ଦିଲ୍ଲୀ ଅଗ୍ନିକାଣ୍ଡ: ନିଦରେ ଶୋଇଥିଲେ, ନିଆଁରେ ଜଳିଗଲେ

ନୂଆଦିଲ୍ଲୀ: ରବିବାର ଭୋର ସମୟରେ ଦିଲ୍ଲୀର ରାଣୀ ଝାନ୍‌ସୀ ରୋଡ୍‌ରେ ଥିବା ଏକ ମଣ୍ଡିରେ ଅଗ୍ନିକାଣ୍ଡ ଘଟି ୪୩ ଜଣଙ୍କ ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ୫୬ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ମଣ୍ଡିରେ ନିଆଁ ଲାଗିବା ପରେ ଏହା ତୃତୀୟ ମହଲାରେ ଥିବା ଏକ ପ୍ୟାକେଜିଂ ଫ୍ରାକ୍ଟ୍ରିକୁ ବ୍ୟାପିଯାଇଥିଲା। ଫାକ୍ଟ୍ରି ଏବଂ ମଣ୍ଡିରେ ପ୍ରାୟ ୧୫୦ କର୍ମଚାରୀ ଥିଲେ। ଅଧିକାଂଶ କର୍ମଚାରୀ ନାଇଟ୍‌ ସିଫ୍ଟ ପରେ ନିଦରେ ଶୋଇଥିଲେ। ଫଳରେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ୩ୟ ମହଲାରେ ଥିବା ଫାକ୍ଟ୍ରିରେ ମଧ୍ୟ ଶୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଧୂଆଁ କବଳରେ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଚେତାଶୂନ୍ୟ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ମୃତ୍ୟୁ ସଂଖ୍ୟ ବଢ଼ିବାର ବଡ଼ କାରଣ ହେଉଛି ସେହି ଅଞ୍ଚଳ। ମଣ୍ଡି ଏବଂ ଫାକ୍ଟ୍ରି ଚାଲିଥିବା କୋଠାଟି ଯେଉଁ ଅଞ୍ଚଳରେ ରହିଛି ସେଠାକୁ ଯିବା ଲାଗି ଚଉଡ଼ା ରାସ୍ତା ନାହିଁ। ଫଳରେ ନିଆଁ ଲାଗିବା ପରେ ଅଗ୍ନିଶମବାହିନୀ ଓ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ଉକ୍ତ ସ୍ଥାନକୁ ଯିବାରେ ସମସ୍ୟା ହୋଇଥିଲା। ସଂକୀର୍ଣ୍ଣ ରାସ୍ତା ଯୋଗୁ ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଉଦ୍ଧାର କାର୍ଯ୍ୟ ଠିକ୍‌ ଭାବେ ହୋଇପାରି ନ ଥିଲା। ଫଳରେ ଅଧିକ ଲୋକ ନିଆଁ ଫାଶରେ ପ୍ରାଣ ହରାଇଥିଲେ। ଉଦ୍ଧାର ପରେ ଲୋକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବାରେ ବି ବାଧା ଉପୁଜିଥିଲା।

Comments are closed.