ଦିଲ୍ଲୀରେ ସଂକ୍ରମିତଙ୍କ ପାଇଁ ଶଯ୍ୟା ଅଭାବ, ଜବାବ ମାଗିଲେ ଜାତୀୟ ମାନବାଧିକାର କମିଶନ୍‍

ସମାଜ ପୋର୍ଟାଲ ଡେସ୍କ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ପାଇଁ ଶଯ୍ୟା ଅଭାବ ଓ ନମୁନା ପରୀକ୍ଷା କିଟ୍‍ ନ ଥିବା ଯୋଗୁଁ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ୍‍ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଉଭୟ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନୋଟିସ୍‍ ଜାରି କରିଛନ୍ତି। ଦିଲ୍ଲୀ ପ୍ରଦେଶ କଂଗ୍ରେସ୍‍ କମିଟିର ପୂର୍ବତନ ଅଧ୍ୟକ୍ଷ ଅଜୟ ମାକେନ୍‍ଙ୍କ ଅଭିଯୋଗକୁ ଆଧାର କରି କମିଶନ୍‍ ଏହି ନୋଟିସ୍‍ ଜାରି କରିଛନ୍ତି।

ଅଭିଯୋଗ ପତ୍ରରେ ମାନବାଧିକାରର ଘୋର ଉଲ୍ଲଙ୍ଘନ କରାଯାଇଥିବା ଦର୍ଶାଯାଇଛି। ଏଥିରେ କୁହାଯାଇଛି, ସଂକ୍ରମିତଙ୍କ ନମୁନା ପରୀକ୍ଷା କ୍ଷେତ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଆଇ.ସି.ଏମ୍‍.ଆର୍‍. ନିର୍ଦ୍ଦେଶାବଳୀ ପାଳନ କରାଯାଉ ନାହିଁ। ଏହାଛଡ଼ା ମୃତକଙ୍କ ଶେଷକୃତ୍ୟ ସମ୍ପାଦନ ଦିଗରେ ଅହେତୁକ ବିଳମ୍ବ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ୧୦ ଦିନ ମଧ୍ୟରେ ଏନେଇ ରିପୋର୍ଟ ପ୍ରଦାନ କରିବାକୁ କମିଶନ୍‍ ନିର୍ଦ୍ଦେଶ ଦେଇଥିବାବେଳେ ଅଭିଯୋଗରେ ଦିଆଯାଇଥିବା ତଥ୍ୟର ସତ୍ୟତା ରହିଥିବା କହିଛନ୍ତି।

Comments are closed.