ଅପରାଜେୟ ‘ଆପ୍‌’ ଓ ଭାରତୀୟ ଗଣତନ୍ତ୍ର

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌)ର କ୍ରମାଗତ ବିପୁଳ ବିଜୟ (୭୦ରୁ ୬୨ ଆସନ) ଓ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟି (ବିଜେପି)ର ଶୋଚନୀୟ ପରାଜୟ (ମାତ୍ର ୮ଟି ଆସନ/କଂଗ୍ରେସ ୦) ଭାରତୀୟ ଗଣତନ୍ତ୍ରର କେତୋଟି ପ୍ରମୁଖ ଦିଗକୁ ସୂଚିତ କରିଥାଏ, ଯାହାର ଚିହ୍ନଟ ଗୁରୁତ୍ବପୂର୍ଣ୍ଣ। ଅନେକ ହୁଏତ ଦିଲ୍ଲୀ ଭଳି ଏକ କ୍ଷୁଦ୍ର କେନ୍ଦ୍ରଶାସିତ ପ୍ରଦେଶର ନିର୍ବାଚନ ପରିଣାମ ବାକି ଭାରତ ପାଇଁ ସେତେଟା ମହତ୍ତ୍ବପୂର୍ଣ୍ଣ ନୁହେଁ ବୋଲି ଭାବିପାରନ୍ତି; କିନ୍ତୁ ନିରିଖେଇ ଦେଖିଲେ ବୁଝିହେବ ଯେ ଏଥିରେ ଏଭଳି କେତେକ ରାଜନୀତିକ/ସାମାଜିକ/ସାଂସ୍କୃତିକ ଆଖ୍ୟାନ ରହିଛି, ଯାହା ଦୃଷ୍ଟାନ୍ତଯୋଗ୍ୟ।
ପ୍ରଥମ: କ୍ଷମତାସୀନ କ୍ଷୁଦ୍ର ଆଞ୍ଚଳିକ ଦଳ ଆପ୍ ସହ ଲଢ଼ିବା ପାଇଁ ଅନ୍ୟ ଜାତୀୟ ଦଳ, ବିଶେଷତଃ ବିଜେପି ଯେଭଳି ନକାରାତ୍ମକ ପ୍ରଚାର କରିଥିଲା, ତାହା ଅଭୂତପୂର୍ବ ନହେଲେ ବି ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁରୂପ ନଥିଲା (ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କୁ ‘ଆତଙ୍କବାଦୀ’ ଅଭିହିତ କରିବା/ ‘ଗୋଲି ମାରୋ..’ (ଗୁଳି ମାର) ସ୍ଲୋଗାନ ଇତ୍ୟାଦି)। ବିଚାରବନ୍ତ ମତଦାତାଙ୍କୁ ଏହା ପସନ୍ଦ ନଆସିବା ସ୍ବାଭାବିକ। ଅନ୍ୟପକ୍ଷରେ ଆପ୍ ନେତୃବୃନ୍ଦ, ବିଶେଷକରି କେଜରିୱାଲ ପୂର୍ବାପେକ୍ଷା ଅଧିକ ପରିପକ୍ବତା ଦେଖାଇ ଏ ନିର୍ବାଚନରେ ନିଜର ରାଜନୀତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ସମାଲୋଚନା ବଦଳରେ ଜନସାଧାରଣଙ୍କ ଜୀବନଜୀବିକାର ମାନ ବୃଦ୍ଧି କଲାଭଳି ଜରୁରୀ ପ୍ରସଙ୍ଗରେ ତାଙ୍କ ସରକାର କ’ଣ କରିଛି ଓ ଭବିଷ୍ୟତରେ କ’ଣ କରିବାକୁ ଚାହୁଁଛି, ତା’ର ରୂପରେଖ ଉପସ୍ଥାପନ କଲେ। ଭାରତବର୍ଷରେ ହିନ୍ଦୁ-ମୁସଲମାନ/ପାକିସ୍ତାନ/ଯୁଦ୍ଧବିଗ୍ରହ ଇତ୍ୟାଦି ଭାବପ୍ରବଣ ପ୍ରସଙ୍ଗଗୁଡ଼ିକ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ପାଲଟୁଥିବାବେଳେ (ବିଜେପି ପାଖରେ ଏତଦ୍‌ଭିନ୍ନ ଅନ୍ୟ ପ୍ରସଙ୍ଗ ନଥିଲା) କେଜରିୱାଲଙ୍କ ସକାରାତ୍ମକ ପ୍ରଚାର ଭାରତୀୟ ରାଜନୀତିକ ଇତିହାସର ଏକ ଉଲ୍ଲେଖନୀୟ ଘଟନା। ତଥାକଥିତ ରାଷ୍ଟ୍ରବାଦକୁ ଗୁରୁତ୍ବ ଦିଆଯାଇଥିଲା (ଶାହିନବାଗ ନାଗରିକତ୍ବ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ପରିପ୍ରେକ୍ଷୀରେ), ତାକୁ ମଧ୍ୟ ସେ ଅନାୟାସରେ କାଟି ବିଜେପିକୁ ଚକ୍‌ମା ଦେବା ସହ ନିଜ ସପକ୍ଷରେ ଜନମତକୁ ନେବାରେ ସମର୍ଥ ହୋଇଛନ୍ତି। ତାଙ୍କୁ ମୁସଲମାନ-ସପକ୍ଷବାଦୀ ଓ ହିନ୍ଦୁ-ବିରୋଧୀ ଭାବେ ଅଭିହିତ କରିବାର ଯୋଜନାକୁ କେଜରିୱାଲ ପଣ୍ଡ କରିଦେବା ସହ ହିନ୍ଦୁତ୍ବ ନୁହେଁ, ବରଂ ହିନ୍ଦୁଙ୍କ ସମେତ ଜାତିଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କ ହିତାକାଂକ୍ଷୀ ବୋଲି ବାର୍ତ୍ତା ଦେବାରେ ମଧ୍ୟ ସଫଳ ହୋଇଛନ୍ତି। ଏ ବାର୍ତ୍ତା ଏଇଥିପାଇଁ ମହତ୍ତ୍ବପୂର୍ଣ୍ଣ ଯେ ଗତ କେଇବର୍ଷ ଧରି ହିନ୍ଦୁ/ ହିନ୍ଦୁତ୍ବ /ରାଷ୍ଟ୍ରବାଦ /ଜାତୀୟତାବାଦ/ଦେଶପ୍ରେମ ଆଦିକୁ ନେଇ ଅନେକ ଭ୍ରାନ୍ତଧାରଣା ସୃଷ୍ଟି କରାଯାଇଛି। ଏଥିଯୋଗୁଁ ହିଁ କେବଳ ସାଧାରଣ ଲୋକ ନୁହନ୍ତି, ବୁଦ୍ଧିଶୁଦ୍ଧି ଥିବା ପାଠୁଆ ଲୋକେ ବି ସେଇ ଧାରଣାର ବଶବର୍ତ୍ତୀ ହେଉଛନ୍ତି। ବିଡ଼ମ୍ବନା ଯେ ଯେଉଁମାନେ କ୍ଷମତାସୀନଙ୍କ ନୀତି/ନୈତିକତା ଉପରେ ପ୍ରଶ୍ନ ଉଠାଉଛନ୍ତି ବା ଭିନ୍ନମତ ରଖୁଛନ୍ତି, ସେମାନଙ୍କୁ ରାଷ୍ଟ୍ରଦ୍ରୋହୀ ଭାବେ ଚିତ୍ରଣ କରାଯାଉଛି।
ଦ୍ବିତୀୟ: ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ବିଜେପିର ବିପୁଳ ବିଜୟ ପାଇଁ ‘ଟିନା’ (ଦେୟାର ଇଜ୍ ନୋ ଅଲଟରନେଟିଭ୍/କିଛି ବିକଳ୍ପ ନାହିଁ) ତତ୍ତ୍ବ କାମ କରିବା ପରି ଦିଲ୍ଲୀ ନିର୍ବାଚନରେ କେଜରିୱାଲ ଓ ଆପ୍‌ର ସ୍ଥିତି ଥିଲା ତଦନୁରୂପ। ବିଜେପି ଓ କଂଗ୍ରେସର କୌଣସି ସ୍ଥାନୀୟ ନେତା ଯେ ଆପ୍ ମୁଖ୍ୟଙ୍କ ସମକକ୍ଷ ନୁହନ୍ତି, ତାହା ଆରମ୍ଭରୁ ଜଣାପଡ଼ିଥିଲା। ବିଜେପିର ବିକଳ ଅବସ୍ଥା ଏଥିରୁ ଅନୁମେୟ ଯେ ମହାପ୍ରତାପୀ ଅମିତ ଶାହାଙ୍କୁ ମଧ୍ୟ ଘରଘର ବୁଲି ପ୍ରଚାରପତ୍ର ବାଣ୍ଟିବା ଦେଖାଯାଇଥିଲା। ମୋଦୀଙ୍କ ସମେତ ବିଜେପିର ଅଢ଼େଇଶହ ସାଂସଦ, ଏପରିକି ଅନ୍ୟ ରାଜ୍ୟର ଏକାଧିକ ମୁଖ୍ୟମନ୍ତ୍ରୀ ଆସି ପ୍ରଚାର କରିଥିଲେ; କିନ୍ତୁ ସବୁ ନିଷ୍ଫଳ। ଏ ପରାଜୟ ପଛର ଅନ୍ୟତମ ପ୍ରମୁଖ କାରଣ ଦିଲ୍ଲୀ ମ୍ୟୁନିସିପାଲିଟି (ଏମ୍‌ସିଡି) ଓ ସଂସଦୀୟ କ୍ଷେତ୍ର ତା’ ଅଧୀନରେ ଥିଲେ ହେଁ ବିଜେପି ଲୋକପ୍ରତିନିଧିଙ୍କ ନିରାଶାଜନକ କାର୍ଯ୍ୟ ମତଦାତାଙ୍କୁ ବିତୃଷ୍ଣ କରିଛି।
ଅପରପକ୍ଷେ, ବହୁ ପ୍ରତିକୂଳତା ଓ ପ୍ରତିବନ୍ଧକ ସୃଷ୍ଟି କରାଯିବା ସତ୍ତ୍ବେ ଆପଣାର ଦାୟବଦ୍ଧତାକୁ ପ୍ରମାଣ କରି ଏକ ଭିନ୍ନ ଉନ୍ନୟନମୂଳକ ଢାଞ୍ଚା ପ୍ରସ୍ତୁତ କରିବା ବା ଅନ୍ତତଃ ତାହା କରୁଛି ବୋଲି ମତଦାତାଙ୍କ ମନରେ ବିଶ୍ବାସ ଜନ୍ମାଇପାରିବା ଆପ୍‌କୁ ପୁଣି ବିଜୟୀ କରିଛି। ବିଶେଷତଃ, ଏକ ସାମାଜିକ ନ୍ୟାୟବିଶିଷ୍ଟ ଏଜେଣ୍ଡାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟାନ୍ବୟନ କରିବାର ପ୍ରଚେଷ୍ଟା ପ୍ରଶଂସାଯୋଗ୍ୟ। ବିଦ୍ୟୁତ୍, ପାଣି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆପ୍ ସରକାର ଯେତିକି କାର୍ଯ୍ୟ କରିଛନ୍ତି, ତାକୁ ମତଦାତା ଆଡ଼େଇ ଦେବା ସହଜ ହୋଇନାହିଁ। ବିଶେଷକରି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନବପ୍ରୟୋଗ ସଫଳ ହେବାସହ ବହୁଚର୍ଚିତ ଓ ଉଦାହରଣୀୟ ହୋଇଛି। ଗରିବଙ୍କ ପାଇଁ ମାଗଣା ବିଜୁଳି ଓ ପାଣି, ଘରୋଇ ସ୍କୁଲ ଭଳି ଉନ୍ନତ ସୁବିଧାସୁଯୋଗ ଥିବା ସରକାରୀ ସ୍କୁଲ ନିର୍ମାଣ/ବିକାଶ, ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍‌ଯାତ୍ରା, ମୋହଲ୍ଲା କ୍ଲିନିକ୍, ୪୦ ପ୍ରକାରର ସରକାରୀ ସେବାକୁ ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚାଇବା ଭଳି ଦଶଟି ସ୍ବତନ୍ତ୍ର ଯୋଜନାର ‘ଗ୍ୟାରେଣ୍ଟି କାର୍ଡ’ ଆପ୍ ସରକାରକୁ ‘ଆମ୍‌ ଆଦ୍‌ମୀ’ର ନିକଟତର କରିପାରିଛି। ଅନେକ ସମୟରେ ‘ମାଗଣା ସେବା’ ନେଇ ପ୍ରଶ୍ନ ଉଠେ; କିନ୍ତୁ ସମାଜର ସବୁ ମଣିଷଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବା (ବିଶେଷତଃ ବଞ୍ଚିତମାନଙ୍କୁ) ଯେ କୌଣସି ଗଣତାନ୍ତ୍ରିକ ସରକାରର ପ୍ରମୁଖ କର୍ତ୍ତବ୍ୟ। ଯେ ପର୍ଯ୍ୟନ୍ତ ତା’ର ଅନ୍ୟାୟ ବଣ୍ଟନ ନହୋଇଛି, ତାକୁ ଅନୁଚିତ କୁହାଯିବ କାହିଁକି!
କେଜରିୱାଲ ପ୍ରତିବାଦୀରୁ ପ୍ରଶାସକରେ ପରିବର୍ତ୍ତିତ ହେବା ଦିଲ୍ଲୀ ପାଇଁ ବେଶ୍ ମଙ୍ଗଳକର ହୋଇଛି। ଏହା ପ୍ରଦେଶର ଆର୍ଥିକ ସ୍ଥିତିକୁ ପରଖିଲେ ବି ଜାଣିହୁଏ। ତଥ୍ୟ କହୁଚି, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ଅନୁଦାନ ହ୍ରାସ ପାଇଥିଲେ ସୁଦ୍ଧା ଦିଲ୍ଲୀର ବାର୍ଷିକ ବଜେଟ୍ ୨୦୧୫ରେ ୩୦ ହଜାର କୋଟି ଥିବାବେଳେ ୨୦୧୯ରେ ତା’ର ଦୁଇଗୁଣ, ଅର୍ଥାତ ୬୦ ହଜାର କୋଟି ଟଙ୍କା ହୋଇଛି। ୟା’ଠୁ ବି ଗୁରୁତ୍ବପୂର୍ଣ୍ଣ, ୨୦୧୩-୧୪ରେ ବିତ୍ତୀୟ ନିଅଣ୍ଟ ୩,୯୪୨ କୋଟି ଥିବାବେଳେ ୨୦୧୭-୧୮ ବେଳକୁ ବିତ୍ତୀୟ ବଳକା ରହିଥିଲା ୧୧୩ କୋଟି ଟଙ୍କା। ଉତ୍ତମ ପ୍ରଶାସନିକ ପରିଚାଳନା ବିନା ଏହା ଅସମ୍ଭବ। ଭୁଲିଯିବା ଅନୁଚିତ ଯେ, ଦୀର୍ଘ ନ୍ୟାୟିକ ଲଢ଼େଇ ପରେ ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ଆପ୍ ସରକାର ସପକ୍ଷରେ ରାୟ ଦେଇ ରାଜ୍ୟ ବିଷୟଗୁଡ଼ିକ ତା’ର ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି କହିବା ସହ ଉପ-ରାଜ୍ୟପାଳଙ୍କ ପ୍ରଭୁତ୍ବ ଉପରେ ଲଗାମ ଲଗାଇବା ପରେ ହିଁ ଏସବୁ ସମ୍ଭବ ହୋଇପାରିଛି।
ତୃତୀୟ: ଉତ୍ତର-ଜଗତୀକରଣ କାଳରେ ଯେଉଁ ନୂତନ ଭାରତୀୟ ମଧ୍ୟବର୍ଗ ବିଜେପିର ହିନ୍ଦୁତ୍ବ ପରିଚିତି ପ୍ରତି ଆକର୍ଷିତ ହେଲେ, ସେମାନେ କଂଗ୍ରେସର ପରମ୍ପରାବାଦୀ ଦୃଷ୍ଟି ଓ ବାମପନ୍ଥୀଙ୍କ ମହାନଗରୀୟ ବୌଦ୍ଧିକତାର ବିରୋଧୀ ହେବା ଅସ୍ବାଭାବିକ ନୁହେଁ। ତେବେ ଜଗତୀକରଣ ପ୍ରବାସୀ, ପେସାଦାର ଓ ଉତ୍ତର-ଶିଳ୍ପାୟନ ମଧ୍ୟବର୍ଗଙ୍କ ଜରିଆରେ ସମ୍ପତ୍ତି ସୃଷ୍ଟି କଲା। ଏହା ଭାରତର ସହରୀ ଜନସଂଖ୍ୟାକୁ ବଢ଼ାଇଲା। କୃଷିସଙ୍କଟ ଗ୍ରାମୀଣ ଜନତାଙ୍କୁ ସହର/ନଗରମୁହାଁ କଲା, ଯେଉଁଠି ପେଟ ପୂରାଇବା ପାଇଁ କିଛି ଗୋଟାଏ କାମ ମିଳିବାର ସମ୍ଭାବନା ରହିଲା। ସମାଜର ଏହି ଶ୍ରେଣୀପାଇଁ ରାଜନୀତିକ ଅଭିବ୍ୟକ୍ତିର ମଞ୍ଚ ଭାବେ ଆପ୍‌ର ଅଭ୍ୟୁଦୟ ଖୁବ୍ ମହତ୍ତ୍ବପୂର୍ଣ୍ଣ। ଲକ୍ଷ୍ୟଣୀୟ ଯେ, କେବଳ କଂଗ୍ରେସ ନୁହେଁ, ଭାରତର ସମଗ୍ର ରାଜନୀତିକ ଦଳ/ସତ୍ତା/ପ୍ରତିଷ୍ଠାନ/ମିଡିଆ/କର୍ପୋରେଟ ଯେ ଦୁର୍ନୀତିଗ୍ରସ୍ତ ଓ ସେସବୁକୁ ପରିଶୁଦ୍ଧ କରିବା ପାଇଁ ଜନଲୋକପାଳ ଭଳି ଏକ ଦୃଢ଼ ଦୁର୍ନୀତି-ନିରୋଧୀ ଆଇନ ପ୍ରଣୟନ ଜରୁରୀ, ଏ ବିଶ୍ବାସ ଓ ତାହାର ପ୍ରଚ୍ଛଦରେ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନରୁ ହିଁ ରାଜନେତା ଅରବିନ୍ଦ କେଜରିୱାଲ ତଥା ଆପ୍‌ର ସୃଷ୍ଟି (୨୦୧୨ରେ)। ରାଜନୀତି ସହ ଆଦୌ ସଂପୃକ୍ତି ନଥିବା କେଜରିୱାଲଙ୍କ ଭଳି ପ୍ରଶାସକ/ସମାଜକର୍ମୀଙ୍କୁ ଲୋକେ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନଦୃଷ୍ଟିରେ ​‌େ​‌ଦଖିବା ସ୍ବାଭାବିକ ଥିଲା। ଆପ୍‌ ମଧ୍ୟ ଅଦ୍ବିତୀୟ ଭାରତୀୟ ରାଜନୀତି ପାଇଁ ଥିଲା ‘ସୁଇ ଜେନେରିସ୍’ (ଲାଟିନ); ଅର୍ଥାତ ଏକ ସମ୍ପୂର୍ଣ୍ଣ ନିଆରା/ ସ୍ବଜାତୀୟ ପ୍ରୟୋଗ। ଏଇଥିପାଇଁ ସ୍ବଜାତୀୟ ଯେ ପ୍ରଥମ ଥର ଲାଗି ଏହା ଜାତି/ଧର୍ମ/ବର୍ଣ୍ଣ/ସଂସ୍କୃତି/ବଂଶବାଦ/ଭାବାଦର୍ଶ, ସବୁ ପ୍ରକାରର ପ୍ରତିବନ୍ଧକ/ରୂଢ଼ିକୁ ଭାଂଗି ନୂଆପିଢ଼ିକୁ ରାଜନୀତିରେ ପ୍ରବେଶାଧିକାର ଦେଲା; ବାମ-ଦକ୍ଷିଣ-କେନ୍ଦ୍ରଠାରୁ ଅଲଗା ବାରିହେଲା। ରାଷ୍ଟ୍ରବାଦର ବ୍ୟଞ୍ଜନାକୁ ମଧ୍ୟ ଆପ୍‌ ଅନେକ ପରିମାଣରେ ବଦଳାଇଦେଇଚି ତା’ର ସମାଜକୈନ୍ଦ୍ରିକ ନୀତି-ରାଜନୀତି/କାର୍ଯ୍ୟଦ୍ବାରା। ସେହି କାରଣରୁ ଏ ନିର୍ବାଚନରେ ବିଜେପିର ରାଷ୍ଟ୍ରବାଦ/ଭାରତୀୟତା/ସାଂପ୍ରଦାୟିକତା ଆଦିକୁ ଦିଲ୍ଲୀର ବିଚାରଶୀଳ ଜନତା ପୁଣିଥରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେ ଆପ୍‌ର ନୀତି/ରାଜନୀତିକୁ ସମର୍ଥନ କରୁ ବା ନକରୁ, ତାକୁ ଅନ୍ତତଃ ଏଡ଼ାଇ ଦେବା ଆଉ କାହାପକ୍ଷେ ସମ୍ଭବ ନୁହେଁ। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ଶୁଭ ଲକ୍ଷଣ।

ଅଶୋକ

ashok@thesamaja.in

Comments are closed.