ସର୍ବୋଚ୍ଚ ନ୍ୟାୟାଳୟରେ କୋର୍ଟମିତ୍ରଙ୍କ ତଥ୍ୟ : ବିଳମ୍ବିତ ହେଉଛି ରାଜନେତାଙ୍କ ବିଚାର

ସାଂସଦ, ବିଧାୟକଙ୍କ ବିରୋଧରେ ୪,୯୮୪ ଫୌଜଦାରୀ ମାମଲା ବିଚାରାଧୀନ

ନୂଆଦିଲ୍ଲୀ : ଦେଶର ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪,୯୮୪ଟି ଫୌଜଦାରୀ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ଏହି ସାଂସଦ ଓ ବିଧାୟକଙ୍କ ମଧ୍ୟରୁ କେତେକ ପୂର୍ବତନ ହୋଇଥିବାବେଳେ ଆଉ କେତେକ (ସିଟିଂ) କାର୍ଯ୍ୟରତ। ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ମାମଲାଗୁଡିକ ତ୍ବରିତ ଭିତ୍ତିରେ ଶୁଣାଣି ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ବାରମ୍ବାର ନିର୍ଦେଶ ଦେଉଥିଲେ ମଧ୍ୟ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ମାମଲାର ଫଇସଲା ହେବା ପରିବର୍ତ୍ତେ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୩ବର୍ଷ ମଧ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ସଂଖ୍ୟା ୮୬୨ ବୃଦ୍ଧି ହୋଇଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିଯୁକ୍ତ କୋର୍ଟ ମିତ୍ର (ଆମିକସ୍ କ୍ୟୁ​ରି) ତଥା ବରିଷ୍ଠ ଓକିଲ ବିଜୟ ହଂସାରିୟଙ୍କ ରିପୋର୍ଟରୁ ଜଣାଯାଇଛି। ହଂସାରିୟାଙ୍କ ରିପୋର୍ଟ ଅନୁଯାୟୀ ବିଚାରାଧୀନ ଥିବା ୪୯୮୪ଟି ମାମଲା ମଧ୍ୟରୁ ୧୮୯୯ଟି ୫ବର୍ଷରୁ ଅଧିକ ଦିନର ପୁରୁଣା ମାମଲା। ୨୦୧୮ ଡିସେମ୍ବର ସୁଦ୍ଧା ଏହି ମାମଲା ସଂଖ୍ୟା ୪୧୧୦ ଥିବାବେଳେ ୨୦୨୦ ଅକ୍ଟୋବରକୁ ଏହା ୪୮୫୯କୁ ବୃଦ୍ଧି ପାଇଥିଲା। ୨୦୧୮ ଡିସେମ୍ବର ପରେ ୨୭୭୫ଟି ମାମଲା ଫଇସଲା କରାଯାଇଥିଲେ ମଧ୍ୟ ଏବେ ଏହା ୪୯୮୪କୁ ବୃଦ୍ଧି ପାଇଛି। ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାର ଫଇସଲା କରିବାକୁ କେତୋଟି ସ୍ବତନ୍ତ୍ର ଅଦାଲତ ସ୍ଥାପନ କରିଛନ୍ତି ଓ କେତେ ସାଂସଦ ବିଧାୟକଙ୍କୁ ଫୌଜଦାରୀ ମାମଲାରେ ଦଣ୍ଡିତ କରି ନିର୍ବାଚନ ଲଢିବାରୁ ବଞ୍ଚିତ କରାଯାଇଛି ତାହା ଜାଣିବା ଲାଗି ଓକିଲ ଅଶ୍ବିନୀ କୁମାର ଉପାଧ୍ୟାୟ ଏକ ପିଟିସନ ଦାୟର କରିଛନ୍ତି। ଓକିଲ ଉପାଧ୍ୟାୟଙ୍କ ପିଟିସନ ଉପରେ କୋର୍ଟମିତ୍ର ହଂସାରିୟା ଏହି ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରୁ ଜଣାଯାଇଛି ଯେ ୪୯୮୪ଟି ମାମଲାରୁ ୩୩୨୨ଟି ମାମଲା ମାଜିଷ୍ଟ୍ରେଟସ୍ତରୀୟ ଅଦଲତ ଓ ୧୬୫୧ଟି ମାମଲା ଜିଲାସ୍ତରୀୟ ଅଦାଲତରେ ବିଚାରାଧୀନ ରହିଛି। ଅପରାଧିକ ପୃଷ୍ଠଭୂମିର ଲୋକମାନେ ଦିନକୁ ଦିନ ଅଧିକ ସଂଖ୍ୟାରେ ସଂସଦ ଓ ବିଧାନସଭାକୁ ନିର୍ବାଚିତ ହେଉଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେଣୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ଫୌଜଦାରୀ ମାମଲାଗୁଡିକ ତ୍ବରିତ ବିଚାର ହେବା ଜରୁରୀ ହୋଇପଡିଛି।

Comments are closed.