ଡବ୍ଲ୍ୟୁଏଚଓ ମୁଖ୍ୟଙ୍କ ସହ ଲାଇଭ୍‍ ଆଲୋଚନା କରିବେ ଦୀପିକା; ଲୋକଙ୍କୁ କରିବେ ସଚେତନ

ମୁମ୍ବଇ: କରୋନାକୁ ନେଇ ଅନେକ ବଲିଉଡ଼ ସେଲିବ୍ରିଟି ଭିନ୍ନ ଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି। ସେହିଭଳି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ଲୋକଙ୍କୁ ସଚେତନ କରିବାକୁ ଆଉ ପାଦେ ଆଗେଇ ଆସିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ)ର ନିର୍ଦ୍ଦେଶକ ଜେନେରାଲ୍‍ ଡା. ଟେଡ୍ରୋସ ଅଧାନୋମ ଘେବ୍ରେୟେସସଙ୍କ ସହ ଦୀପିକା ଇନ୍‍ଷ୍ଟାଗ୍ରାମରେ ଲାଇଭ୍‍ କଥାବାର୍ତ୍ତା କରିବେ। କ୍ୱାରେନ୍‍ଟାଇନ୍‍ ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ସେ ତାଙ୍କ ସହ ବିଚାର ବିମର୍ଷ କରିବେ। ଦୀପିକାଙ୍କ କହିବାନୁସାରେ, କରୋନା ସମୟର ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‍ ହେବା ମଧ୍ୟ ନିହାତି ଆବଶ୍ୟକ। ଦୀପିକା ୨୩ ଏପ୍ରିଲ୍‍ ସନ୍ଧ୍ୟା ୭ଟା ୩୦ ସମୟରେ ଟେଡ୍ରୋସଙ୍କ ସହ କୋଭିଡ଼୍‍-୧୯ ସମୟରେ ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତା ଓ ଏଥିରୁ ଭବିଷ୍ୟତରେ କି ଶିକ୍ଷା ପାଇପାରିବା ଏହାକୁ ନେଇ ଆଲୋଚନା କରିବେ। ଏନେଇ ଦୀପିକା ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ଟେଡ୍ରୋସ ମଧ୍ୟ ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ‘କୋଭିଡ଼୍‍-୧୯ର ଏହି କଠିନ ସମୟରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବାର ଏହି ପ୍ରୟାସ ପାଇଁ ଆପଣଙ୍କୁ ଧନ୍ୟବାଦ ଦୀପିକା’।


ସୂଚନାଯୋଗ୍ୟ, ଦୀପିକା ସର୍ବଦା ଅବସାଦ ସହ ଲଢିବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥାଆନ୍ତି। ସେ ନିଜେ ମଧ୍ୟ ଏହି ସମୟ ଦେଇ ଗତି କରି ସାରିଛନ୍ତି, ଏହି କାରଣରୁ ସେ ସବୁବେଳେ ନିଜ ଅନୁଭୂତିରୁ ଲୋକଙ୍କୁ ସନ୍ଦେଶ ଦେଇଥାଆନ୍ତି।

Comments are closed.