ଦିଲ୍ଲୀରେ ବଡ ଜୁଆ ରାକେଟ ଠାବ; ୨୯ ଗିରଫ, ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ପିସ୍ତଲ, ଗୁଳି ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଏକ ବଡ ଧରଣର ଜୁଆ ରାକେଟ ଠାବ କରିବା ସହିତ ଏଥିରେ ସଂପୃକ୍ତ ଥିବା ୨୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀର ମାଣ୍ଡାୱାଲି ଫିରୋଜପୁର ଅଞ୍ଚଳରେ ଏହି ଜୁଆ ଆଡ୍ଡା ଠାବ କରାଯାଇଥିଲା । ଉକ୍ତ ଅଞ୍ଚଳରେ ସଂଗଠିତ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଧରିବାକୁ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଦଳ ଚଢାଉ କରିବା ସମୟରେ ସେଠାରେ ଏହି ଜୁଆ ଆଡ୍ଡା ଚାଲିଥିବା ଜଣାପଡିଥିଲା । ପୂର୍ବ ଦିଲ୍ଲୀ ଡିସିପି ପ୍ରିୟଙ୍କା କଶ୍ୟପ କହିଛନ୍ତି, ପୁଲିସର ସ୍ୱତନ୍ତ୍ର ଦଳ ଅପରାଧୀମାନଙ୍କର ପୃଷ୍ଠଭୂମି ଜାଣିବା ଏବଂ ସେମାନଙ୍କୁ ଧରିବାକୁ ନିରନ୍ତର ଉଦ୍ୟମ ଚଳାଇଥିଲେ । ସେମାନଙ୍କ ନିକଟରେ ବେଆଇନ ଭାବରେ ଅସ୍ତ୍ରଶସ୍ତ୍ର ଥିବା ସୂଚନା ମଧ୍ୟ ମିଳିଥିଲା । ଗତକାଲି ପୁଲିସ ଉକ୍ତ ଅଞ୍ଚଳରେ ଚଢାଉ କରିବା ସହିତ ଜୁଆ ଖେଳୁଥିବା ୨୯ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ ୪.୨ ଲକ୍ଷ ଟଙ୍କା, ଏକାଧିକ ମୋବାଇଲ ଫୋନ, ଦୁଇଟି ଦେଶୀ ପିସ୍ତଲ, ୧୪ଟି ଅଫୁଟା ଗୁଳି, ଗୋଟିଏ ୱାକି ଟକି ଜବତ କରାଯାଇଥିଲା । ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜ କରାଯାଇଛି ।

Comments are closed.