ସାପ୍ତାହିକ ହାଟରେ ଦୀପାବଳୀ ପାଇଁ ମାଟିପାତ୍ରର ଚାହିଦା ବଢୁଛି

ଝୁମ୍ପୁରା: ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ। ଦୀପାବଳୀ ପାଳନ କରିବା ପାଇଁ ୧୫ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣୀ ଗାଁ ଗଣ୍ଡାରେ। ଦୀପାବଳୀକୁ ଆଲୋକିତ କରିବା ପାଇଁ ଛୋଟ ଦୀପ ଠାରୁ ଆରମ୍ଭ କରି ବଡଦୀପ ତା ସହିତ ଭଳିକି ଭଳି ମାଟିରେ ତିଆରି ବିଭିନ୍ନ ପ୍ରକାର ଉପକରଣ ହାଟଗୁଡିକରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ମାଟି ଦ୍ୱାରା ବିଭିନ୍ନ ଉପକରଣ ପୂର୍ବ ପୂରୁଷ କାଳରୁ କୁମ୍ଭାରମାନେ ତିଆରି କରି ଆସୁଛନ୍ତି। ଯେଉଁ ଦିନଠାରୁ ପ୍ଲାଷ୍ଟିକ ଏବଂ ଷ୍ଟିଲ ଉପକରଣ ଆସିଲା ସେହି ଦିନ ଠାରୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ମାଟି ପାତ୍ରର ଚାହିଦା କମିବା ଆରମ୍ଭ କରିବା ସହିତ କେବଳ ପୂଜା ପାର୍ବଣରେ ମାଟି ପାତ୍ର ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ମାଟି ପାତ୍ରର ଚାହିଦା କମିବା ଫଳରେ କୁମ୍ଭାରମାନଙ୍କ କୁଳ ବେଉଷାକୁ ଧିରେ ଧିରେ ଅଚଳ ହୋଇଯାଉଥିବାରୁ କୁମ୍ଭାରମାନେ ନିଜର କୂଳ ବେଉଷାକୁ ଛାଡି ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଚାଲିଯାଉଛନ୍ତି ପରିବାର ପ୍ରତିପୋଷଣ ନିମନ୍ତେ। ଯାହା ଫଳରେ ମାଟି ପାତ୍ର ତିଆରି କରିବା କାମ ଧିରେ ଧିରେ କୁମ୍ଭାରମାନେ ଛାଡିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ମାଟି ପାତ୍ରର ଚାହିଦା ଦୀପାବଳୀରେ ଅଧିକ ରହୁଥିବାରୁ ଯେଉଁ କିଛି କୁମ୍ଭାର ପରିବାର ମାଟି ପାତ୍ର ତିଆରି କରୁଛନ୍ତି ସେହି ପରିବାରମାନେ ଦୀପାବଳୀରେ ମାଟି ପାତ୍ର ତିଆରି କରି ବଜାରରେ ଆଣି ବିକ୍ରି କରିଥାନ୍ତି।

ଦୀପାବଳୀକୁ ବିଶେଷ ଭାବରେ କୁଡୁମୀ(ମହାନ୍ତ) ସଂପ୍ରଦାୟର ଲୋକମାନେ ବଡ ଧୂମଧାମରେ ପାଳନ କରିଥାନ୍ତି। କୁଡୁମୀମାନେ ଦୀପାବଳୀରେ ମାଟି ଦୀପ ଠାରୁ ପଲମ, ହାଣ୍ଡି,ଦୀପ,ସାରୁଆ ବ୍ୟବହାର କରିଥାନ୍ତି। ପ୍ରତି କୁଡୁମୀ ସଂପ୍ରଦାୟଙ୍କ ପାଇଁ ନୂଆ ମାଟି ପାତ୍ର ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ। କୁମ୍ଭାରମାନେ ଦୀପାବଳୀକୁ ଆଖି ଆଗରେ ରଖି ମାସକ ପୂର୍ବରୁ ମାଟି ଆଣି ତାକୁ ଭିନ୍ନ ଭିନ୍ନ ଦୀପ ନିର୍ମାଣ କରିବା ସହିତ ପଲମ, ସାରୁଆ, ହାଣ୍ଡି ନିର୍ମାଣ କରି ତାକୁ ଖରାରେ ଶୁଖାଇବା ପରେ ଏହି ସବୁ ମାଟି ଉପକରଣ ଗୁଡିକ ନିଆଁରେ ପୋଡି ପ୍ରସ୍ତୁତ କରିଥାନ୍ତି। ଦୀପାବଳୀ ପର୍ବ ପହଞ୍ଚିବାର ଠିକ୍‍ ସପ୍ତାହକ ପୂର୍ବରୁ କୁମ୍ଭାରମାନେ ମାଟିପାତ୍ରକୁ ସାଇକେଲ, ମଟର ସାଇକେଲ ମାଧ୍ୟମରେ ହାଟକୁ ନେଇ ବିକ୍ରି କରିଥାନ୍ତି। କିଛି କୁମ୍ଭାର ତିଆରୀ କରିଥିବା ମାଟି ପାତ୍ର ଗୁଡିକୁ କୁଡୁମୀ ସଂପ୍ରଦାୟର ବାସବାସ କରୁଥିବା ଗ୍ରାମ ଗୁଡିକୁ ନେଇ ବିକ୍ରି କରିଥାନ୍ତି।

ମାଟି ଦୀପ ଦୀପାବଳିରେ ସବୁ ସଂପ୍ରଦାୟ ଲୋକ ମାନେ ନେଇ ଦୀପାବଳୀ ଦିନ ସଂନ୍ଧ୍ୟାରେ ଦୀପ ଦେଇଥାନ୍ତି ଏଣୁ ପ୍ରତି ସାପ୍ତାହିକ ହାଟରେ ମାଟି ପାତ୍ରର ଚାହିଦା ଅଧିକ ରହୁଛି। ମାଟି ଦୀପ ୨୦ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଥିବା ବେଳେ ମାଟି ପଲମ ୩୦ ଟଙ୍କାରୁ ଆରମ୍ଭ କରି ୭୦ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିପରି ହାଣ୍ଡିଗୁଡିକ ୪୦ଟଙ୍କାରୁ ଆରମ୍ଭ କରି ୮୦ ଟଙ୍କା ପର୍ଯ୍ୟନ୍ତ ଦୂରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୀମିତ କୁମ୍ଭାର ମାଟି ପାତ୍ର ତିଆରୀ କରୁଥିବାରୁ ଦୀପର ଚାହିଦା ଅଧିକ ରହୁଥିବା ଦେଖିବାକୁ ମିଳିଛି। କୁମ୍ଭାର ପରିବାରମାନେ ଅନ୍ୟ ପର୍ବ ପର୍ବାଣୀ ସମୟରେ ମାଟି ପାତ୍ର ତିଆରୀ କରୁନ୍ତୁ କି ନକରନ୍ତୁ କିନ୍ତୁ ଦୀପାବଳୀରେ ମାଟିର ବିଭିନ୍ନ ପ୍ରକାର ସାମଗ୍ରୀ ତିଆରୀ କରି ବିକ୍ରି କରି ବେଶ ଦୁଇପଇସା ରୋଜଗାର କରିପାରୁଥିବା ଦେଖିବାକୁ ମିଳିଛି।

Comments are closed.