ଟେମ୍ପୋ ଡ୍ରାଇଭରକୁ ମାଡ଼ ମାରି ୩ ପୁଲିସ୍‍ ନିଲମ୍ବିତ

ନୂଆଦିଲ୍ଲୀ : ଉତ୍ତରପଶ୍ଚିମ ଦିଲ୍ଲୀର ମୁଖାର୍ଜୀ ନଗରରେ ରବିବାର ରାସ୍ତା ଉପରେ ଜଣେ ଗାଡ଼ି ଚାଳକକୁ ନିର୍ଧୁମ ପିଟିବା ଅଭିଯୋଗରେ ୩ ଜଣ ପୁଲିସ୍‍ କର୍ମୀଙ୍କୁ ସୋମବାର ନିଲମ୍ବିତ କରାଯାଇଛି।
ସୂଚନା ଅନୁସାରେ ମୁଖାର୍ଜୀ ନଗରରେ ରବିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏକ ପୁଲିସ୍‍ ଗାଡ଼ି ଓ ଟେମ୍ପୋ ମଧ୍ୟରେ ସାମାନ୍ୟ ଧକ୍କାରୁ ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣାକୁ ନେଇ ଟେମ୍ପୋ ଚାଳକ ସରବିଜିତ ସିଂହ ଓ ପୁଲିସ୍‍ କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ ସରବଜିତ ଟେମ୍ପୋରୁ ଏକ ଖଣ୍ଡା ବାହାର କରି ପୁଲିସ୍‍ କର୍ମୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ୧୦ରୁ ୧୨ ଜଣ ପୁଲିସ୍‍ କର୍ମୀ ଟେମ୍ପୋ ଚାଳକ ଜଣକୁ ରାସ୍ତାରେ ଘୋସାରି ଘୋସାରି ପିଟିଥିଲେ। ଏପରିକି ସରବିଜତଙ୍କ ୧୬ ବର୍ଷିୟ ପୁଅକୁ ବି ପୁଲିସ୍‍ ପିଟିବା ସହ ହାଜତରେ ବନ୍ଦ କରିଦେଇଥିଲେ। ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମାଡ଼ ମାରିଥିବା ୩ ପୁଲିସ୍‍ କର୍ମୀଙ୍କୁ ନିଲମ୍ବନ କରାଯାଇଛି। ୩ ପୁଲିସ୍‍ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.