ବାୟୁସେନା ଦିବସରେ ରାଫେଲ ଉଡାଇବେ ରାଜନାଥ ; ଭାରତକୁ ମିଳିବ ପ୍ରଥମ ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମଙ୍ଗଳବାର ଲଢୁଆ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଆନୁଷ୍ଠାନିକ ଭାବେ ଫ୍ରାନ୍ସ ଠାରୁ ଏହାକୁ ଗ୍ରହଣ କରିବେ।

ଆଜି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଏବଂ ଆଜି ମଧ୍ୟ ଦଶହରା ଓ ବିଜୟା ଦଶମୀ ପାଳିତ ହେଉଛି । ଏଭଳି ଏକ ଶୁଭ
ଦିନରେ ପ୍ରତିରକ୍ଷା ମନ୍ତ୍ରୀ ପୂଜାର୍ଚ୍ଚନା ପୂର୍ବକ ପ୍ରଥମ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିବେ। ଫ୍ରାନ୍ସଠାରୁ ୩୬ଟି ରାଫେଲ୍‍ ଯୁଦ୍ଧ ବିମାନ କିଣିବାକୁ ୨୦୧୬ରେ ଭାରତ ୫୯ହଜାର କୋଟି ଟଙ୍କାର ଏକ ବୁଝାମଣା ସ୍ବାକ୍ଷର କରିଥିଲା। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୪ଟି ରାଫେଲ ବିମାନ ମିଳିବ ଏବଂ ଏ ସବୁ ଆସନ୍ତା ବର୍ଷ ମେ’ ମାସ ସୁଦ୍ଧା ଭାରତରେ ପହଞ୍ଚଯିବ। ଅବଶିଷ୍ଟ ୩୨ଟି ରାଫେଲ୍‍ ବିମାନ ୨୦୨୨ ସେପ୍ଟେମ୍ବର ସୁଦ୍ଧା ଭାରତ ପାଇବ।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ୟାରିସ୍‍ଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ୍‍ଙ୍କୁ ସାକ୍ଷାତ କରିବେ।  ଫ୍ରାନ୍ସରେ ନିର୍ମିତ ଲଢ଼ୁଆ ରାଫେଲ୍‍ ଯୁଦ୍ଧ ବିମାନ ଭାରତ କିଣିବାକୁ ଭାରତ କରିଥିବା ଚୁକ୍ତି ଅନୁସାରେ ଆଜି ଆନୁଷ୍ଠାନିକ ଭାବେ ଶ୍ରୀ ମାକ୍ରନ୍‍ ଭାରତକୁ ଗୋଟିଏ ବିମାନ ପ୍ରଦାନ କରିବେ। ଏହି ଅବସରରେ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଫ୍ରାନ୍ସର ବୋର୍ଡେ ବନ୍ଦର ନଗରୀରେ ଏହି ବିମାନ ତିଆରି କରାଯାଉଛି।

ଦଶହରା ଅବସରରେ ଶ୍ରୀ ସିଂହ ଆଜି ସେଠାରେ  ଶସ୍ତ୍ରପୂଜା କରିବା ସହ ଆନୁଷ୍ଠାନିକ ଭାବେ ଏହି ଯୁଦ୍ଧ ବିମାନକୁ ଉଡ଼ାଇବେ।
ପ୍ୟାରିସରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଏକ ଟ୍ୱିଟ ବାର୍ତ୍ତାରେ କହିଛନ୍ତି ଯେ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବେଶ୍‍ ନିବିଡ଼ ସମ୍ପର୍କ ରହିଛି ଏବଂ ଏହାକୁ ଆହୁରି ଦୃଢ଼ କରିବାକୁ ଉଦ୍ୟମ କରାଯିବ। ସାମରିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏଲିସି ପ୍ୟାଲେସ୍‍ରେ ଶ୍ରୀ ସିଂହ ମାକ୍ରନ୍‍ଙ୍କୁ ଭେଟିବେ। କଥାବାର୍ତ୍ତା ପରେ ପ୍ରତିରକ୍ଷା ମନ୍ତ୍ରୀ ବୋର୍ଡେ ଯାଇ ଆନୁଷ୍ଠାନିକ ଭାବେ ପ୍ରଥମ ରାଫେଲ୍‍ ଯୁଦ୍ଧ ବିମାନ ଗ୍ରହଣ କରିବେ।

 

Comments are closed.