ଦିଲ୍ଲୀ ବିଧାନସଭା ନିର୍ବାଚନ – ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲ କରିବାର ଆଜି ଥିଲା ଶେଷ ତାରିଖ। ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯିବ। ପ୍ରାର୍ଥୀ ଚାହିଁଲେ ଆସନ୍ତା ୨୪ ତାରିଖ ଶୁକ୍ରବାର ସୁଦ୍ଧା ସେମାନଙ୍କର ମନୋନୟନପତ୍ର ପ୍ରତ୍ୟାହାର କରିପାରିବେ। ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗତକାଲି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ନୂଆଦିଲ୍ଲୀ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ, ରାଜୌରୀ ଗାର୍ଡେନ୍‍, ସାହାଦ୍ରା ଏବଂ କାଲକାଜି ସମେତ ୧୦ଟି ଆସନ ପାଇଁ ବିଜେପି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନୂଆଦିଲ୍ଲୀରୁ ସୁନୀଲ ଯାଦବ ଦଳର ପ୍ରାର୍ଥୀ ହେବେ। ଏହି ତାଲିକାରେ ଦୁଇ ଜଣ ମହିଳାଙ୍କର ନାମ ରହିଛି। ସେହିଭଳି କଂଗ୍ରେସ ତାଲିକାରେ ୭ଜଣଙ୍କର ନାମ ରହିଛି। ନୂଆଦିଲ୍ଲୀରୁ ଦଳ ରମେଶ ସବରୱାଲଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଲଢ଼ିବେ।

କଂଗ୍ରେସ ତାହାର ମିତ୍ର ଦଳ ଆର୍‍.ଜେ.ଡି.କୁ ବୁରାରି, ଉତ୍ତମ ନଗର, ପାଲାମ ଓ କିରାରି ଆସନ ଛାଡ଼ି ଦେଇଛି। ଏହି ନିର୍ବାଚନରେ ବିଜେପି, ଜେ.ଡି.ୟୁ. ଓ ଏଲ୍‍.ଜେ.ପି. ସହ ମେଣ୍ଟ କରିଥିବାରୁ ଦୁଇ ମିତ୍ର ଦଳଙ୍କୁ ତିନୋଟି ଆସନ ଦେବାକୁ ନିଷ୍ପତ୍ତି ନେଇଛି। ଜେ.ଡି.ୟୁ. ଦୁଇଟିରେ ଓ ଏଲ୍‍.ଜେ.ପି. ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ।

Comments are closed.