ମହଙ୍ଗା ଭତ୍ତା ବୃଦ୍ଧି ସ୍ଥଗିତ ରଖିବା ନେଇ କେନ୍ଦ୍ର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଦାୟର ଏକ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସରକାରଙ୍କ ପାଖରେ ଏଭଳି ନିଷ୍ପତ୍ତି ନେବାର କ୍ଷମତା ରହିଛି। ଆବେଦନର ବିଚାର କରି ଜଷ୍ଟିସ୍ ବିପିନ ସାଂଘି ଏବଂ ରଜନୀଶ ଭଟନଗରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅଲ୍ ଇଣ୍ଡିଆ ସର୍ଭିସେସ୍ (ଡିଏ) ନିୟମ, ୧୯୭୨ ଅନୁଯାୟୀ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ସ୍ଥିର କରନ୍ତି ଏବଂ ଏଥିପାଇଁ ଯେକୌଣସି ସର୍ତ୍ତ ଲାଗୁ କରିପାରିବେ।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ନିୟମିତ ବ୍ୟବଧାନରେ ଡିଏ ବୃଦ୍ଧି କରିବା ନେଇ କେନ୍ଦ୍ର ସରକାର ବାଧ୍ୟ ନୁହନ୍ତି। ତେଣୁ କେନ୍ଦ୍ର ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ୍‌ଭୋଗୀ ନିୟମିତ ବ୍ୟବଧାନରେ ଅଧିକ ମହଙ୍ଗା ଭତ୍ତା ପାଇବାର କୌଣସି ଅଧିକାର ନାହିଁ। ଅନ୍ୟ ପକ୍ଷରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଚାରି ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ବିଳମ୍ବ କରିବା କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରି ମଧ୍ୟ ଆବେଦନ କରାଯାଇଛି। କୋର୍ଟ ମଧ୍ୟ ଏହି ପ୍ରସଙ୍ଗକୁ ଖାରଜ କରିବା ସହ ଏହା ସରକାରଙ୍କ କ୍ଷମତା ବୋଲି କହିଛନ୍ତି।

Comments are closed.