଲିସ ଏବଂ ଓକିଲଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଥିଲା। ଉଭୟ ପକ୍ଷ ମଧ୍ୟରେ ମାରପିଟ ଏବଂ ପୋଡ଼ାଜଳା ହୋଇଥିଲା। ଏଥିରେ ୨୦ରୁ ଅଧିକ ପୁଲିସ ଏବଂ ୪୦ ଜଣ ଓକିଲ ଆହତ ହୋଇଥିଲେ। ଘଟଣା ପରେ କୋର୍ଟ ଦୁଇଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିବା ସହିତ ଅନ୍ୟ ୨ ଜଣଙ୍କୁ ଅନ୍ୟତ୍ର ବଦଳି କରିଥିଲେ। କିନ୍ତୁ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା, ଯାହାର ପ୍ରତିବାଦ କରି ପୁଲିସ କର୍ମଚାରୀମାନେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି।

Comments are closed.