ଗଢୁ ଗଢୁ ଭାଙ୍ଗୁଛି : କାମର ଗୁଣବତ୍ତା ନେଇ ପ୍ରଶ୍ନବାଚୀ ? ଯଶିପୁର ମହାଦୁର୍ନିତି ପରେ ବି ଚେତୁନି ପ୍ରଶାସନ

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ମନରେଗା କାମ କିପରି ଚାଲିଛି ତାର ଏକ ନମୁନା ଦେଖିବାକୁ ମିଳିଛି ମହୁଲଡିହାରେ l ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୬ ଲକ୍ଷ ଟଙ୍କା ବ୍ୟୟରେ ୫୩ ନମ୍ବର ରାଜ୍ୟ ରାଜ ପଥ ପାର୍ଶ୍ଵରେ ନିର୍ମାଣ ହେଉଛି କଂକ୍ରିଟ କେନାଲ l ୨୦୧୯-୨୦ ବର୍ଷରେ ଅନୁମୋଦିତ ହୋଇ ଏବେ ନିର୍ମାଣାଧୀନ ଥିବା ଏହି କଂକ୍ରିଟ କେନାଲ ତିଆରି ଚାଲିଥିବାବେଳେ ଭାଙ୍ଗିଯିବା ବେଶ ହାସ୍ୟାସ୍ପଦ ଘଟଣା ହୋଇଛି l ଏବେ ମହୁଲଡିହା ବଜାରରେ କେବଳ ଏହି ଘଟଣାକୁ ନେଇ ଚର୍ଚ୍ଚା l ସେ ରାସ୍ତାରେ ଗଲେ ସାମ୍ବାଦିକ କେନାଲ କାମ ଦେଖି ପାରୁନାହାନ୍ତି କି ? ବୋଲି ଟାହି ଟାପରା କରୁଛନ୍ତି l ଗ୍ରାମ ସଂଯୋଜକ ନାମରେ କାମ ହୋଇଥିଲେ ମଧ୍ୟ ପ୍ରକୃତରେ ଛାୟା କଣ୍ଟ୍ରାକଟର ହିଁ କାମ କରୁଛନ୍ତି l

କାମ ବେଳେ କନିଷ୍ଠ ଯନ୍ତ୍ରୀ ରହୁନାହାନ୍ତି l ଫଳରେ ଅତି ନିମ୍ନ ମାନର କାମ ହେଉଛି l କାମ କରିବା ବେଳେ ଭାଙ୍ଗିଥିବାରୁ ପୁନଶ୍ଚ ନିର୍ମାଣ ସୁଯୋଗ ରହିଛି l ମାତ୍ର ପେମେଣ୍ଟ ସରିଥିଲେ ମରାମତି ପାଇଁ ରାଜକୋଷରୁ ପୁନର୍ବାର ଖର୍ଚ୍ଚ କରାଯାଇଥାନ୍ତା l କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ନାଏକ ଙ୍କୁ ପଚାରିବାରୁ ଆଉ ଥରେ କାମ ହେବ ବୋଲି କହିଛନ୍ତି l କାମର ମାନରେ ବୁଝାମଣା କରାଯିବା ପଛରେ କଣ ରହସ୍ୟ ରହିଛି ତାହା ଅନୁସନ୍ଧାନ ସାପେକ୍ଷ l ରାଜ୍ୟ ରାଜପଥ ପାର୍ଶ୍ୱରେ ଯଦି ଏପରି ମାନରେ କାର୍ଯ୍ୟ ହେଉଛି ତେବେ ମହୁଲଡିହା ଗ୍ରାମ ପଞ୍ଚାୟତର ଗାଁ, ଗହଳିରେ ହୋଇଥିବା କାର୍ଯ୍ୟର ମାନ ନିରୀକ୍ଷଣ ହେବା ପାଇଁ ଦାବୀ ଉଠିଛି l ସମ୍ପୃକ୍ତ କଣ୍ଟ୍ରାକ୍ଟର ପଞ୍ଚାୟତ କର୍ତୃପକ୍ଷଙ୍କୁ ନିଜ ନିୟନ୍ତ୍ରଣରେ ରଖିଥିବାରୁ ବେପରୁଆ ହୋଇଥିବା ଏବଂ ଅଧିକ ଲାଭଖୋର ମନୋଭାବ ହିଁ ନିମ୍ନ ମାନର କାମ ପଛର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି l ତେବେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକରେ ମହାଦୁର୍ନୀତି ପଦାକୁ ଆସିବା ପରେ ମଧ୍ୟ ଏଠାରେ ଚେତୁ ନଥିବା ମହୁଲଡିହା କେନାଲ କାମରୁ ଆଭାସ ମିଳୁଛି।

Comments are closed.