ଯୁବ ଖେଳାଳିଙ୍କ ଭରସାରେ ଦିଲ୍ଲୀ କ୍ୟାପିଟାଲ୍‌ସ

ଦୁବାଇ : ଆଇପିଏଲ୍‌ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବାକୁ ଥିବା ବେଳେ ଏଥିରେ ଖେଳିବାକୁ ଥିବା ଅନ୍ୟତମ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ମୁଖ୍ୟତଃ ଯୁବ ଖେଳାଳିଙ୍କ ଉପରେ ଅଧିକ ନିର୍ଭରଶୀଳ ବୋଲି ଆଲୋଚନା ହେଉଛି। ଗତ କିଛି ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ତରଫରୁ ଯୁବ ଖେଳାଳିଙ୍କୁ ଅଧିକ ଗୁରୁତ୍ବ ପ୍ରଦାନ କରାଯାଉଛି। ଯାହାର ସୁଫଳ ଗତ ସିଜିନ୍‌ରେ ଦେଖିବାକୁ ମିଳିଥିଲା। ଶ୍ରେୟାସ ଆୟର୍‌ଙ୍କ ନେତୃତ୍ବାଧୀନ ଦଳ ଗତ ସିଜିନ୍‌ରେ ତୃତୀୟ ସ୍ଥାନରେ ରହିଥିଲା। ଚଳିତ ସିଜିିନ୍‌ ନିମନ୍ତେ ଦଳରେ ଦୁଇ ବରିଷ୍ଠ କ୍ରିକେଟର୍‌ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ଅଜିଙ୍କ୍ୟ ରାହାଣେଙ୍କୁ ସାମିଲ କରାଯାଇଛି। ଦଳରେ ଅଶ୍ବିନ୍‌ଙ୍କ ବ୍ୟତୀତ ସ୍ପିନର ଭାବେ ଅମିତ ମିଶ୍ରା ଓ ଅକ୍ଷର ପଟେଲ ରହିଛନ୍ତି। ୟୁଏଇର ଧିମା ପିଚ୍‌ରେ ଏମାନେ ବେଶ୍‌ ପ୍ରଭାବ ପକାଇବେ ବୋଲି ଆଶା କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଯୁବ କ୍ରିକେଟର୍‌ଙ୍କୁ ଅଧିକ ସୁଯୋଗ ଦେବା ସପକ୍ଷରେ ରହିଛନ୍ତି। ଦଳରେ ଶ୍ରେୟାସ ଆୟର, ଋଷଭ ପନ୍ତ୍‌ ଓ ପୃଥ୍ବୀ ସ’ଙ୍କ ପରି ଯୁବ ତଥା ତାରକା କ୍ରିକେଟର୍‌ ରହିଛନ୍ତି। ଶିଖର ଧାୱନ୍‌ ଓ ପୃଥ୍ବୀ ସ’ ବ୍ୟାଟିଂ ଓପନ୍‌ କରିବାକୁ ଥିବା ବେଳେ ଆୟର ୩ ଓ ପନ୍ତ୍‌ ୪ ନଂରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ଏପରି ପରିପ୍ରେକ୍ଷୀରେ ରାହାଣେଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବାକୁ ଦଳ ପଠାଇବ ତାହା ଦେଖିବାର କଥା।

Comments are closed.