ରାକେଶ ଆସ୍ଥାନାଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)ର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ୱସ୍ଥି ମିଳିଛି। ହାଇକୋର୍ଟ ଆସ୍ଥାନାଙ୍କୁ ଗିରଫଦାରୀ ଉପରେ ଅକ୍ଟୋବର ୨୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହାସହ ସିବିଆଇକୁ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ସେପଟେ ସିବିଆଇ ଏଫ୍‍ଆଇଆରରେ ସଂଶୋଧନ ପାଇଁ କୋର୍ଟଙ୍କ ଅନୁମତି ମାଗିଛି।
ଗିରଫଦାରୀ ଆଶଙ୍କା ବୃଦ୍ଧି ପାଇବା ପରେ ମଙ୍ଗଳବାର ସକାଳେ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ରୁଜୁ ଦୁର୍ନୀତି ମାମଲାକୁ ରଦ୍ଦ କରିବା ପାଇଁ ସେ ନିବେଦନ କରିଥିଲେ। କୋର୍ଟ ଆସ୍ଥାନାଙ୍କ ମାମଲାର ଶୁଣାଣି କରି ତାଙ୍କୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ସମୟ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଓ ଜାମିନ୍ ବିହିନ ଗିରଫ ପରୱାନା ଜାରି ନ କରିବାକୁ କୁହାଯାଇଛି । କୋର୍ଟରେ ଆସ୍ଥାନାଙ୍କ ଓକିଲ ଦର୍ଶାଇଥିଲେ ଯେ ଆସ୍ଥାନା ଯେଉଁ ଲୋକଙ୍କୁ ଗିରଫ କରିବା ପାଇଁ ସୁପାରିଶ କରିଥିଲେ ସେହି ଲୋକର ଅଭିଯୋଗ ଆଧାରରେ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସରକାର ଏବଂ କୋର୍ଟଙ୍କ ଅନୁମତି ନ ନେଇ ଆସ୍ଥାନାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ସିବିଆଇ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା ଯେ ଆସ୍ଥାନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଦୁର୍ନୀତି ନିରୋଧ ଆଇନ, ଅପରାଧିକ ଷଡ଼ଯନ୍ତ୍ର, ଲାଞ୍ଚ ନେବା ଏବଂ ଠକେଇ ଭଳି ଅଭିଯୋଗ ରହିଛି। ପ୍ରକାଶଯୋଗ୍ୟ ଯେ ଏହି ମାମଲାରେ ସୋମବାର ସିବିଆଇ ଡିଏସ୍‍ପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି।
ମାଂସ ରପ୍ତାନିକାରୀ ମୋଇନ କ୍ୟୁରେସିର ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗ ପୂର୍ବକ ରାକେଶ ଆସ୍ଥାନାଙ୍କ ବିରୋଧରେ ସିବିଆଇ ଲାଞ୍ଚ ମାମଲା ରୁଜୁ କରିଥିଲେ। ତେବେ ରାକେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସିବିଆଇ ଅନୁମତି ନେଇ ନାହିଁ। ଲାଞ୍ଚ ମାମଲା ରୁଜୁ ପରେ ରାକେଶ ଆସ୍ଥାନା ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛନ୍ତି। ଆଲୋକ ବର୍ମାଙ୍କ ବିରୋଧରେ ରାକେଶ କ୍ୟାବିନେଟ ସଚିବ ଓ ସିଭିସିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଉଲ୍ଲେଖ ଯେ ସିବିଆଇର ନିର୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ଆଭ୍ୟନ୍ତରୀଣ କନ୍ଦଳର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟଙ୍କୁ ଆଲୋଚନା ପାଇଁ ଡାକିଛନ୍ତି।

Leave A Reply