ଶିକ୍ଷା ପାଇଁ ପାଣ୍ଠି ଯୋଗାଇବାକୁ ସରକାର ବାଧ୍ୟ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ସରକାରୀ ଶିକ୍ଷାନୁଷ୍ଠାନରେ ଠିକା କର୍ମଚାରୀଙ୍କ ଦରମା ବୋଝକୁ ସରକାର ପିଲାମାନଙ୍କ ଉପରେ ଲଦି ଦେଇପାରିବେ ନାହିଁ। ଦରମା ବୋଝ ଲାଗି ସରକାର ଅନ୍ୟ ବିକଳ୍ପ ବାହାର କରିବାର ଦରକାର। ଏହା ସହିତ ସରକାର ସରକାରୀ ଶିକ୍ଷାନୁଷ୍ଠାନକୁ ପାଣ୍ଠି ଯୋଗାଇବାକୁ ବାଧ୍ୟ ଅଟନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କହିଛନ୍ତି। ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ହଷ୍ଟେଲ ଦେୟ ବୃଦ୍ଧିକୁ ବିରୋଧ କରି ଦାୟର ପିଟିସନର ଶୁଣାଣି କାଳରେ ହାଇକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି। ଏହା ସହିତ ୱିଣ୍ଟର ସେମିଷ୍ଟର ଲାଗି ପଞ୍ଜୀକରଣ କରି ନଥିବା ଅବଶିଷ୍ଟ ଛାତ୍ରଙ୍କୁ ପୁରୁଣା ହଷ୍ଟେଲ ଦେୟ ଆଧାରରେ ଅନୁମତି ଦେବାକୁ ଜେଏନୟୁ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ହଷ୍ଟେଲ ଦେୟ ବୃଦ୍ଧି ସମ୍ପର୍କିତ ପିଟିସନର ଶୁଣାଣି ସମୟରେ ଜେଏନୟୁ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ପିଙ୍କି ଆନନ୍ଦ କହିଥିଲେ ଯେ ୟୁଜିସିଙ୍କ ନିର୍ଦେଶକ୍ରମେ ସମସ୍ତ ବିଶ୍ବବିଦ୍ୟାଳୟର ହଷ୍ଟେଲ ଦେୟ ବୃଦ୍ଧି କରାଯାଇଛି।

ବିଶ୍ବବିଦ୍ୟାଳୟ ଗୁଡିକରେ କାର୍ଯ୍ୟ କରୁଥିବା ଦିନ ମଜୁରିଆ, ଠିକା କର୍ମଚାରୀ ଓ ଆଉଟ ସୋର୍ସିଂ କର୍ମଚାରୀଙ୍କ ଦରମା ବୋଝ ଭରଣା ପାଇଁ ହଷ୍ଟେଲ ଦେୟ ବୃଦ୍ଧି କରାଯାଇଛି। ଏଏସ୍‌ଜିଙ୍କ ଏପରି ଯୁକ୍ତି ପରେ ହାଇକୋର୍ଟ ବିଚାରପତି ରାଜୀବ ସକଦେର କହିଥିଲେ ଯେ କର୍ମଚାରୀଙ୍କ ଦରମା ପାଇଁ ବିଶ୍ବବିଦ୍ୟାଳୟ ଅନ୍ୟ ବିକଳ୍ପ କିମ୍ବା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଠାରୁ ପାଣ୍ଠି ଆଣିବା ଦରକାର। ସରକାର ଶିକ୍ଷାନୁଷ୍ଠାନକୁ ପାଣ୍ଠି ଯୋଗାଇବାକୁ ବାଧ୍ୟ। ସରକାର ନିଜକୁ ଏଥରୁ ଦୂରେଇ ରଖିପାରିବେ ନାହିଁ। ନୂଆ ହଷ୍ଟେଲ ଦେୟ ଆଧାରରେ ୯୦ ପ୍ରତିଶତ ପିଲା ୱିଣ୍ଟର ସେମିଷ୍ଟର ପାଇଁ ପଞ୍ଜୀକରଣ କରିସାରିଛନ୍ତି। ଅବଶିଷ୍ଟ ପିଲାଙ୍କୁ ପୁରୁଣା ଦେୟ ଆଧାରରେ ପଞ୍ଜୀକରଣ ସମ୍ଭବ ନୁହେଁ ବୋଲି ଏଏସଜି କହିଛନ୍ତି। ତେବେ ହାଇକୋର୍ଟ ଅବଶିଷ୍ଟ ପିଲାଙ୍କୁ ପୁରୁଣା ହଷ୍ଟେଲ ଦେୟ ଆଧାରରେ ପଞ୍ଜୀକରଣ କରାଇବାକୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ୟୁଜିସିକୁ ନୋଟିସ ଜାରି କରି ନୂଆ ହଷ୍ଟେଲ ଦେୟ ସମ୍ପର୍କରେ ମତ ଲୋଡିଛନ୍ତି। ଜେଏନୟୁର ହଷ୍ଟେଲ ଦେୟ ବୃଦ୍ଧିକୁ ନେଇ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ ପକ୍ଷରୁ ପିଟିସନ ଦାୟର ପୂର୍ବକ ଏହାର ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ହଷ୍ଟେଲ ଦେୟ ଦେୟ ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରି ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ବିକ୍ଷୋଭ ସମୟରେ ଗତମାସରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବିଶ୍ବବିଦ୍ୟାଳୟ ପରିସରରେ ତୁମୁଳ କାଣ୍ଡ ଘଟିବା ସହିତ ଛାତ୍ର ଓ ଶିକ୍ଷକ ଆହତ ହୋଇଥିଲେ।

Comments are closed.