ଧାମରା ଅଂଚଳରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଶେଷ ହେବା ନେଇ ଅନିଶ୍ଚିତତା

ଧାମରା : ଧାମରା ଅଂଚଳ ସରକାରୀ ସ୍ତରରେ ଅବହେଳିତ ବୋଲି ସ୍ଥାନୀୟ ଜନସାଧାରଣ ଦାବୀ କରୁଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଚାକିରୀଆଙ୍କ ମାନସିକତା ଅଂଚଳବାସୀଙ୍କୁ ଅବହେଳିତ କରି ଗଢି ତୋଳିବାରେ ସହାୟକ ହେଉଥିବା ଦୃଷ୍ଟି ଗୋଚର ହେଉଥିବା ଜଣାଯାଇଛି । ଧାମରା ଅଂଚଳରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଗତ ଅକ୍ଟୋବର ମାସରେ ଚିଠି କରିଥିଲେ । ଏଥିସହ ସମସ୍ତ ବିଦ୍ୟାଳୟରେ ଅକ୍ଟୋବର ଶେଷ ସୁଦ୍ଧା ଏହି ପରିଚାଳନା କମିଟି ଗଠନ କରିବାକୁ ଏହି ଚିଠିରେ ସମସ୍ତ ସିଆରସିସି ମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଧାମରା ଅଂଚଳରେ ପାଇକସାହି, ଦୋସିଙ୍ଗା, କରଞମାଳ ଏବଂ କରଣପଲ୍ଲୀ ଏହି ପରି ୪ଟି କ୍ଲଷ୍ଟର ଅଛି। ପାଇକସାହି କ୍ଲଷ୍ଟରରେ ୧୮ଟି ବିଦ୍ୟାଳୟ,ଦୋସିଙ୍ଗା କ୍ଲଷ୍ଟର ଅଧିନରେ ୧୮, କରଞମାଳ କ୍ଲଷ୍ଟର ଅଧିନରେ ୧୬ଟି ଏବଂ କରଣପଲ୍ଲୀ କ୍ଲଷ୍ଟର ଅଧିନରେ ୧୫ଟି ବିଦ୍ୟାଳୟ ଅଛି । ଏହି ବିଦ୍ୟାଳୟ ପରିଚାଳନା କମିଟି ୧୯ସଦସ୍ୟ ବିଶିଷ୍ଟ ହୋଇଥିବା ବେଳେ ପ୍ରତି କମିଟିରେ ୬ଜଣ ଛାତ୍ରଛାତ୍ରୀଙ୍କ ପିତା, ୬ଜଣ ମାତା, ୨ଜଣ ବିଦ୍ୟାଳୟର ଶିକ୍ଷକ, ୧ଆଶାକର୍ମୀ, ୧ ଓାର୍ଡ ମେମ୍ବର, ୧ ଅଙ୍ଗନୱାଡି କର୍ମୀ ଏବଂ ପ୍ରତି ବିଦ୍ୟାଳୟର ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୨ଜଣକୁ ମନୋନୀତ କରାଯାଇ ଏହି ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେବାର ନିୟମ ଅଛି ।  ଜିଲ୍ଲା ଶିକ୍ଷାଧିକାରୀ ତଥା ବ୍ଲକ ଶିକ୍ଷାଧିକାରୀଙ୍କ ଚିଠି ଅବଧି ଶେଷ ହେବାର ୪୦ ଦିନ ବିତିଯାଇଥିଲେ ମଧ୍ୟ ଆଜି ପଯ୍ୟନ୍ତ ଏହି ଅଂଚଳରେ ଥିବା ୬୭ଟି ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇ ପାରିନାହିଁ । ସର୍ବଶେଷ ଖବର ଅନୁଯାୟୀ କରଞମାଳ କ୍ଲଷ୍ଟରରେ ଥିବା ୧୬ଟି ବିଦ୍ୟାଳୟରେ ଏହି କମିଟି ଗଠନ ହୋଇ ସାରିଥିବା ବେଳେ ଦୋସିଙ୍ଗା କ୍ଲଷ୍ଟରରେ ୧୭ଟି, କରଣପଲ୍ଲୀ କ୍ଲଷ୍ଟରରେ ୭ଟି ଏବଂ ପାଇକସାହି କ୍ଲଷ୍ଟରରେ ୨ଟି ବିଦ୍ୟାଳୟରେ ଏହି କମିଟି ଗଠନ ହୋଇ ପାରି ନାହିଁ । ବଡ ରୋଚକର ବିଷୟ ସର୍ବପୁରାତନ ତଥା ଜିଲ୍ଲାରେ ୫-ଟି ପାଇଁ ଗର୍ବ ଏବଂ ଗୌରବମଣ୍ଡିତ କରିଥିବା ଧାମରାଇ ଉଚ୍ଚ ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଏହି କମିଟି ଗଠନ ହୋଇ ପାରି ନଥିବା ବେଳେ ବାଂଶଡା ନିକଟସ୍ଥ ଗଙ୍ଗାଧରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏହି କମିଟି ଗଠନ ବେଳେ ସହକାରୀ ଶିକ୍ଷୟତ୍ରୀଙ୍କ ମୋବାଇଲ ନମ୍ବରଟି ଏହି କମିଟିରେ ସ୍ଥାନ ପାଇ ପାରି ନଥିବା ଜଣେ ଅଭିଭାବକ ତଳେ ପକାଇ ଭାଙ୍ଗି ଦେଇଥିଲେ,ଏ ନେଇ ବାଂଶଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସଂପୃକ୍ତ ଶିକ୍ଷୟତ୍ରୀ ଆଜି ପର୍ଯ୍ୟନ୍ତ ନିଜର ମୋବାଇଲ ଫେରି ପାଇନଥିବା ଜଣାଯାଇଛି । ଏହି କମିଟି ଗଠନ ନ ହେବା ଫଳରେ ବିଦ୍ୟାଳୟ ମାନଙ୍କରେ ହେବାକୁ ଥିବା ଅନୁଦାନ ଖର୍ଚ ନ ହୋଇ ପଡି ରହିଛି ଫଳରେ ବହୁ ବିଦ୍ୟାଳୟ ମାନଙ୍କରେ ଛୋଟିଆ ଛୋଟିଆ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ଥାଇ ମଧ୍ୟ କାର୍ଯ୍ୟ ସଂପୂର୍ଣ ହୋଇ ପାରୁ ନଥିବା ଜଣାଯାଇଛି। ଏହି ପରିଚାଳନା କମିଟି ଗଠନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଭିତରେ ଥିବା ମନାନ୍ତର ଏବଂ ମତାନ୍ତର ପଦାରେ ପଡୁଛି। ବହୁ ପ୍ରଧାନ ଶିକ୍ଷକ ରାଜନୈତିକ ନେତୃବୃନ୍ଦଙ୍କୁ ଦୋଷ ଦେଉଥିବା ବେଳେ କିଛି ଲୋକପ୍ରତିନିଧି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ଅଙ୍ଗୁଳି ନିର୍ଦେଶ କରୁଛନ୍ତି। କେଉଁ ପରିସ୍ଥିତିରେ ଏହି ପରିଚାଳନା କମଟି ଗଠନ ହୋଇ ପାରୁନାହିଁ ବୋଲି ସଂପୃକ୍ତ ସିଆରସିସି ମାନଙ୍କ ସହ ଯୋଗାଯୋଗ କରିବାରୁ ସେ ଖୁବ ଶୀଘ୍ର ଏହି କମିଟି ଗଠନ କାର୍ଯ୍ୟ ସମାପ୍ତ କରିବେ ବୋଲି ମତ ପୋଷଣ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଚିଠିର ଅବଧି ମଧ୍ୟରେ ଶେଷ ହୋଇ ପାରି ନଥିବା କାର୍ଯ୍ୟ କେବେ ସମାପ୍ତ ହେବ ତାହା ଚର୍ଚାର ବିଷୟ ପାଲଟିଛି । ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଗୋଲକ ନାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା।

Comments are closed.