ଅଭେଦ୍ୟ ବଳୟରେ ବିମାନବନ୍ଦର

ଦଶହରାରେ ଆତଙ୍କବାଦୀ ଆକ୍ରମଣ ଯୋଜନା

-ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ, -ଦିଲ୍ଲୀରେ ୪ଆତଙ୍କବାଦୀଙ୍କୁ ଖୋଜୁଛି ପୁଲିସ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ୪ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ସେମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହୋଇ ରହିଛନ୍ତି। ସେମାନେ ନିଜ ପାଖରେ ଆଇଇଡି ଭଳି ବିସ୍ଫୋରକ ଓ ଗ୍ରେନେଡ ରଖିଛନ୍ତି। ଦୁର୍ଗା ପୂଜା ଅବସରରେ ବିମାନ ଘାଟି ଓ ବିମାନବନ୍ଦର ସମେତ କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ର ରଚନା କରିଛନ୍ତି। ଏଥିପାଇଁ ‘ମାନବ ବୋମା’ ପ୍ରସ୍ତୁତ ଅଛନ୍ତି। ସେମାନେ କାର୍‌ ବୋମା ବ୍ୟବହାର କରିବାର ସୂଚନା ମଧ୍ୟ ରହିଛି। ଗୁଇନ୍ଦା ବିଭାଗ ଓ ଦିଲ୍ଲୀ ପୁଲିୁସର ସ୍ବତନ୍ତ୍ର ସେଲ୍‌କୁ ବୁଧବାର ସନ୍ଧ୍ୟାରେ ଏ ସମ୍ପର୍କିତ ସୂଚନା ମିଳିବା ପରେ ଗୁରୁବାର ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା କରାଯାଇଛି। ଏହି ଅନୁସାରେ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତର ସମସ୍ତ ବିମାନବନ୍ଦରରେ ସର୍ବୋଚ୍ଚ ସତର୍କତା ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି।
ଗୁଇନ୍ଦା ସୂଚନାନୁଯାୟୀ, ଅଲ୍‌ ଉମର ମୁଜାହିଦ୍ଦିନ (ଏୟୁଏମ୍‌) ସଂଗଠନ ପକ୍ଷରୁ ମୁସ୍ତାକ ଅହମ୍ମଦ ଜରଗର ନାମକ ଆତଙ୍କବାଦୀ ନେତୃତ୍ବରେ ଏହି ଆକ୍ରମଣ ଷଡ଼ଯନ୍ତ୍ର ହୋଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହି ଷଡ଼ଯନ୍ତ୍ର ରଚନା କରିଛି। କାଶ୍ମୀର ଉପତ୍ୟକା ବାହାରେ ଯେକୌଣସି ସ୍ଥାନରେ ଆକ୍ରମଣ ଯୋଜନା ପ୍ରସ୍ତୁତ ହୋଇଛି। ଜରଗରକୁ ସହାୟତା କରୁଛନ୍ତି ଜୈସ୍‌-ଇମହମ୍ମଦ ଓ ଲସ୍କର-ଇ-ତଏବା ଭଳି ସଂଗଠନ। ଜରଗର ନେତୃତ୍ବରେ ଦିଲ୍ଲୀରେ ପ୍ରବେଶ କରିଥିବା ୪ ଆତଙ୍କବାଦୀଙ୍କୁ ପୁଲିସ ଏବେ ଖୋଜୁଛି। ଏ ନେଇ ବିଭିନ୍ନ ସ୍ଥାନରେ ତନାଘନା ଚାଲିଛି। ସାଇବର କାଫେ, ପୁରୁଣା କାର୍‌ ବିକ୍ରେତା, ରାସାୟନିକ ସାମଗ୍ରୀ ବ୍ୟବସାୟ ସ୍ଥଳ ଓ ସିମ୍‌ କାର୍ଡ ବିକ୍ରୟ କେନ୍ଦ୍ରଗୁଡ଼ିକ ଉପରେ ସର୍ବାଧିକ ନଜର ରଖାଯାଇଛି। ବୁଧବାର ରାତିରେ କାଶ୍ମୀରର ଅଖନୁର ସେକ୍ଟରରେ ଆନ୍ତର୍ଜାତିକ ସୀମା ପାର୍‌ ଉଦ୍ୟମ କରୁଥିବା ଜଣେ ସନ୍ଦିଗ୍ଧୂ ପାକିସ୍ତାନୀ ନାଗରିକକୁ ବିଏସ୍‌ଏଫ ଯବାନମାନେ ଧରିଥିଲେ। କାଶ୍ମୀର ପୁଲିସ ଏବେ ତାକୁ ଜେରା କରୁଛି।
ତିନି ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ସମେତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଆତଙ୍କବାଦୀମାନେ ନିଶାଣ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏଥିସହିତ ସେମାନେ ଦେଶର ୩୦ଟି ପ୍ରମୁଖ ସହରରେ ଆକ୍ରମଣ ଯୋଜନା କରିଥିବାର ସୂଚନା ମିଳିବା ପରେ ଦେଶ ତମାମ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଗତ ମାସ ୧୦ରେ ମଧ୍ୟ ସମଶେର ୱାନୀ ନାମକ ତଥାକଥିତ ଜୈସ୍‌ ଆତଙ୍କବାଦୀ ହିନ୍ଦୀ ଭାଷାରେ ଲିଖିତ ଏଭଳି ଏକ ଆକ୍ରମଣ ଧମକପୂର୍ଣ୍ଣ ଚିଠି ଦେଇଥିଲା।

Comments are closed.