ମନି ଲଣ୍ଡରିଂ ମାମଲା; ୧୭ ଯାଏ ଇଡି ହେପାଜତକୁ ଯିବେ ଦୀପକ କୋଚ୍ଚାର

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍‌ ମନି ଲଣ୍ଡରିଂ ମାମଲାରେ ଦୀପକ୍‌ କୋଚ୍ଚାରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଳିତମାସ ୧୭ ଯାଏ ହେପାଜତକୁ ନେବ। ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚାରଙ୍କ ସ୍ବାମୀ ଦୀପକଙ୍କୁ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଗତ ସେପ୍ଟେମ୍ବରରେ ଗିରଫ କରିଥିଲା। ଦୀପକଙ୍କୁ ହେପାଜତକୁ ନେବା ଲାଗି ଏକ ସ୍ବତନ୍ତ୍ର ​କୋର୍ଟ ମଙ୍ଗଳବାର ଇଡିକୁ ଅନୁମତି ଦେଇଛନ୍ତି। ତାଙ୍କୁ ସେପ୍ଟେମ୍ବର ୧୯ ଯାଏ ଇଡି ହେପାଜତକୁ ନେବାର ଥିଲା କିନ୍ତୁ ଦୀପକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଏବେ ସେ ସୁସ୍ଥ ହେବା ପରେ ତଦନ୍ତକାରୀ ଏଜେନ୍ସି ତାଙ୍କୁ ରିମାଣ୍ଡରେ ନେବାକୁ ପିଏମ୍‌ଏଲ୍‌ଏ କୋର୍ଟଙ୍କ ନିକଟରେ ଆ​ବେଦନ କରିଥିଲା। ଚନ୍ଦା ଏବଂ ଦୀପକ କୋଚ୍ଚାରଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ଏଫ୍‌ଆଇଆରକୁ ଭିତ୍ତି କରି ଇଡି ମାମଲା ରୁଜୁ କରିଥିଲା। ବେଆଇନ ଭାବେ ଭିଡିଓକନ୍‌ ଗ୍ରୁପକୁ ୩୦୦ କୋଟି ଟଙ୍କାର ଋଣ ପ୍ରଦାନ ଘଟଣାର ଇଡି ସମ୍ପ୍ରତି ତଦନ୍ତ କରୁଛି। ଏହି ଋଣ ଅନୁମୋଦନ ଦେଇଥିବା କମିଟିର ମୁଖ୍ୟ ସେ​ତେବେଳେ ଚନ୍ଦା କୋଚ୍ଚାର ରହିଥିଲେ। ଏହି ଋଣ ମଞ୍ଜୁରିର ​ଗୋଟିଏ ଦିନ ପରେ ଭିିଡିଓକନ୍‌ର ଆକାଉଣ୍ଟରୁ ନ୍ୟୁପାୱାର ରିନେୱେବଲସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏନ୍‌ଆର୍‌ପିଏଲ୍‌)ର ଆକାଉଣ୍ଟକୁ ୬୪ ​କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ନ୍ୟୁପାୱାର ରିନେୱେବଲସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏନ୍‌ଆର୍‌ପିଏଲ୍‌)ର ନାମ ପୂର୍ବରୁ ନ୍ୟୁପାୱାର ରିନେୱେବଲସ ଲିମିଟେଡ୍‌ (ଏନ୍‌ଆର୍‌ଏଲ୍‌) ରହିଥିଲା।

Comments are closed.