ଦିଲ୍ଲୀରେ କୋଭିଡ ମୃତ୍ୟୁ ଜାତୀୟ ହାରାହାରିର ୫ ଗୁଣ

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ଜାତୀୟ ହାରାହାରି ମୃତ୍ୟୁସଂଖ୍ୟାର ହାରାହାରି ୫ ଗୁଣ, ଏଭଳି ଏକ ଅଭିଯୋଗ ଆଣିଛି ଭାଜପା। ଦଳ ପକ୍ଷରୁ ସୋମବାର ଦିନ କୁହାଯାଇଛିଯେ ଦେଶରେ ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟା ମଧ୍ୟରୁ କୋଭିଡରେ ଯେତିକି ଲୋକଙ୍କର ପ୍ରାଣହାନି ଘଟୁଛି, ଦିଲ୍ଲୀରେ ତାହାର ୫ ଗୁଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟୁଛି। ଏଥିସହି ଏହା ଅଭିଯୋଗ କରିଛି ଯେ ଅରବିନ୍ଦ କେଜରିୱାଲଙ୍କ ସରକାର ସମୟରେ ଦିଲ୍ଲୀରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ଜବାବରେ ଶାସକ ଆମ୍‍ ଆଦମି ପାର୍ଟି (ଆପ୍‍) ପକ୍ଷରୁ କୁହାଯାଇଛି ଯେ ଭାଜପା ଏଭଳି ଅଭିଯୋଗ ବନ୍ଦ କରିବା ସହିତ କେନ୍ଦ୍ରରେ ଥିବା ନିଜ ସରକାରକୁ ସୁରକ୍ଷା ପ୍ରଦାନରୁ ବିରତ ରହିବା ଆବଶ୍ୟକ। ଦିଲ୍ଲୀରେ କୋଭିଡ ଆକ୍ରାନ୍ତଙ୍କୁ କେନ୍ଦ୍ର ସରକାର ଟିକା ଯୋଗାଇଦେବା ଉଚିତ। ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଭାଜପା ସଭାପତି ଆଦେଶ ଗୁପ୍ତା ସୋମବାର କହିଥିଲେ ଯେ କେଜରିୱାଲ ସରକାର ଦିଲ୍ଲୀରେ ବିଶ୍ୱ ମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିଥିବାର ଯେଉଁ ଦାବି କରୁଛନ୍ତି, ତାହା ୱାଲଁଡୋମିଟର ୱେବସାଇଟରୁ ମିଛ କି ସତ ସ୍ପଷ୍ଟ ହୋଇଯାଇଛି।
ୱାର୍ଲଡୋମିଟର ତଥ୍ୟ ଅନୁଯାୟୀ ଭାରତରେ ସମ୍ପ୍ରତି ମୃତ୍ୟୁହାର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୨୩୪ ରହିଛି। ମଇ ୩୦ ତାରିଖ ସଂଖ୍ୟାକୁ ଦେଖିଲେ ତାହା ଦିଲ୍ଲୀରେ ୧୨୦୭ ରହିଥିଲା। ଏହା ଜାତୀୟ ହାରାହାରି ତୁଳନାରେ ୫ ଗୁଣ। ଦିଲ୍ଲୀରେ ମଇ ୩୦ ସୁଦ୍ଧା ୨୪,୧୫୧ ଜଣ କୋଭିଡରେ ପ୍ରାଣ ହରାଇସାରିଛନ୍ତି। ଏଥିପାଇଁ କେଜରିୱାଲ ସରକାର ଦାୟୀ ବୋଲି ସେ କହିଛନ୍ତି। ଦକ୍ଷିଣ ଦିଲ୍ଲୀର ଭାଜପା ସାଂସଦ ରମେଶ ବିଧୁରୀ କହିଛନ୍ତି, କେଜରିୱାଲ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଦାବି କରୁଥିଲେ ମଧ୍ୟ ଦିଲ୍ଲୀରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ୱାର୍ଲଡୋମିଟର ତଥ୍ୟରୁ ଜଣାଯାଇଛି ଯେ ଦିଲ୍ଲୀରେ କୋଭିଡ ମୃତ୍ୟୁହାର ୧.୬୯% ରହିଥିବାବେଳେ ଓଡ଼ିଶାରେ ତାହା ୦.୩୫% ଏବଂ କେରଳରେ ୦.୩୩%, ବିହାରରେ ୦.୧୩% ରହିଛି।
ଏହାର ଜବାବରେ ଆପ୍‍ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ଭାଜପା ନେତାମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ କିଛି ନା କିଛି ଅଭିଯୋଗ ଆଣୁଛନ୍ତି। ଏଭଳି ମହାମାରୀ ସମୟରେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ସତ୍ତେ୍ୱ ସେମାନେ କେବଳ କେଜରିୱାଲଙ୍କୁ ଆକ୍ଷେପ କରିଚାଲିଛନ୍ତି। କେଜରିୱାଲ ଅମ୍ଳଜାନ ଅଭାବ ଦୂର କରିବାକୁ କହିବା କଣ ତାଙ୍କର ଅପରାଧ? ଏବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କ ପାଇଁ ଟିକା ମାଗୁଛନ୍ତି। ଏହା ମଧ୍ୟ କଣ ଅପରାଧ କି ବୋଲି ଦଳ ପ୍ରଶ୍ନ କରିଛି। କେନ୍ଦ୍ରର ଭାଜପା ସରକାର ଏଭଳି ଅଭିଯୋଗରୁ ନିବୃତ୍ତ ରହି ଦିଲ୍ଲୀବାସୀଙ୍କ ପାଇଁ କୋଭିଡ ଟିକା ଯୋଗାଇଦେବାକୁ ଆପ୍‍ ଦାବି କରିଛି।

Comments are closed.