ଦିଲ୍ଲୀରୁ ସଙ୍କେତ : ତୃତୀୟ ସାମ୍ମୁଖ୍ୟ ପାଇଁ ଦିଲ୍ଲୀ ଆଉ ଦୂର ନୁହେଁ

ଭାରତର ସବୁଠାରୁ ସମ୍ମାନାସ୍ପଦ, ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦିଲ୍ଲୀ ବିଧାନସଭା ନିର୍ବାଚନର ସଦ୍ୟତମ ଫଳାଫଳ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲ୍‍ଙ୍କ ନେତୃତ୍ୱରେ ଆମ୍‍ ଆଦ୍‍ମୀ ପାର୍ଟି(ଆପ୍‍) ପୁଣି ଥରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ମୋଟ ୭୦ ଆସନରୁ ଆପ୍‍ ୬୨ ଆସନ ପାଇଥିବାବେଳେ ବିଜେପିକୁ ୮ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଗତ ବର୍ଷ ତୁଳନାରେ ଆପ୍‍ ୫ଟି ଆସନ ହରାଇଥିବାବେଳେ ବିଜେପିକୁ ୫ଟି ଆସନ ଅଧିକ ମିଳିଛି। ଆପ୍‍ ଓ ବିଜେପିର ହାରଜିତ କୋଳାହଳ ମଧ୍ୟରେ ଯାହା ଊହ୍ୟ ରହିଯାଉଛି, ତାହା ହେଉଛି କଂଗ୍ରେସର ଦୟନୀୟ ସ୍ଥିତି। ଗତ ଥର ଭଳି ଏଥର ମଧ୍ୟ କଂଗ୍ରେସ ପ୍ରାର୍ଥୀମାନେ କୌଣସି ଗୋଟିଏ ମଧ୍ୟ ଆସନରେ ଜିତି ପାରିନାହାନ୍ତି। ଦିଲ୍ଳୀ ନିର୍ବାଚନ ଫଳାଫଳ ସାମ୍ବିଧାନିକତା ଦୃଷ୍ଟିରୁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଥିରୁ ମିଳିଥିବା ସନ୍ଦେଶ ସାମ୍ପ୍ରତିକ ପରିସ୍ଥିତିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ।
ଦିଲ୍ଲୀ ନିର୍ବାଚନରେ କାହା ଭୋଟ କେତେ ପ୍ରତିଶତ ବଢ଼ିଲା କିମ୍ବା କମିଲା, ନିର୍ବାଚନରେ ନିର୍ଣ୍ଣାୟକ ପ୍ରସଙ୍ଗ କ’ଣ ଥିଲା, ଭୋଟ ଧ୍ରୁବୀକରଣ ହୋଇଛି କି ନାହିଁ, ଆପ୍‍ ଜିତିବାର ରହସ୍ୟ ଓ ବିଜେପି ହାରିବା ପଛର କାରଣ କ’ଣ, ସେ ସମ୍ପର୍କରେ ଆଲୋଚନା-ପର୍ଯ୍ୟାଲୋଚନା, ତର୍କ-ବିତର୍କ ଜାରି ରହିବ। ଏ ସବୁର ଊର୍ଦ୍ଧ୍ବକୁ ଯାଇ ତର୍ଜମା କଲେ ଦିଲ୍ଲୀ ନିର୍ବାଚନ ଫଳାଫଳରୁ ଆପାତତଃ ତିନୋଟି ସନ୍ଦେଶ ମିଳୁଛି।
ପ୍ରଥମତଃ, ଦେଶର ସବୁଠାରୁ ଶିକ୍ଷିତ, ମାର୍ଜିତ ଓ ସଚେତନ ନାଗରିକ ଭାବେ ପରିଚିତ ଦିଲ୍ଲୀ ଭୋଟର ଭାଷଣବାଜି ବା ମାତ୍ରାଧିକ ପ୍ରଚାର ପ୍ରସାରକୁ ଧ୍ୟାନ ନ ଦେଇ ବିନା କୋଳାହଳରେ ଲୋକଙ୍କ ପାଇଁ କାମ କରିବାର ନିଷ୍ଠାକୁ ଅଧିକ ପସନ୍ଦ କରିଛନ୍ତି। ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରିତ୍ୱ ସମୟରେ କେଜ୍ରିୱାଲ୍‍ଙ୍କ ଉପରେ ଯେଭଳି ଭାବେ ଶାରୀରିକ ଓ ବାଚନିକ ଆକ୍ରମଣ ହୋଇଥିଲା ସେ ସବୁର ଜବାବ ତାଙ୍କର ନିରବତା ହିଁ ଦେଇଥିଲା। ଲୋକଙ୍କ ବିକାଶ ପାଇଁ କେଜ୍ରିୱାଲ୍‍ଙ୍କ ଇଚ୍ଛା ଓ ଯୋଜନା ଆଗରେ ମୁଖ୍ୟ ପ୍ରତିବନ୍ଧକ ଥିଲା କେନ୍ଦ୍ରୀୟ କଟକଣା। ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଲ୍ଲୀ ଲେପ୍ଟନାଣ୍ଟ ଗଭର୍ଣ୍ଣର ଓ ସଚିବମାନଙ୍କ ସହିତ କେଜ୍ରିୱାଲ୍‍ଙ୍କ ମତାନ୍ତର ଓ ମନାନ୍ତର ହୋଇଛି। ଲୋକଙ୍କ ସ୍ୱାର୍ଥରେ ଯେତେବେଳେ ବି ବାଧା ଆସିଛି ବା ସମସ୍ୟା ସୃଷ୍ଟି ହୋଇଛି ତାହାର ସମାଧାନ ପାଇଁ ସେ ଅନଶନକୁ ହିଁ ସର୍ବୋତ୍କୃଷ୍ଟ ବିକଳ୍ପ ରୂପେ ବାଛି ନେଇଛନ୍ତି ଏବଂ ସେଥିରେ ସଫଳତା ମଧ୍ୟ ପାଇଛନ୍ତି।
ଦ୍ୱିତୀୟତଃ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଦୁ ଯେ କ୍ରମଶଃ ପ୍ରଭାବହୀନ ହୋଇ ଆସୁଛି, ଦିଲ୍ଳୀ ନିର୍ବାଚନ ଫଳାଫଳରୁ ଏହାର ସ୍ପଷ୍ଟ ସଙ୍କେତ ମିଳୁଛି। ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେପି ହାତରୁ ତିନିଟି ବଡ଼ ରାଜ୍ୟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଚାଲି ଯାଇଥିବାବେଳେ ସାଧାରଣ ନିର୍ବାଚନରେ ମୋଦୀଙ୍କ ବିପୁଳ ବିଜୟ ସତ୍ତ୍ବେ ପରବର୍ତ୍ତୀ ରାଜ୍ୟ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରୁ ବିଜେପିକୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଲା। ମାତ୍ର ଦୁଇ ବର୍ଷ ଭିତରେ ବିଜେପି ଓ ମେଣ୍ଟଶାସିତ ରାଜ୍ୟ ୭୧%ରୁ ୩୪% କୁ ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ନୀତିଗତ ସ୍ଥାଣୁତା ଯୋଗୁଁ ଦେଶର ଅର୍ଥନୀତି ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇସାରିଛି ବୋଲି ବୁଝିବାରେ ସଚେତନ ଓ ଶିକ୍ଷିତ ଦିଲ୍ଲୀ ଭୋଟର ଅବହେଳା କରିନାହାନ୍ତି। ଏଥିସହିତ ନାଗରିକତ୍ୱ ସଂଶୋଧନ ଆଇନ୍‍, ଜାତୀୟ ନାଗରିକ ପଞ୍ଜିକା ଓ ଆଇନ-ଶୃଙ୍ଖଳା ପରି କେତେକ ସମ୍ବେଦନଶୀଳ ପ୍ରସଙ୍ଗରେ ଦିଲ୍ଲୀର ଛାତ୍ର ଓ ଯୁବ ଭୋଟର ବିଜେପି ବିମୁଖ ହୋଇଥିବା ଅନୁମାନ କରାଯାଉଛି। ବିଶେଷକରି କେଜ୍ରିୱାଲ୍‍ ସରକାରକୁ ମାତ୍ରାଧିକ ସମାଲୋଚନା ଓ ବ୍ୟକ୍ତିଗତ ଆକ୍ଷେପ ବିଜେପି ପାଇଁ ବୁମେରାଂ ହେବ ବୋଲି ବିଶେଷଜ୍ଞମାନେ କରିଥିବା ପୂର୍ବାନୁମାନ ଶତପ୍ରତିଶତ ସତ ସାବ୍ୟସ୍ତ ହୋଇଛି। ସାମାଜିକ-ଅର୍ଥନୈତିକ ବିକାଶ ଆଗରେ ରାଷ୍ଟ୍ରବାଦ ପ୍ରଭାବହୀନ ହୋଇଥିବା ଦେଖାଯାଇଛି। ଏହି ନିର୍ବାଚନକୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରି ବିଜେପି ତା’ର ସମସ୍ତ କଳ,ବଳ,କୌଶଳ ଖଟାଇଥିଲେ ମଧ୍ୟ ତାହା ପ୍ରଭାବଶାଳୀ ହୋଇପାରିନି। ଦିଲ୍ଲୀ ଶାସନ କ୍ଷମତାରୁ ବିଗତ ୨୧ ବର୍ଷ ଧରି ଦୂରରେ ଥିବା ବିଜେପି ଯଦି ତା’ର ଦୃଷ୍ଟିକୋଣରେ ଯୁଗୋପଯୋଗୀ ପରିବର୍ତ୍ତନ ନ ଆଣେ ତେବେ ଦଳ ପାଇଁ ‘ଦିଲ୍ଲୀ ଏବେ ମଧ୍ୟ ଦୂର’- ଏହି ସଙ୍କେତ ମିଳୁଛି।
ତୃତୀୟତଃ, ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଆଞ୍ଚଳିକ ଦଳମାନଙ୍କର ପ୍ରଭାବ, ଗୁରୁତ୍ୱ ଓ ଲୋକପ୍ରିୟତା ଯେ ବଢ଼ୁଛି ତାହା ଦିଲ୍ଲୀ ନିର୍ବାଚନରୁ ପୁଣି ଥରେ ପ୍ରମାଣିତ ହୋଇଛି। ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ସତ୍ତ୍ବେ ବିଜେପି ଦିଲ୍ଲୀରେ ଦୁଇ ଅଙ୍କ ଆସନ ଟପି ପାରି ନ ଥିବାବେଳେ ଦେଶର ସର୍ବପୁରାତନ ତଥା ଏକଦା ସର୍ବବୃହତ ଜାତୀୟ ଦଳର ମାନ୍ୟତା ପାଇଥିବା କଂଗ୍ରେସକୁ ଦିଲ୍ଲୀବାସୀ ପୁଣି ଥରେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ବିରୋଧୀ ଦଳମାନେ ଦଳଗତ ନୀତି ଓ ଆଦର୍ଶରୁ ଊର୍ଦ୍ଧ୍ବରେ ରହି ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ମତୈକ୍ୟ ଭିତ୍ତିରେ ସ୍ୱାର୍ଥରହିତ ଭାବେ ଏକଜୁଟ୍‍ ହୁଅନ୍ତି ତେବେ ତୃତୀୟ ସାମ୍ମୁଖ୍ୟ ପାଇଁ ‘ଦିଲ୍ଲୀ(କେନ୍ଦ୍ରରେ ଶାସନ କ୍ଷମତା) ଆଉ ଦୂର ନୁହେଁ’ – ଏହା ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ। ‘୨୦୨୪ରେ ମୋଦୀ ବନାମ କେଜ୍ରିୱାଲ୍‍’ ଶୀର୍ଷକ ଯେଉଁ ବ୍ୟାନରଗୁଡ଼ିକ ଏବେ ଗଣମାଧ୍ୟମରେ ସ୍ଥାନ ପାଇଛି ତାହା ବାସ୍ତବ ରୂପ ନେବାର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇ ନପାରେ। ଏତଦ୍‍ବ୍ୟତୀତ କଂଗ୍ରେସ ପାଇଁ ଦିଲ୍ଲୀ ନିର୍ବାଚନ ଏହି ସଙ୍କେତ ଦେଇଛି ଯେ ଦଳର ନୀତି, ଆଦର୍ଶ ଓ ରଣନୀତିର ପୁନଃଚିନ୍ତନ ଅବଶ୍ୟମ୍ଭାବୀ।
ଉଭୟ ବିଜୟୀ ଓ ପରାଜିତ ଦଳମାନେ ଦିଲ୍ଲୀ ନିର୍ବାଚନର ଫଳାଫଳକୁ କିପରି ଗ୍ରହଣ କରିବେ ତାହା ଭିନ୍ନ ପ୍ରସଙ୍ଗ, କିନ୍ତୁ ଏବେ ମଧ୍ୟ ଦିଲ୍ଲୀବାସୀଙ୍କ କେତେକ ମୌଳିକ ସମସ୍ୟା ଏବଂ ସାମ୍ବିଧାନିକ ଅଧିକାର ପ୍ରଶ୍ନ ଅସମାହିତ ରହିଯାଇଛି। ଏହି ସମସ୍ୟାଗୁଡ଼ିକୁ କେବଳ ନିର୍ବାଚନ ପ୍ରସଙ୍ଗ ନ କରି ସମାଧାନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଉଦ୍ୟମ କରିବା ଉଚିତ ହେବ। ଦିଲ୍ଲୀ ଭଳି ଦ୍ୱୈତ ପ୍ରଶାସନ ବ୍ୟବସ୍ଥା ବିଶିଷ୍ଟ ରାଜ୍ୟରେ ସର୍ବାଙ୍ଗୀଣ ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରର ସହଯୋଗ ଆବଶ୍ୟକ।

Comments are closed.