ଦିଲ୍ଲୀ ହିଂସା: ପୀଡିତଙ୍କ ଥଇଥାନ ଓ ଡାକ୍ତରୀ ଚିକିତ୍ସା ନେଇ ପୁଲିସକୁ ରିପୋର୍ଟ ମାଗିଲେ ଦିଲ୍ଲୀ ହାଇକୋର୍ଟ

ସମାଜ ପୋର୍ଟାଲ ଡେସ୍କ: ଗତ ସପ୍ତାହରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାରେ ପ୍ରଭାବିତ ଲୋକଙ୍କ ଚିକିତ୍ସା ତଥା ପୁନଃଥଇଥାନ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୋମବାର ଦିଲ୍ଲୀ ହାଇକୋର୍ଟ ପୁଲିସକୁ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ପ୍ରଧାନ ବିଚାରପତି ଡି. ଏନ୍. ପଟେଲ ଏବଂ ଜଷ୍ଟିସ୍ ସି. ହରି. ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ଏପ୍ରିଲ୍ ୩୦ରେ ଏହାର ପରବର୍ତ୍ତୀ ଶୁଣାଣି ଦିନ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଇନଜୀବୀ ରାହୁଲ ମେହେରା କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ରବିବାର ସନ୍ଧ୍ୟାରେ ହିଂସା ନେଇ ଗୁଜବ ବ୍ୟାପିଥିଲା ଏବଂ ପୁଲିସ ସେଭଳି ଗୁଜବ ପ୍ରସାର ବନ୍ଦ କରିବାରେ ସଫଳ ହୋଇଥିଲା। ସମ୍ପ୍ରତି ହିଂସା ଘଟଣାରେ ଆହତଙ୍କ ପାଇଁ ଆମ୍ବୁଲାନ୍ସର ସୁରକ୍ଷିତ ଯାତାୟାତ ତଥା ଅନ୍ୟାନ୍ୟ ଚିକିତ୍ସା ସହାୟତା ଯୋଗାଇଦେବା ନେଇ ରାହୁଲ ରାୟ ନାମକ ବ୍ୟକ୍ତି କୋର୍ଟରେ ଆବେଦନ କରିଥିଲେ।

ଏହି ମାମଲାରେ ଗତ ସପ୍ତାହରେ କୋର୍ଟ ମଧ୍ୟରାତ୍ରିରେ ଶୁଣାଣି କରିଥିଲେ ଏବଂ ପୀଡିତଙ୍କ ସୁରକ୍ଷିତ ଯାତାୟାତ ସହ ଜରୁରୀକାଳୀନ ଚିକିତ୍ସା ନିଶ୍ଚିତ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଗତ ସପ୍ତାହରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଘଟଣାରେ ୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ ଜଣ ଆହତ ହୋଇଛନ୍ତି।

Comments are closed.