ଭାରତର ପ୍ରତିରକ୍ଷା କ୍ଷମତା କୌଣସି ଦେଶ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ, କାରଣ ଭାରତ ଶାନ୍ତି ଚାହେଁ: ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ଭାରତ ପାଖରେ ରହିଥିବା ପ୍ରତିରକ୍ଷା କ୍ଷମତା କୌଣସି ଦେଶ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ, କାରଣ ବିଶ୍ୱ ଶାନ୍ତି ଦିଗରେ ଭାରତର ଅବଦାନ ଯଥେଷ୍ଟ ରହିଛି ଏବଂ ଭାରତ ସର୍ବଦା ଶାନ୍ତି ଚାହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ଲକ୍ଷ୍ନୌଠାରେ ଆୟାଜିତ ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦ୍ଘାାଟନ କରିବା ଅବସରରେ ଉଦ୍ବୋତଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ପାଇଁ ଯଥେଷ୍ଟ ସୁଯୋଗ ରହିଛି ଓ ତାଙ୍କ ସରକାରଙ୍କ ନୀତି ଏ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧିକୁ ସାହାଯ୍ୟ କରିଛି । ଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ଗତ ପାଞ୍ଚ ବର୍ଷ ଭିତରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି ଓ ବର୍ତ୍ତମାନ ଏ କ୍ଷେତ୍ରରେ ପୁଞ୍ଜିନିବେଶ ଓ ନୂଆ ନୂଆ ପଦ୍ଧତି ଅବଲମ୍ବନ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିଛି । ମୋଦୀ କହିଛନ୍ତି, ଗତ ପାଞ୍ଚ ବର୍ଷ ଭିତରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୧୭ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୪ ସୁଦ୍ଧା ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୩୫ହଜାର କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି ।

ସେ କହିଛନ୍ତି, ସମଗ୍ର ବିଶ୍ୱ ବୈଷୟିକ ଜ୍ଞାନର ଅପବ୍ୟବହାର, ଆତଙ୍କବାଦ ଓ ସାଇବର ବିପଦ ଭଳି ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଏହିଭଳି ବିପଦଗୁଡ଼ିକର ମୁକାବିଲା ପାଇଁ ପ୍ରତିରକ୍ଷା ବାହିନୀଗୁଡ଼ିକ ଲାଗି ନୂଆ ନୂଆ ଜ୍ଞାନ କୌଶଳର ଆବଶ୍ୟକତା ଦେଖାଦେଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ପ୍ରତିରକ୍ଷା କ୍ଷମତା କୌଣସି ଦେଶ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ, କାରଣ ବିଶ୍ୱ ଶାନ୍ତି ଦିଗରେ ଭାରତର ଅବଦାନ ଯଥେଷ୍ଟ ରହିଛି । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏ ସମ୍ବନ୍ଧୀୟ ନୀତିରୁ ସର୍ବାଧିକ ଫାଇଦା ହାସଲ କରିବା ପାଇଁ ଦେଶର ବଡ଼ବଡ଼ ଶିଳ୍ପ ସଂସ୍ଥାମାନେ ଏକ ସାଧାରଣ ମଞ୍ଚ ଅଧୀନରେ କାର୍ୟ୍ୟ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରତିରକ୍ଷା ପ୍ରଦର୍ଶନୀକୁ ଯୁବପୀଢ଼ି ପାଇଁ ଏକ ବଡ଼ ସୁଯୋଗ ଭାବେ ବର୍ଣ୍ଣନା କରି ଏହା ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ପଥ ଉନ୍ମୁକ୍ତ କରିବା ବିଷୟ ମୋଦୀ ଉଲ୍ଲେଖ କରିଛନ୍ତି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା କେବଳ ଏପର୍ୟ୍ୟନ୍ତ ଦେଶର ସର୍ବବୃହତ ପ୍ରତିରକ୍ଷା ପ୍ରଦର୍ଶନୀ ନୁହେଁ ଏହା ମଧ୍ୟ ବିଶ୍ୱର ସର୍ବବୃହତ୍ ପ୍ରତିରକ୍ଷା ପ୍ରଦର୍ଶନୀ ହେବାକୁ ଯାଉଛି । ମୋଦୀ କହିଛନ୍ତି, ଭବିଷ୍ୟତରେ ଉତ୍ତରପ୍ରଦେଶ ଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନର ଏକ ବଡ଼ କେନ୍ଦ୍ର ହୋଇପାରିବ । ପ୍ରତିରକ୍ଷା କରିଡ଼ରଗୁଡ଼ିକ ମାଧ୍ୟମରେ ନିଯୁକ୍ତି ସୃଷ୍ଟି ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ତାମିଲନାଡୁ ଓ ଉତ୍ତରପ୍ରଦେଶର ଦୁଇଟି ଯାକ ପ୍ରତିରକ୍ଷା କରିଡ଼ର ଆସନ୍ତା କିଛିବର୍ଷ ମଧ୍ୟରେ ୨୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବ । ଏ କ୍ଷେତ୍ରର ଭବିଷ୍ୟତ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ସଂଖ୍ୟା ଆଗାମୀ ବର୍ଷଗୁଡ଼ିକରେ ୧୫ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୫ ବର୍ଷ ଭିତରେ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀର ୫ହଜାର ଯନ୍ତ୍ରାଂଶ ଭାରତରେ ନିର୍ମିତ ହେବ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍ବୋରଧନ ଦେଇ କହିଛନ୍ତି, ଭାରତୀୟ ପ୍ରତିରକ୍ଷା ଉତ୍ପାଦନର ତିନୋଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ମଧ୍ୟରେ ନୀତି, ଉତ୍ପାଦନ ଓ ଭାଗିଦାରୀ ଅନ୍ତର୍ଭୁକ୍ତ ।

Comments are closed.