ଦିଲ୍ଲୀରେ ଅନାହାର ମୃତ୍ୟୁ, ଖାଇବାକୁ ନ ପାଇ ମରିଗଲେ ୩ ଭଉଣୀ

0

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଅନାହାର ମୃତ୍ୟୁ ଖବର ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବ ଦିଲ୍ଲୀର ମାଣ୍ଡୱାଲିରେ ଖାଇବାକୁ ନ ପାଇ ୩ କୋମଳମତି ଭଉଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ମୃତ ୩ ଶିଶୁଙ୍କ ପେଟରେ ଗୋଟିଏ ଦାନା ବି ନଥିଲା ଏବଂ ଦୀର୍ଘ ଦିନ ହେବ ସେମାନେ ପୁଷ୍ଟିକର ଖାଦ୍ୟ ଖାଇ ନ ଥିଲେ। ଫଳରେ ୩ ଭଉଣୀ ବହୁ ଦୁର୍ବଳ ହୋଇପଡ଼ିଥିଲେ। ମଙ୍ଗଳବାର ସକାଳେ ୩ ଭଉଣୀଙ୍କୁ ଅଚେତ ଅବସ୍ଥାରେ ପାଇ ପାଖ ପଡୋଶୀ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଦିନରୁ ପିଲାଙ୍କ ବାପାର ପତ୍ତା ମିଳୁନାହିଁ ଓ ମା’ ମାନସିକସ୍ତରରେ ଦୁର୍ବଳ ଥିବାରୁ କିଛି କହିପାରୁନାହିଁ। ଏହି ୩ ଭଉଣୀଙ୍କ ମୃତ୍ୟୁ ସୋମବାର ରାତିରେ ଘଟିଛି କି ପୃଥକ ପୃଥକ ସମୟରେ ହୋଇଛି, ସେନେଇ ପୁଲିସ୍‍ ଅଧିକ ତଦନ୍ତ ଜାରି ରଖିଛି। ଦିଲ୍ଲୀ ସରକାର ଏନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ୩ ଭଉଣୀ ହେଉଛନ୍ତି ମାନସୀ (୮), ଶିଖା (୪) ଏବଂ ପାରୁଲ (୨)। ବୁଧବାର ଡାକ୍ତରଙ୍କ ଏକ ଦଳ ଏହି ୩ ଭଉଣୀଙ୍କ ପୁନଃ ବ୍ୟବଚ୍ଛେଦ କରିଥିଲେ। ମଙ୍ଗଳବାର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ଏହି ୩ ଶିଶୁ କିଛି ଦିନ ହେବ କିଛି ଖାଇ ନ ଥିଲେ। ତେଣୁ ଡାକ୍ତରମାନେ ୩ ଶିଶୁଙ୍କ ମୃତ୍ୟୁ ଅନାହାର ଯୋଗୁଁ ହୋଇଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି। ମେଡିକାଲ ବୋର୍ଡ ବିଷ, ହତ୍ୟା, କ୍ଷତ, ବିଷାକ୍ତ ଜୀବଙ୍କ କାମୁଡ଼ା ଭଳି ଆଶଙ୍କାକୁ ଖଣ୍ଡନ କରିଛି। ବୁଧବାର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ୨ରୁ ୩ ଦିନ ମଧ୍ୟରେ ଆସିବ। ବୁଧବାର ୩ ଶିଶୁଙ୍କ ଶବ ତାଙ୍କ ମା’କୁ ହସ୍ତାନ୍ତର କରାଯାଇଥିଲା ଓ ପଡୋଶୀ ମିଶି ଅନ୍ତିମ ସତ୍କାର କରିଥିଲେ। ଡିସିପି (ପୂର୍ବ) ପଙ୍କଜ କୁମାର ସିଂହ ସୂଚନା ଦେଇଛନ୍ତି ଯେ ଶିଶୁଙ୍କ ବାପା ମଙ୍ଗଳ ନିଖୋଜ ଅଛି ଓ ତାକୁ ଖୋଜା ଚାଲିଛି। ପଡୋଶୀମାନେ କହିଛନ୍ତି ଯେ ମଙ୍ଗଳ ସୋମବାର ରାତିରେ ଘରେ ଥିଲା। ମଙ୍ଗଳବାର ସକାଳେ ସେ କାମ ଖୋଜିବାକୁ ବାହାରି ଯାଇଥିଲା। ସକାଳ ପ୍ରାୟ ସାଢେ ୧୧ଟା ବେଳେ ମଙ୍ଗଳର ସାଙ୍ଗ ତା ଘରେ ପହଞ୍ଚି ଶିଶୁମାନେ ଅଚେତ୍‍ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଇଥିଲେ। ମଙ୍ଗଳର ସାଙ୍ଗମାନେ ପଡୋଶୀଙ୍କୁ ଡାକି ୩ ଶିଶୁଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply