ଚେନ୍ନଇସ୍ଥିତ ଏଚଭିଏଫରୁ ୧୧୮ ଲଢୁଆ ଟ୍ୟାଙ୍କ କିଣିବ ପ୍ରତିରକ୍ଷା ବାହିନୀ

ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ବିଭାଗ ଚେନ୍ନଇ ନିକଟ ଆଭାଡିଠାରେ ଥିବା ହେଭି ଭେଇକଲସ ଫାକ୍ଟରି (ଏଚପିଏଫ) ନିକଟରୁ ୧୧୮ଟି ମୁଖ୍ୟ ଲଢୁଆ ଟ୍ୟାଙ୍କ (ଏମବିଟି) ଖରିଦ କରିବ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏଚଭିଏଫ ନିକଟରେ ଅର୍ଡର ଉପସ୍ଥାପନ କରାଯାଇଛି। ଏଗୁଡିକର ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହାଦ୍ୱାରା ୨୦୦ ଭାରତୀୟ ସଂସ୍ଥା ପାଇଁ ପ୍ରତିରକ୍ଷା ଉପକରଣ ନିର୍ମାଣ କରିବାର ସୁଯୋଗ ସୃଷ୍ଟି ହେବାକୁ ଯାଉଛି ଏବଂ ତାହାସହିତ ଦେଶରେ ୮୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଅର୍ଡର ଉପସ୍ଥାପନ କେନ୍ଦ୍ର ସରକାରଙ୍କ ଛାମୁଆ କାର୍ଯ୍ୟକ୍ରମ ମେକ୍‍ ଇନ ଇଣ୍ଡିଆ ଅଧୀନରେ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଏମବିଟି ଅର୍ଜୁନ ଏମକେ ୧ଏ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଏମ ଏମ ନରବାଣେଙ୍କୁ ହସ୍ତାନ୍ତର କରିଥିଲେ। ଏହି ପ୍ରକଳ୍ପରୁ ଅଧିକ ଘାତକ ଏବଂ ସର୍ବାଧୁନିକ ଅର୍ଜୁନ ଏମକେ-୧ଏ ଟ୍ୟାଙ୍କ ପ୍ରସ୍ତୁତ ହେବ ବୋଲି ଜଣାଯାଇଛି। ଏହି ଟ୍ୟାଙ୍କର ସଠିକ ଏବଂ ଉଚ୍ଚତର ଆକ୍ରମଣକାରୀ କ୍ଷମତା ରହିଛି। ତାହାସହିତ ଏହା ନିଜର ସୁରକ୍ଷା ପାଇଁ ବହୁସ୍ତରୀୟ ସୁରକ୍ଷାରେ ସଜ୍ଜିତ ହୋଇଛି। ଏହା ଉଭୟ ଦିନ ଓ ରାତିରେ ଶତ୍ରୁପକ୍ଷର ମୁକାବିଲା କରିବାକୁ ସମର୍ଥ। ଏସବୁ ସହିତ ଏହା ସମସ୍ତ ପ୍ରକାର ଭୂଭାଗରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବ। କହିବାକୁ ଗଲେ ସ୍ୱଦେଶୀ ସ୍ତରରେ ପ୍ରସ୍ତୁତ ଏହି ଟ୍ୟାଙ୍କ ଏହି ଶ୍ରେଣୀରେ ପୃଥିବୀର ଯେକୌଣସି ରାଷ୍ଟ୍ରର ଟ୍ୟାଙ୍କ ସହିତ ସମକକ୍ଷ। ଭାରତୀୟଭୌଗୋଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଉଛି, ଯଦ୍ଦ୍ୱାରା ଦେଶର ସୀମାନ୍ତକୁ ସଫଳତାର ସହିତ ସୁରକ୍ଷା ଦେଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.