ଅପ୍ରିଲ୍‌ ୧୩ରେ ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ, ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ଆଖିରେ ଲୁହ!

ଭାଙ୍ଗି ଗଲେ ଫିଙ୍ଗିଦେବେ ସିନା ରଖିବାର କଳା ଜଣାନାହିଁ: ରଘୁନାଥ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଗୋଲେଇ ଛକର ଘୋଡ଼ା ହେଉଛି ଓଡ଼ିଶାର ପରିଚୟ। ତିନି ଦଶନ୍ଧି ଧରି ରାଜଧାନୀର ଆକର୍ଷଣ ଏହି ଘୋଡ଼ା ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ପରିଚୟ ହଜିଯିବାକୁ ବସିଛି। ଇଟା, ଟାଇଲ ସବୁ ଖସି ମୂଳ ଦୋହଲିଲାଣି। କେତେବେଳେ ଯେ ଭୁଶୁଡ଼ି ପଡ଼ିବ କହିେହବନି। ସ୍ମାର୍ଟସିଟିର ସ୍ମାର୍ଟ ପ୍ରକଳ୍ପ ଭିତରେ ପରିତ୍ୟକ୍ତ ହୋଇ ପଡ଼ିରହିଛି ମାଷ୍ଟରକ୍ୟାଣ୍ଟିନ୍ ଘୋଡ଼ା। ହେଲେ ଏହା ଉପରେ କାହାର ନଜର ନାହିଁ। ୪୧ ବର୍ଷ ପୂର୍ବେ ୧୯୮୦ରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ସ୍ଥାପିତ ହୋଇଥିଲା ଏହି ଘୋଡ଼ା। ରାଜଧାନୀକୁ ନୂଆ କରି ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରିଥିଲେ।

ଦିନ ଥିଲା ରାଜଧାନୀର ପ୍ରମୁଖ ପରିଚୟ କହିଲେ ମାଷ୍ଟରକ୍ୟାଣ୍ଟିନ୍‍ ଛକର ଘୋଡ଼ା ମୂର୍ତ୍ତିକୁ ବୁଝାଯାଉଥିଲା। ଏହାର ନିର୍ମାଣ ଶୈଳୀ ଏବଂ ମୂର୍ତ୍ତିରେ ରହିଥିବା କଳାକୃତି ଆମ ରାଜ୍ୟର ଉତ୍କୃଷ୍ଟ କଳା ସଂସ୍କୃତିର ପରିଚୟ ଦେଇଥିଲା। ଏବେ ସମୟ ବଦଳିଛି। ରାଜଧାନୀ ଭୁବନେଶ୍ୱରର କଳେବର ବୃଦ୍ଧି ଘଟିଛି। ସମୟକ୍ରମେ ଏହା ସ୍ମାର୍ଟସିଟିର ରୂପ ନେଇଛି। ବ୍ୟବସାୟ ଓ ଶିକ୍ଷାର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଏହାର ସଂସ୍କୃତି ଓ ଐତିହ୍ୟ ବିଶ୍ୱ ଦରବାରରେ ଚମକିଛି। ହେଲେ ଯେଉଁ କଳା ସଂସ୍କୃତିକୁ ନେଇ ରାଜଧାନୀ ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ତାହା ଏବେ ଅସୁରକ୍ଷିତ। ମାଷ୍ଟରକ୍ୟାଣ୍ଟିନ୍‌ର ସେଇ ଘୋଡ଼ା ଆଖିରେ ଲୁହ ଦେଖିବାକୁ ମିଳୁଛି। ଯାହାକୁ ନେଇ ଏହାକୁ ନିର୍ମାଣ କରିଥିବା ଶିଳ୍ପୀ କ୍ଷୋଭ ପ୍ରକାଶ କରିଛନ୍ତି।

ଚଳିତ ମାସ ୧୩ ତାରିଖ ଅର୍ଥାତ୍‌ ଅପ୍ରିଲ୍‌ ୧୩ରେ ରାଜଧାନୀ ପ୍ରତିଷ୍ଠା ଦିବସ। ସେହି ଦିନକୁ ରାଜଧାନୀ ୭୪ବର୍ଷରେ ପଦାର୍ପଣ କରିବ। କିନ୍ତୁ ଅବହେଳିତ ଅବସ୍ଥାରେ ଏହି ଘୋଡ଼ାଟି ଥିବାବେଳେ ସେଥିରୁ ଟାଇଲଗୁଡ଼ିକ ଖସି ଖଣ୍ଡିଆ ଖାବରା ମୂର୍ତ୍ତିକୁ ଅସୁନ୍ଦର କରିଛି। ଏହାର ଚତୁଃପାର୍ଶ୍ବରେ ଥିବା ଲୁହା ବ୍ୟାରିକେଡ ଭାଙ୍ଗିରୁଜି ଯାଇଥିବାବେଳେ ବିଭିନ୍ନ ଅନାବନା ଗଛରେ ଅଳିଆ ଆବର୍ଜନା ପରିବେଶ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୧୯୭୯ରେ ଏହି ମୂର୍ତ୍ତିର ନିର୍ମାଣ କରିଥିଲେ ପ୍ରଖ୍ୟାତ ପ୍ରସ୍ଥରଶିଳ୍ପୀ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର। ତାଙ୍କ ନିହାଣ ମୂନରେ ଜୀବନ୍ତ ଭାବେ ଗଢ଼ିଉଠିଥିଲା ଏହି ମୂର୍ତ୍ତି। ସେତେବେଳେ ତାଙ୍କୁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିଥିଲା। ମୂର୍ତ୍ତି ନିର୍ମାଣ ପାଇଁ ନେତୃତ୍ୱ ନେଇଥିବା ଇଣ୍ଡିଆନ ଅଏଲ କର୍ପୋରେସନ ଏ ବାବଦରେ ପାରିଶ୍ରମିକଭାବେ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ତେବେ ସେହି ମୂର୍ତ୍ତିଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହେବାକୁ ଯାଉଥିବାବେଳେ ମୂର୍ତ୍ତି ଆଖିରେ ଯେମିତି ଲୁହ ଦୃଶ୍ୟମାନ ହେଉଥିବା ଶିଳ୍ପୀ ଶ୍ରୀ ମହାପାତ୍ର କହିଛନ୍ତି।

ତାଙ୍କ କହିବା ଅନୁସାରେ ଏହାର ପରିବେଶ ଏବଂ ରକ୍ଷଣାବେକ୍ଷଣ ଦେଖିଲେ ଆମ କଳା ସଂସ୍କୃତିକୁ କିପରି ରକ୍ଷା କରାଯାଉଛି ତାହା ସୁସ୍ପଷ୍ଟ। ସେପରି ମୂର୍ତ୍ତି ପାଇଁ ଏବେ କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ହୋଇପାରିବା ସମ୍ଭବ ନୁହେଁ। ଅନୁରୂପ ଭାବେ କୋଣାର୍କରେ ମଧ୍ୟ ଏକ ଅଶ୍ୱମୂର୍ତ୍ତି ଭାଙ୍ଗିଗଲାଣି। ତା’ର ଆବଶ୍ୟକ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ। ଏହା ହେଉଛି ଆମ କଳାକୃତିର ନିଦର୍ଶନ। ଭାଙ୍ଗି ଗଲେ ଫିଙ୍ଗିଦେବେ ସିନା ରଖିବାର କଳା କାହାକୁ ଜଣାନାହିଁ ବୋଲି କ୍ଷୋଭର ସହ ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଛନ୍ତି।

ଭାରତର ପରିଚୟ ଅଶୋକ ସ୍ତମ୍ଭ ଭଳି ଓଡ଼ିଶାର ପ୍ରତୀକ ମାଷ୍ଟରକ୍ୟାଣ୍ଟିନର ଏହି ଘୋଡ଼ା ବିଧାନସଭାକୁ ମୁହଁ କରି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ପ୍ରସିଦ୍ଧ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ୧୯୭୯ରେ ଏହାର ନିର୍ମାଣ ଦାୟିତ୍ୱ ଦେଇଥିଲେ। କୋଣାର୍କ ମନ୍ଦିରର ଅଶ୍ୱ ଦ୍ୱାରରେ ଥିବା ଏକ ଅଶ୍ୱ ଭଳି ଅବିକଳ ପ୍ରତିମୂର୍ତ୍ତି ସେ ତିଆରି କରିଥିଲେ। ୨୪ ଫୁଟ ଲମ୍ବା ଓ ୨୦ ଫୁଟ ଉଚ୍ଚ ଏହି ଘୋଡ଼ା ମାଷ୍ଟରକ୍ୟାଣ୍ଟିନ୍ ଗୋଲେଇ ଛକରେ ଠିଆ ହେଲା। ଖୁବ୍ କମ୍ ଦିନ ମଧ୍ୟରେ ଏହା ରାଜଧାନୀର ପରିଚୟ ପାଲଟିଗଲା। ମାଷ୍ଟରକ୍ୟାଣ୍ଟିନ୍ କହିଲେ, ପଥର ଉପରେ ଛିଡ଼ା ହୋଇଥିବା ଘୋଡ଼ା ଆଖି ସାମ୍ନାକୁ ଚାଲି ଆସେ। ଏ ଘୋଡ଼ା କେତେ ଶୋଭାଯାତ୍ରା କେତେ ଧାରଣା ଦେଖିଛି। ଫଣି, ଫାଇଲିନ, ହୁଡ଼ହୁଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା ବି କରିଛି। ଘୋଡ଼ା ପ୍ରତିମୂର୍ତ୍ତି ଥିବା ମଞ୍ଚରୁ ଟାଇଲ ଛାଡ଼ି ଯିବା ସହ ଅନାବନା ଗଛ ମାଡ଼ି ଯାଇଛି। ମଞ୍ଚର ଇଟା ଫାଟି ଆଁ କରିଥିଲାବେଳେ ଘୋଡ଼ା ମୂର୍ତ୍ତି ଉପରେ ଶିଉଳି ଲାଗିଗଲାଣି। ଏ ପରିଚୟକୁ ବଞ୍ଚାଇବା ଲାଗି ବିଡିଏ ଓ ବିଏମ୍‌ସିର କୌଣସି ଆନ୍ତରିକତା ଥିଲା ଭଳି ମନେ ହେଉନାହିଁ। ଏମିତି ଆଉ କିଛି ଦିନ ରହିଲେ ପ୍ରତିମୂର୍ତ୍ତି କେତେବେଳେ ଯେ ଭୁଶୁଡ଼ି ପଡ଼ିବ କହିେହବ ନାହିଁ। ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ପାଇଁ କାହିଁ କେତେ କ’ଣ ଯୋଜନା ହେଉଛି। ରାଜଧାନୀର ସବୁ କାନ୍ଥବାଡ଼ରେ ରଙ୍ଗବେରଙ୍ଗର ଚିତ୍ର ଅଙ୍କାଯାଇଛି। ହେଲେ କୋଣାର୍କ ଭଳି ଓଡ଼ିଶାର ଗୌରବକୁ ସାଇତି ରଖିଥିବା ଏହି ଘୋଡ଼ାକୁ କ’ଣ ପାଇଁ ଉପେକ୍ଷା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Comments
Loading...