ବୃଦ୍ଧ ବେଶରେ ବିଦେଶ ଯାତ୍ରା କରୁଥିଲେ ଯୁବକ, ଧରିଲା ପୁଲିସ

0

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଜଣେ ୩୨ ବର୍ଷୀୟ ଯୁବକ ଗିରଫ ହୋଇଛନ୍ତି । ବ୍ରାଉନ ସୁଗାର କିମ୍ବା ଆତଙ୍କବାଦୀ ସନ୍ଦେହରେ ତାଙ୍କୁ ଗିରଫ କରାଯାଇ ନାହିଁ । ବରଂ ତାଙ୍କ ଗିରଫ ପଛର କାହାଣୀ ରହିଛି କିଛି ଭିନ୍ନ । ଯୁବକ ଜଣଙ୍କ ୮୧ ବର୍ଷୀୟ ବୃଦ୍ଧଙ୍କ ପାସପୋର୍ଟରେ ଦିଲ୍ଲୀରୁ ଆମେରିକା ଯିବାକୁ ଚେଷ୍ଟା କରୁଥିଲେ । କେବଳ ସେତିକି ନୁହେଁ ଯୁବକ ଜଣଙ୍କ ସେହି ବୃଦ୍ଧଙ୍କ ବେଶ ମଧ୍ୟ ଧାରଣ କରିଥିଲେ । ରାତି ପ୍ରାୟ ୮ଟା ବେଳେ ଯୁବକ ଜଣଙ୍କ ବିମାନ ବନ୍ଦରରେ ପହଞ୍ଚି ଥିଲେ ଏବଂ ରାତି ୧୦ଟା ୪୫ରେ ସେ ନ୍ୟୟୁର୍କ ପାଇଁ ଉଡାଣ ଭରିଥାଆନ୍ତେ ।

କିନ୍ତୁ କୁହାଯାଏ ନା, ଅପରାଧୀ ଯେତେ ଚାଲକ ହେଲେ ମଧ୍ୟ କିଛି ନା କିଛି ଭୁଲ କରିଥାଏ । ସେହିପରି ତାଙ୍କର ଭୁଲ କାର୍ଯ୍ୟକଳାପ ପାଇଁ ସେ ଧରା ପଡି ଯାଇଥିଲେ । ଯୁବକ ଜଣଙ୍କ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ମୁହଁରେ ରଙ୍ଗର ଦାଢି ମଧ୍ୟ ଲଗାଇଥିଲେ । ଏହା ସହ ଏକ ହ୍ବିଲଚେୟାରରେ ଯାଇ ବିମାନ ବନ୍ଦରରେ ପହଞ୍ଚିଥିଲେ । କିନ୍ତୁ ସେ ଯେଉଁ ଚଷମା ପିନ୍ଧଥିଲେ ତାହା ଜିରୋ ପାୱାର ଥିଲା। ଯାହାକୁ ନେଇ ସୁରକ୍ଷାକମୀଙ୍କ ସନ୍ଦେହ ହୋଇଥିଲା। ଯେତେବେଳେ ତାଙ୍କୁ ମେଟଲ ଡିଟେକ୍ଟର ଗେଟ୍‌ ମଧ୍ୟ ଦେଇ ଯିବାକୁ କୁହାଗଲା, ସେ ବାର୍ଦ୍ଧକ୍ୟ କାରଣ ଯୋଗୁଁ ଯିବାକୁ ଅସମର୍ଥ ବୋଲି ପ୍ରକାଶ କରିଥିଲେ । ଏହି ସମୟରେ ଯୁବକ ଜଣଙ୍କ ନିଜର କଣ୍ଠ ସ୍ବରକୁ ମଧ୍ୟ ପରିବର୍ତ୍ତନ କରି କଥା କହିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ସ୍ବର ସହ ତ୍ବଚା ନମିଶିବାରୁ ସୁରକ୍ଷାକର୍ମୀଙ୍କ ସନ୍ଦେହ ଆହୁରି ଦୃଢିଭୂତ ହୋଇଥିଲା।

ସୁରକ୍ଷାକର୍ମୀ ତାଙ୍କ ପାସପୋର୍ଟ ଯାଞ୍ଚ କରିଥିଲେ । ସେଥିରେ ତାଙ୍କ ନାମ ଅମରୀକ ସିଂହ ଏବଂ ଜନ୍ମ ତାରିଖ ୧୯୩୮ ଫେବୃୟାରୀ ୧ ବୋଲି ଉଲ୍ଲେଖ ଥିଲା। ଯେତେବେଳେ ପୁଲିସ ଏନେଇ ଅଧିକ ପଚରାଉଚରା କଲେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ନିଜ ନାମ ଜୟେଶ ପଟେଲ (୩୨) ଏବଂ ସେ ଗୁଜରାଟର ଅହମଦାବାଦ ଅଞ୍ଚଳର ବୋଲି ଯୁବକ ଜଣଙ୍କ ସତ ମାନି ଯାଇଥିଲେ । ପୁଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି । ତେବେ ନକଲି ପାସପୋର୍ଟ ଓ ବୃଦ୍ଧ ବେଶରେ ସେ କାହିଁକି ବିଦେଶ ଯାତ୍ରା କରୁଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply