ଆରବିଆଇଙ୍କୁ ହାଇକୋର୍ଟଙ୍କ ଜବାବ ତଲବ; ବିନା ମଞ୍ଜୁରୀରେ କିପରି ଚାଲିଛି ଗୁଗଲ ପେ’

ନୂଆଦିଲ୍ଲୀ : ଭାରତରେ ଖୁବ୍‍ ଲୋକପ୍ରିୟ ଡିଜିଟାଲ ପେମଣ୍ଟ ଆପ ‘ଗୁଗଲ ପେ’କୁ ନେଇ ବୁଧବାର ଦିଲ୍ଲୀ ହାଇକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କୁ ଜବାବ ତଲବ କରିଛନ୍ତି। ଏନେଇ ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଆରବିଆଇ ଏବଂ ଗୁଗଲ ଇଣ୍ଡିଆକୁ ଜବାବ ମାଗିଛନ୍ତି। ଆରବିଆଇର ବିନା ମଞ୍ଜୁରୀରେ ଏହି ପେମଣ୍ଟ ଆପ ଭାରତରେ କିପିରି ଚାଲିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଆବେଦନକାରୀ ଦାବି କରିଛନ୍ତି ଯେ ଆରବିଆଇ ମଞ୍ଜୁରୀ ବିନା ଭାରତରେ ଗୁଗଲ ପେ’ ଆପ ଚାଲିଛି। ଦିଲ୍ଳୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଏବଂ ଜଷ୍ଟିସ୍‍ ଏଜେ ଭଂଭାନୀଙ୍କ ପୀଠ ଏହି ମାମଲାରେ ଆରବିଆଇକୁ ଜବାବ ମାଗିଛନ୍ତି। ଗୁଗଲ ପେ’ ପେମଣ୍ଟ ଆପକୁ ବ୍ୟାଙ୍କଗୁଡ଼ିକରୁ କୌଣସି ବୈଧ ପ୍ରମାଣପତ୍ର ମିଳିନାହିଁ। ଗୁଗଲ ପେ’ ଅଧିନିୟମକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ଭାରତରେ ଚାଲିଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ଆରବିଆଇ ପକ୍ଷରୁ ମାର୍ଚ୍ଚ ୨୦ରେ ଜାରି ସ୍ୱୀକୃତିପ୍ରାପ୍ତ ‘ଦେୟ ପ୍ରଣାଳୀ ଅପରେଟର’ ତାଲିକାରେ ଗୁଗଲ ପେ’ ନାମ ନାହିଁ। ଏହି ତାଲିକା ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି।

Comments are closed.