କରୋନା ରୋକିବାକୁ ଦେଶରେ ଲାଗିବ ‘‘ ଦିଲ୍ଲୀ ମଡ଼େଲ’’

ସାରା ଦେଶ ଏବେ କରୋନା ସହ ଲଢ଼ୁଛି । ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ବର୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ସୋମବାର) କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସହ କରୋନା ସଂକ୍ରମଣ ନେଇ ଆଲୋଚନା କରିବାକୁ ବୈଠକ ଡ଼ାକିଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଏହି ବୈଠକରେ ଅଧ୍ୟକ୍ଷତା କରିବେ ଏବଂ ଭର୍ଚ୍ୟୁଆଲ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବମାନେ ଏଥିରେ ଯୋଗ ଦେବେ । କରୋନା ସଂକ୍ରମଣ ରୋକିବା ନିମନ୍ତେ ବୈଠକରେ ରାଜ୍ୟମାନଙ୍କୁ କେନ୍ଦ୍ର ଗୃହ ସଚିବ ‘‘ ଦିଲ୍ଲୀ ମଡ଼େଲ’’ ଆପଣେଇବାକୁ ପରାମର୍ଶ ଦେଇପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ପ୍ରଥମରେ କରୋନା ସଂକ୍ରମଣରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଦିଲ୍ଲୀ ସଂକ୍ରମଣ ଉପରେ ଯଥେଷ୍ଟ ନିୟନ୍ତ୍ରଣ ହାସଲ କରିଛି । ଦିଲ୍ଲୀରେ ଯେଉଁ ପଦ୍ଧତିରେ କରୋନା ନିୟନ୍ତ୍ରଣ କରାଯାଇଛି ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ । ଏହା ସହ ବିଭିନ୍ନ ରାଜ୍ୟ କରୋନା ମୁକାବିଲା ନେଇ ଗ୍ରହଣ କରିଥିବା ନୂତନ ବ୍ୟବସ୍ଥା ଓ ଏହାର ଫଳାଫଳ ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ମଡ଼େଲ ସାଧାରଣତଃ ଅଧିକ ନମୁନା ପରୀକ୍ଷା, ହୋମ୍ ଆଇସୋଲେସନ, ଡ଼ାକ୍ତରଖାନାରେ ଶଯ୍ୟା ବୃଦ୍ଧି, ସଠିକ୍ ତଥ୍ୟ,  ପ୍ଲାଜମା ଥେରାପି ଉପରେ ପର୍ଯ୍ୟବେଶିତ । ଅଧିକାଂଶ ରାଜ୍ୟ ଏହି ପଦ୍ଧତି ଆପଣେଇ ସାରିଛନ୍ତି । ଓଡ଼ିଶାରେ ଏହା କାର୍ଯ୍ୟକାରୀ ହୋଇ ସାରିଛି ।   ତେବେ ଏଥିପାଇଁ ୩ଟି ପଦ୍ଧତି ଆପଣେଇବା ସବୁଠାରୁ କଠୋର ବ୍ୟାପାର । ପ୍ରଥମ ହେଉଛି ଟିମ୍ ୱାର୍କ, ଦ୍ବିତୀୟ ହେଉଛି ସକାରାତ୍ମକ ସମାଲୋଚନାକୁ ଗ୍ରହଣ କରି ଭୁଲକୁ ଠିକ୍ କରିବା ଓ ତୃତୀୟ ହେଉଛି ଯେତେ ଖରାପ ପରିସ୍ଥିତି ହେଲେ ମଧ୍ୟ ଆତ୍ମସମର୍ପଣ ନ କରି ପରିସ୍ଥିତି ସହ ଲଢ଼େଇ କରିବା ।

 

Comments are closed.